ଚାକିରୀର ଆଠ ବର୍ଷ ପରେ ମଧ୍ୟ ବହୁଭାଷୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟମିତ ଶିକ୍ଷକର ମାନ୍ୟତା ପାଇବାରୁ ବଞ୍ଚିତ

0
337

ଭଞ୍ଜନଗର: ଓଡ଼ିଶାର ଆଦିବାସୀ ବହୁଳ ଜିଲ୍ଲାରେ, ଆଦିବାସୀ ପିଲାମାନେ ନିଜ ମାତୃଭାଷା ରେ ଶିକ୍ଷା ଗ୍ରହଣ କରିବେ ବୋଲି ରାଜ୍ୟ ସରକାର ବହୁ ଭାଷୀ ଶିକ୍ଷା ସହାୟକ ପଦ (MLE SS)ପାଇଁ ଏକ ଵିଜ୍ଞାପନ ପତ୍ର ପ୍ରକାଶ କରିଥିଲେ। ତଦାନୁସାରେ ଗଣଶିକ୍ଷା ବିଭାଗ ଅଧିନରେ ୨୦୧୩-୨୦୧୪ ମସିହାରେ ରାଜ୍ୟରେ ୧୫ଟି ଜିଲ୍ଲାରେ ୧୦ଟି ଭାଷା ଯଥା:-କୁଇ,କିଶାନ, ମୁଣ୍ଡା, ସାନ୍ତାଳ,ସଉରା,ହୋ ଇତ୍ୟାଦି ଭାଷାରେ ଶିକ୍ଷା ପ୍ରଦାନ କରିବା ପାଇଁ ୩୦୦୦ ରୁ ଉର୍ଦ୍ଧ୍ବ ବହୁଭାଷୀ ଶିକ୍ଷା ସହାୟକ ଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଥିଲେ । ଜଣେ ଶିକ୍ଷା ସହାୟକ ଙ୍କୁ ୩ ବର୍ଷ କାର୍ଯ୍ୟ କଲାପରେ କନିଷ୍ଠ ଶିକ୍ଷକ ମାନ୍ୟତା ପାଏ, ଏବଂ ଉପଯୁକ୍ତ ଯୋଗ୍ୟତା ଅର୍ଥାତ୍ B.ED, C.T/DE.LED ସହିତ OTET ପାସ୍ କରି ନିରବଚ୍ଛିନ୍ନ ଭାବରେ ୬ ବର୍ଷ କାର୍ଯ୍ୟ କଲାପରେ ନିୟମିତ ଶିକ୍ଷକ ଅର୍ଥାତ Level-V ହେଵାର ନିୟମ ରହିଛି।
ଅନ୍ୟ ଶିକ୍ଷା ସହାୟକଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ନିୟମିତ କରାଯାଉଛି,କିନ୍ତୁ ବହୁଭାଷୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଯୋଗ୍ୟତା ଥାଇ ସୁଦ୍ଧା ୬ ବର୍ଷ ପୂରଣ କରି ଅଦ୍ୟାପି ୮ ବର୍ଷ ରେ ପହଞ୍ଚିଥିଲେ ମଧ୍ୟ ସେମାନଙ୍କୁ ନିୟମିତ(Regular )କରିବା ପାଇଁ ସରକାର କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏହାଦ୍ବାରା ସରକାର ଶିକ୍ଷକ ମାନଙ୍କ ମଧ୍ୟରେ ପାତର ଅନ୍ତର କରୁଛନ୍ତି ବୋଲି ସ୍ପଷ୍ଟ ଜଣାପଡ଼ୁଛି।
ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର ୪ ଟି ବ୍ଲକ୍ ଅର୍ଥାତ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ସୋରଡ଼ା, ଏବଂ ସାନଖେମୁଣ୍ଡି ଆଦିରେ ମୋଟ ୬୬ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇ କୁଇ ଭାଷାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରି ଆଜି ମୁଖ୍ୟ ସ୍ରୋତକୁ ଆଣିବାରେ ସକ୍ଷମ ହୋଇଛନ୍ତି । ବହୁଭାଷୀ ଶିକ୍ଷକ ନିଯୁକ୍ତି ପରେ ବିଦ୍ୟାଳୟରେ ଡ୍ରପ ଆଉଟ ପିଲା ସଂଖ୍ୟା ମଧ୍ୟ କମି ଯାଇଛି। ଏହି ଭଳି ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିୟମିତ କରଣ ନିମନ୍ତେ ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନ ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ପ୍ରଦାନ କରି ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋୖଣସି ସୁଫଳ ମିଳିନାହିଁ।ଏଣୁ ଏହା ଫଳରେ ବହୁଭାଷୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଦରଦାମ ବୃଦ୍ଧି ସମୟରେ ମାତ୍ର ମାସିକ 6512 ଟଙ୍କା ପାଇ ମାନସିକ ଚାପରେ ପରିବାର ନେଇ ସମୟ ବିତାଉଛନ୍ତି । ଭାରତୀୟ ସମ୍ବିଧାନ ଧାରା-୩୫୦(କ) ଏବଂ ଧାରା -୮ରେ ବହୁଭାଷୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି।
ଏଣୁ ଏହି ବିଷୟରେ ତୁରନ୍ତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସେମାନଙ୍କ ପାଇଁ ସରକାର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସମଗ୍ର ବହୁଭାଷୀ ଶିକ୍ଷକ ସମାଜ ରାଜ ରାସ୍ତା କୁ ଉଲ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଇସ୍ରାଏଲ ମାଝୀ,ସିଦ୍ଧୁ ପ୍ରଧାନ,ରବିନ୍ଦ୍ର ମଲ୍ଲିକ,ଦୂର୍ଯୋଧନ ମଲ୍ଲିକ,କସ୍ତୁରୀ ପ୍ରଧାନ,ଲିନ୍ଜୁମା ପ୍ରଧାନ,ବିଉଚିରାଣୀ ସୁନାମାଝୀ,ଜୀସୟ ମୁଥାମାଝୀ ପ୍ରମୁଖ ବହୁଭାଷୀ ଶିକ୍ଷକ ଶିକ୍ଷୟିତ୍ରୀ କ୍ଷୋଭ ଭରା କଣ୍ଠରେ ପ୍ରକାଶ କରିଛନ୍ତି ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here