ମୁଳିଆ ସ୍ମାରକୀ ମେଧାବୃତ୍ତି:୭ ଜଣ ଛାତ୍ରଛାତ୍ରୀଙ୍କୁ ମିଳିଲା ଉଚ୍ଚଶିକ୍ଷା ପାଇଁ ସହାୟତା

0
266

ବେଲଗୁଣ୍ଠା:ସୁଦୂର ଆମେରିକାରେ ରହି ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଦାମୋଦର ସାହୁ ନିଜ ମାତୃଭୂମିର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କିଛି କରିବା ପାଇଁ ଆରମ୍ଭ କରିଥିଲେ ମୁଳିଆ ସ୍ମାରକ ଛାତ୍ର ବୃତ୍ତି ।ଗତବର୍ଷ ଏହାର ଶୁଭାରମ୍ଭ ହୋଇଥିବା ବେଳେ ୨୦୨୦ ରେ ଏହି ଛାତ୍ର ବୃତ୍ତି ପାଇବା ପାଇଁ ଯୋଗ୍ଯ ବିବେଚିତ ହୋଇଥିଲେ ।ଏହି ବର୍ଷ ମଧ୍ୟ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟର ୭ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି ।ଜି.ଟି ହାଇସ୍କୁଲ ପରିସରରେ ହୋଇଥିବା ଏହି ମେଧାବୃତ୍ତି ପ୍ରଦାନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇ ବିଦେଶରେ ରହି ନିଜ ମାତୃଭୂମି ପାଇଁ ଚିନ୍ତା କରିବା ଏବଂ ତାକୁ କାର୍ଯ୍ୟକ୍ଷମ କରିବା ନିଶ୍ଚିତ ଭାବରେ ଅଞ୍ଚଳ ପ୍ରତି ଗର୍ବର ବିଷୟ ବୋଲି କହିବା ସହିତ ଦାମୋଦର ସାହୁ ଘୁମୁସର ଅଞ୍ଚଳ ପାଇଁ ଉଦାହରଣ ବୋଲି ବକ୍ତବ୍ୟ ଦେଇଥିଲେ ।ଜି.ଟି ହାଇସ୍କୁଲର ପୁରାତନ ଛାତ୍ର ଦାମୋଦର ନିଜ ଛାତ୍ର ଜୀବନରେ ବହୁ ଆର୍ଥିକ ବାଧାବିଘ୍ନର ସମ୍ମୁଖୀନ ହୋଇମଧ୍ୟ ନିଜ ପରିଶ୍ରମ,ଇଛାଶକ୍ତି ଓ ଅଧ୍ୟବସାୟ ଫଳରେ ଆଜି ଆମେରିକାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଏକ ଇଚ୍ଚ ପଦବୀରେ କାର୍ଯ୍ୟରତ ।ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହି ମଧ୍ୟ ନିଜ ପିତା ସ୍ୱର୍ଗତ ମୂଳିଆ ସାହୁଙ୍କ ନାମରେ ଛାତ୍ରବୃତ୍ତି ଆରମ୍ଭ କରି ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା କରିବା ବିଦ୍ୟାଳୟ ପାଇଁ ଗର୍ବର କଥା ବୋଲି ଶ୍ରୀ ପାଢ଼ୀ କହିଥିଲେ ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ପାଳ ନିଜ ବକ୍ତବ୍ୟରେ ଦାମୋଦରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉତ୍ତମ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି କହିଥିଲେ ।ବିଜେଡି ରାଜ୍ୟ ପ୍ରବକ୍ତା ତଥା ମୁଳିଆ ସ୍ମାରକୀ ଛାତ୍ରବୃତ୍ତି କୋର୍ କମିଟିର ଅନ୍ୟତମ ସଦସ୍ୟ ଓମ୍ ପ୍ରକାଶ ସାହୁ ଏହି ସହାୟତା ନେଇ ଛାତ୍ରଛାତ୍ରୀ ମାନେ ଆଗକୁ ବଢ଼ିବା ଦରକାର ବୋଲି କହିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନାର କରିଥିଲେ ।ଦାମୋଦର ସାହୁ ଭିଡିଓ କନଫରେନ୍ସି ଜରିଆରେ ଆମେରିକାରୁ ଛାତ୍ରଛାତ୍ରୀ ଓ ଅଭିବାବକ ମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରି ନିଜ ଛାତ୍ର ଜୀବନ ଅନୁଭୂତି ପ୍ରଦାନ କରିଥିଲେ ।ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ କୋର୍ କମିଟି ସଦସ୍ୟ ତଥା ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ଏହି ବୃତ୍ତି ଜରିଆରେ ମେଧାବୀ ଛାତ୍ରଛାତ୍ରୀ ଅମିତ୍ କୁମାର ସାହୁ, କେ.ଚନ୍ଦନ ଆଚାରୀ, ଅଭୟ କୁମାର ପ୍ରଧାନ,ଇତିଶ୍ରୀ ନାୟକ,ଅଲିଭା ସାହାଣୀ,ପ୍ରଭାତୀ ସାହୁ ଓ ଲିଜାରାଣୀ ରାଉତଙ୍କୁ ମୁଳିଆ ସ୍ମାରକୀ ତରଫରୁ ପ୍ରତ୍ୟେକଙ୍କୁ ୯ ହଜାର ଟଙ୍କା ଲେଖାଏଁ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଇଥିଲା ।ଛାତ୍ରଛାତ୍ରୀ ମାନେ ଓ ସେମାନଙ୍କ ଅଭିବାବକ ବୃନ୍ଦ ଶ୍ରୀ ସାହୁଙ୍କୁ ସାଧୁବାଦ ଜଣାଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ରାଜଶ୍ରୀ ପ୍ରିୟଦର୍ଶିନୀ କଅଁର,ସଂଗ୍ରାମ ନାୟକ, ଶଙ୍କର୍ଷଣ ସାହୁ ଓ ଅର୍ଜୁନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ :ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here