ଅଙ୍ଗନବାଡ଼ି କେନ୍ଦ୍ର ଠାରେ ସାର ଜବତ

0
766

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ୍ ଅଧିନ ସିଦ୍ଧିକାଗୁଡ଼ା ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ଚୋରା ୟୁରିଆ ସାର ଜବତ ହୋଇଛି । ଜବତ ୟୁରିଆ କଳାହାଣ୍ଡିରୁ ଚୋରାରେ ଆଣି ଏଠାର ଚାଷୀଙ୍କୁ ଚଢ଼ା ଦରରେ ବିକ୍ରି କରିବା ପାଇଁ ରଖାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇବା ପରେ ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ଗତକାଲି ରାତ୍ରରେ ସିନ୍ଧିକାଗୁଡ଼ା ଅଙ୍ଗନୱାଡି କେନ୍ଦ୍ରରେ ପୁଲିସ ସହାୟତାରେ ଚଢ଼ଉ କରିଥିଲେ । ସେଠାରେ ୨୮ ବସ୍ତା ଇଫକୋ ୟୁରିଆ ସାର ରହିଥିଲା । ସାର କଳା ବେପାରି ମୋଟ ୪୦ ବସ୍ତା ୟୁରିଆ ସାର ଆଣି ଏଠାରେ ରଖିଥିଲେ । ସେଥିମଧ୍ୟରୁ ୧୨ ପ୍ୟାକେଟ୍ ବିକ୍ରି କରିଥିବା ବେଳେ ବଳକା ୨୮ ବସ୍ତା ୟୁରିଆ ଗଚ୍ଛିତ ରହିଥିଲା । ଏଥିସହ ଜିଙ୍କ ବୋଟଲ ୩ଟି ଓ ଅନ୍ୟାନ୍ୟ ସାର ଔଷଧମଧ୍ୟ ଜବତ ହୋଇଛି । ନବରଙ୍ଗପୁର ଜିଲ୍ଲାରେ ୟୁରିଆ ସାର ଅଭାବ ନେଇ ଚାଷୀଙ୍କ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଥିବା ବେଳେ ଡାବୁଗାଁରେ ଅଙ୍ଗନୱାଡି କେନ୍ଦ୍ରରୁ ସାର ଜବତ କରିବା ଘଟଣାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କମଳମୋତି ଶିଶୁଙ୍କୁ ପ୍ରାକ୍ ଶିକ୍ଷାଦାନ ସହ ପୁଷ୍ଟିକର ଆହାର ଦେବା ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ଖୋଲିଥିବା ବେଳେ ଏଠାରେ ଅଙ୍ଗନୱାଡ଼ି କର୍ମୀ ଜଣକ କିପରି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରେ ଚୋରା ୟୁରିଆ ସାର ରଖିବାକୁ ଅନୁମତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଉଛି। ସିନ୍ଧିକାଗୁଡ଼ା ଅଙ୍ଗନୱାଡି କର୍ମୀ ଓ ଆଶା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ଡାବୁଗାଁ ବ୍ଲକ୍ କୃଷକ ମହାସଂଘ । ଡାବୁଗାଁ ବ୍ଳକ୍ କୃଷକ ମହାସଂଘ ଏଥିପୂର୍ବରୁ ଡାବୁଗାଁ ବ୍ଲକରେ ସାରର କୁତ୍ରୀମ ଅଭାବ , କଳାବଜାରି ଓ ଚଢ଼ା ଦରରେ ବିକ୍ରି ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥଙ୍କ ଜରିଆରେ ଏକ ଦାବିପତ୍ର ଦେଇଥିଲେ । ତହସିଲଦାର ଏହାପରେ ସାର ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖିବା ସହ ବିଭିନ୍ନ ଗ୍ରାମ ବୁଲି ଚାଷୀଙ୍କ ସାର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଚଢ଼ଉ ପରେ ସାର କଳା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଏବେ ମଧ୍ୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚାଷୀ ଚଢ଼ା ଦରରେ ସାର କିଣୁଥିବା ଜଣାପଡ଼ିଛି। ଏପରି ସାର କଳାବଜାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here