କଳା ଓ କଳାକାର ହୀତୈଷୀ ଦାବି ଘେନି କଳାକାର ମହା ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

0
269

ବ୍ରହ୍ମପୁର:କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ସଭାକକ୍ଷ ଠାରେ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବରିଷ୍ଠ ସଙ୍ଗୀତଜ୍ଞ ଗୁରୁ ଆଚାର୍ଯ୍ୟ ସୀମାଞ୍ଚଳ ଦାସ, ସୀମାନ୍ତ ନଟରାଜ ଡା. ତିରୁପତି ସାହୁ, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ବରିଷ୍ଠ ନୃତ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ସାହୁ ମାମା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସଂପ୍ରତି କୋରନା ମହାମାରୀ କାଳରେ ସଂଘ ପକ୍ଷରୁ ବ୍ୟବସ୍ଥା କରି ରୋଜଗାର ହରେଇ ଅତ୍ୟନ୍ତ ଦୁର୍ବିସହ ଅବସ୍ଥାରେ ସ୍ଥିତ କଳାକାର ମାନଙ୍କୁ ଚାଉଳ ଓ ରାସନ୍ ସାମଗ୍ରୀ ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟତା ନିମନ୍ତେ ଭୂୟସୀ ପ୍ରଶଂସା କରିଥିଲେ । ସଂଘର ଆଗାମୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କ୍ରମରେ ସରକାରୀ କଟକଣା ହଟିବା ପରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସହ ସମ୍ମିଳିତ ଭାବେ ଅନ୍ୟୁନ ପଚାଶ ହଜାର କଳାକାରଙ୍କୁ ନେଇ ଉଭୟ କଳା ଓ କଳାକାରଙ୍କ ସ୍ବାର୍ଥ ଦାବି ନେଇ ଏକ ଶୋଭାଯାତ୍ରା ସହିତ ମହାସମାବେଶ ଆୟୋଜନ ନିମନ୍ତେ ବୈଠକରେ ସ୍ଥିର କରାଗଲା ।

କଳାକାର ମହା ସମାବେଶ ଓ ଶୋଭାଯାତ୍ରା ଆୟୋଜନ ନିମନ୍ତେ କାର୍ଯ୍ୟଧାରା ତ୍ବରାନ୍ବିତ କରିବା ନେଇ ଉଭୟ କାର୍ଯ୍ୟକାରୀ ସଭାପତି ଓ ସମ୍ପାଦକଙ୍କୁ ସଂଘ ତରଫରୁ ଦାୟିତ୍ଵ ନ୍ୟସ୍ତ କରାଗଲା । ଏହି ଅବସରରେ ସଂଘ କୋଷାଧ୍ୟକ୍ଷ ବଳଦେବ ସାହୁଙ୍କୁ ତାଙ୍କରି ୫୪ତମ ସ୍ଵନକ୍ଷତ୍ର ଦିବସର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ବୈଠକରେ ସର୍ବଶ୍ରୀ ଟି.ତାରିଣୀ ରାଓ, ନୀଳାମ୍ବର ସାହୁ, ନୀଳମାଧବ ଜେନା, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, କିଶୋର କାପୂର୍, ମହେନ୍ଦ୍ର କୁମାର ସାହୁ, ଶିବରାମ ସାବତ, ଗୀତା ସ୍ୱାଇଁ ପ୍ରମୁଖ ସମସ୍ତ ସଂଘ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ସମ୍ଭାଷଣ ସହ ଆଗାମୀ ସମ୍ଭାବ୍ୟ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ ବରିଷ୍ଠ କଣ୍ଠଶିଳ୍ପୀ ଭଗବାନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ସଙ୍ଗୀତ ଗୁରୁ ଲକ୍ଷ୍ମୀ ନାରାୟଣ ସାମଲ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here