ଦୁର୍ବ୍ୟବହାର ଅଭିଯୋଗ ନେଇ ଖଲ୍ଲିକୋଟ ଏନଏସି ସଫେଇ କର୍ମଚାରୀ ଅଦାଲତର ଆଶ୍ରୟ ନେଲେ

0
244

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଏନଏସି ରେ ସଫେଇ ଦୁର୍ନୀତି ଅଞ୍ଚଳବାସୀ ଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଜି ଏଥିରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇ ଯାଇଛି ।ସଫେଇ କର୍ମଚାରୀଙ୍କ ଦରମା ଠିକ ଭାବେ ଦେଉନଥିବା,ଇପିଏଫ ଟଙ୍କା ବ୍ୟାଙ୍କ ଆକାଉଣ୍ଟ କୁ ଆସୁନଥିବା,ଠିକାଦାରଙ୍କ ଦ୍ବାରା ନିଯୁକ୍ତ ସୁପରଭାଇଜର ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ନେଇ ଆଜି ପ୍ରାୟ ୧୫ ରୁ ଅଧିକ ସଫେଇ କର୍ମଚାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।କୋର୍ଟରେ ଥିବା ଆଇନ ତାଲୁକା ସେବା କେନ୍ଦ୍ର ର ଅଧ୍ୟକ୍ଷ ଥିବା ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀ ନିବାସ ପ୍ରତିହାରୀ ଙ୍କୁ ଆଇନ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ ।ସେମାନଙ୍କ ନିଵେଦନ କୁ ଗ୍ରହଣ କରି ମାନ୍ୟବର ଏଡିଜେ ଆଇନଜୀବୀ ସନ୍ତୋଷ କୁମାର ମିଶ୍ର ଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଅପରାହ୍ନରେ ଏନଏସି କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର, ଠିକାଦାରଙ୍କ ଦ୍ଵାରା ନିଯୁକ୍ତ ସୁପରଭାଇଜର ସଞ୍ଜିତ ପାତ୍ର ଓ ସଫେଇ କର୍ମଚାରୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଆଇନଜୀବୀ ସନ୍ତୋଷ କୁମାର ମିଶ୍ର ମଧ୍ୟ ସଫେଇ କର୍ମଚାରୀ ଙ୍କୁ ସହାୟତା ପାଇଁ ଉପସ୍ଥିତ ଥିଲେ ।ବୈଠକରେ ସଫେଇ କର୍ମଚାରୀ ମାନେ ସେମାନଙ୍କ ସମସ୍ତ ଅଭିଯୋଗ ଉପସ୍ଥାପନ କରିଥିଲେ ।ସଫେଇ କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟ ରେ ସେମାନଙ୍କ ମୋବାଇଲ ନମ୍ବର ଓ ପାସୱାର୍ଡ ନ ଦେଇ ସୁପରଭାଇଜର ସଞ୍ଜିତ ପାତ୍ର ନିଜର ମୋବାଇଲ ନମ୍ବର ଓ ପାସୱାର୍ଡ ଦେଇଥିବା ରୁ ସେମାନେ ଇପିଏଫ ଟଙ୍କା ଆକାଉଣ୍ଟ ସମ୍ବନ୍ଧରେ କିଛି ଜାଣି ପାରୁନାହାନ୍ତି ।ଦରମା ଟଙ୍କା ବ୍ୟାଙ୍କ ଆକାଉଣ୍ଟ କୁ ନ ପଠାଇ କର୍ମଚାରୀ ଙ୍କୁ ହାତରେ କିସ୍ତି ଆକାରରେ ଦେଉଥିବାରୁ କେତେ ଟଙ୍କା ଦରମା ପାଉଛନ୍ତି ସେମାନେ ଜାଣିପାରୁ ନାହାନ୍ତି ।ସୁପରଭାଇଜର ସେମାନଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ ପ୍ରଦର୍ଶନ କରୁଥିବାର ଅଭିଯୋଗ କରିଛନ୍ତି । ତାସହ ଦୁଇ ଜଣ ସଫେଇ କର୍ମଚାରୀ କବି ନାୟକ ଓ ଶ୍ରୀ କାନ୍ତ ନାୟକ ଙ୍କୁ ବିନା କାରଣରେ କାର୍ଯ୍ୟ ରୁ ବାହାର କରି ଦେଇଥିବା ରୁ ତୁରନ୍ତ ସେହି ଦୁଇ ଜଣ ଙ୍କୁ ପୁନଃ ନିଯୁକ୍ତି ପାଇଁ ଦାବି କରିଥିଲେ ।ନିର୍ବାହୀ ଅଧିକାରୀ ସବୁ ଦାବି ମାନିନେବା ସହ ସୁପରଭାଇଜର କର୍ମଚାରୀ ଙ୍କୁ ଦୁର୍ବ୍ୟବହାର କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଆସନ୍ତା ଅଗଷ୍ଟ ମାସ ରୁ ଦରମା ଟଙ୍କା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଯିବ, ଇପିଏଫ ଆକାଉଣ୍ଟରେ ସୁପରଭାଇଜର ଙ୍କ ମୋବାଇଲ ନମ୍ବର କୁ ବଦଳାଇ କର୍ମଚାରୀଙ୍କ ନିଜ ମୋବାଇଲ ନମ୍ବର ଦିଆଯିବ ଏବଂ ଛଟେଇ ହୋଇଥିବା ଦୁଇ ଜଣ କର୍ମଚାରୀ ଙ୍କୁ ନିର୍ବାହୀ ଅଧିକାରୀ ନିଯୁକ୍ତି ଦେବେ ବୋଲି କହିଥିଲେ ।ଆଇନ ତାଲୁକା ସେବା କେନ୍ଦ୍ରର ଆଇନଗତ ଆଶ୍ରୟ ନେବାପାଇଁ ପୂର୍ବତନ କାଉଂସିଲର ବିପିନ ବିହାରୀ ସାମନ୍ତ ଓ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରା ସଫେଇ କର୍ମଚାରୀଙ୍କୁ ସହଯୋଗ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here