ବ୍ରହ୍ମପୁର – ସମ୍ବଲପୁର ରେଳ ପଥ ନିର୍ମାଣ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁଣି ଉଠିଲା ଦାବି

0
385

ଭଞ୍ଜନଗର: ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡିଶା ସହିତ ସଂଯୋଗ କରିବା ପାଇଁ ବ୍ରହ୍ମପୁର – ସମ୍ବଲପୁର ଭାୟା ଫୁଲବାଣୀ ରେଳ ଲାଇନ ପ୍ରକଳ୍ପକୁ ତୁରନ୍ତ କାଯ୍ୟକାରୀ କରିବା ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଛି। ହେଲେ ଗତ ୨ବର୍ଷ ଧରି ଗଂଜାମ,ଭଞ୍ଜନଗର, ଫୁଲବାଣୀ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଆଇନଜୀବୀ ମାନେ ଏକତ୍ରିତ ହୋଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିଗଠନ କରି ଆନ୍ଦୋଳନକୁ ଜୋରଦାର କରିଥିଲେ। ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ୱେ କୌଣସି ସୁଫଳ ମିଳିନଥିବାରୁ ରବିବାର ଭଞ୍ଜନଗର କୌର୍ଟ ପରିସରରେ ଅନୁଷ୍ଠିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକରେ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟ ଜିଲ୍ଲା ମାନଙ୍କରେ ଯେଉଁ ଭଳି ରେଳ ସଂଯୋଗୀ କରଣ କରାଯାଇଛି । ସେହିଭଳି ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଦେଇ ରେଳ ପଥ ସଂଯୋଗୀ କରଣ କରିବାକୁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବା ରୁ ଏହା କେବଳ ସର୍ଭେ ଭିତରେ ସୀମିତ ହୋଇ ରହିଛି। ଏଥି ସହିତ ଏହି ପ୍ରକଳ୍ପ କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଣ ସହ ୫୦% ପ୍ରତିଶତ ଖର୍ଚ୍ଚ ବହନ କରିବାକୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ଏହି ନୂତନ ରେଳପଥ ନିର୍ମାଣ ହେବା ଦ୍ୱାରା ଏହି ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ହେବା ସହିତ ଗମନାଗମନର ସୁବିଧା ହୋଇ ପାରିବ ବୋଲି ବରିଷ୍ଠ ଆଇନଜୀବୀ ମାନେ ପ୍ରକାଶ କରିଛନ୍ତି। ଆଗାମୀ ଦିନର ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ନୂତନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ଏହି ରେଳ ପ୍ରକଳ୍ପ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ଉପସ୍ଥାପନ କରାଯିବ ବୋଲି ସ୍ଥିର କରାଯାଇଛି। ଭଞ୍ଜନଗର ଓକିଲ ସଂଘ ସଭାପତି ସନ୍ତୋଷ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାଯ୍ୟକ୍ରମରେ ଭଞ୍ଜନଗର, କବିସୂର୍ଯ୍ୟନଗର,କୋଦଳା, ଗଂଜାମ,ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ଆଇନଜୀବୀ ମାନେ ଉପସ୍ଥିତ ରହି ସମର୍ଥନ କରିଥିଲେ। କାଯ୍ୟକ୍ରମରେ ଗଞ୍ଜାମ ବାର୍ ର ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉପ ସଭାପତି ଭାଗୀ ରାଓ, ସମ୍ପାଦକ ପ୍ରଦୀପ ବେହେରା, ସହ ସମ୍ପାଦକ ସୁଧୀର କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଂଜାମ ବାର ପକ୍ଷରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଆଯାଇଥିବା ସମସ୍ତ ନିଷ୍ପତ୍ତି କୁ ପୂର୍ଣ୍ଣ ସମର୍ଥନ କରାଯାଇଛି। ଏଥି ସହିତ ଗଞ୍ଜାମ ବାର୍ ରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କୁ ଭଞ୍ଜନଗର ବାର୍ ପୂର୍ଣ୍ଣ ସମର୍ଥନ ଜଣାଇଛି। ବର୍ତ୍ତମାନ ଏହି ପ୍ରକଳ୍ପର ଏରିଏଲ୍ ସର୍ଭେ ଶେଷ ହୋଇଥିବା ବେଳେ ଆଗାମୀ ଦିନରେ ଫାଇନାଲ ଲୋକେସନ ସର୍ଭେ ସହ ନୀତି ଆୟୋଗର ମଞ୍ଜୁରୀ ପରେ ଏହା ଆଗାମୀ ବଜେଟରେ ସ୍ଥାନ ପାଇବ ବୋଲି କହିଛନ୍ତି ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି. ଶଙ୍କର ପାତ୍ର ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here