ବାଲ୍ୟବିବାହ କୁ ରୋକିବା ନିମନ୍ତେ ଆରମ୍ଭ ହେଲା ଅନ୍ଵେଷା ଅଭିଯାନ

0
263

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନବରଙ୍ଗପୁର ଜିଲ୍ଲାର ରେ ସଚେତନତା ର ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ଜାରି ରହିଛି । ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧି ଦେଇ ଅକାଳରେ ମରଣ ମୁହଁ କୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ । ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା । ତେବେ ଜିଲ୍ଲା ରେ ଏହି ଭଳି କଳଙ୍କିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ତପ୍ତରତା ପ୍ରକାଶ ପାଇଛି । ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ର ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଟିତ ହେବାପରେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ମିଶ୍ର ଆରମ୍ଭ କରିଛନ୍ତି ଅନ୍ଵେଷା ଅଭିଯାନ ।ସମସ୍ତ କିଶୋରୀ ମାନଙ୍କ ମଧରେ ଅନେକ ପ୍ରତିଭା ଲୁଚି ରହିଛି । କମ ବୟସରେ ବିବାହ ବନ୍ଧନ ରେ ନ ବାନ୍ଧି ପିତା ମାତା ଓ ସଂପ୍ରଦାୟକୁ ବୁଝାଇ କିଶୋରୀ ମାନଙ୍କର ପ୍ରତିଭାକୁ ବିକଶିତ କରିବା ହେଉଛି ଅନ୍ଵେଷା ଅଭିଯାନ ର ମୂଳ ଉଦେଶ୍ୟ । ଜିଲ୍ଲାର ସମସ୍ତ ବିଭାଗ ଗୁଡିକରେ କିଶୋରୀ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟକ୍ରମ ଗୁଡିକୁ ତ୍ବରାନିତ୍ଵ କରିବା ବିଶେଷ କରି କିଶୋର କିଶୋରୀ ମାନେ ନିୟମିତ ସ୍କୁଲ କୁ ଯାଇ ପାଠ ପଢିବା , ବୈଷୟିକ ଶିକ୍ଷାରେ କିଶୋର କିଶୋରୀ ମାନଙ୍କୁ ସାମିଲ କରିବା , ଅଙ୍ଗନୱାଡି ସ୍ତରରେ ଅଦ୍ଵବିକା ଯୋଜନାରେ କିଶୋର କିଶୋରୀ ମାନଙ୍କୁ ସାମିଲି କରି ସେମାଙ୍କୁ ଜୀବନ ଶୈଳି ର ଶିକ୍ଷା ଦେବା ସହିତ ତାଙ୍କର ନେତୃତ୍ଵ ବୃଦ୍ଧି ଆଦି ଏହି ଅନ୍ଵେଷା ଅଭିଯାନ ଜରିଆରେ ଆଗାମୀ ଦିନରେ କାର୍ଯ୍ୟ କରାଯିବ ବୋଲି ଲକ୍ଷ ରଖାଯାଇଛି । ଏଥି ସହିତ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସରପଞ୍ଚ ମାନଙ୍କୁ ସାମିଲ କରାଇ ପ୍ରଶାସନ ତରଫରୁ ପ୍ରତ୍ଯେକ ଗ୍ରାମ ଓ ପୌରାଞ୍ଚଳ ରେ ବାଲ୍ୟବିବାହକୁ ରୋକିବା ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଠି କରିବା ସହିତ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ଓ ସମାଜ କଲ୍ଯାଣ ବିଭାଗ କୁ ନିର୍ଦେଶ ଦେଇଛନ୍ତି ।
ସେହିପରି ଜିଲ୍ଲାପାଳ ଡଃ ମିଶ୍ର ଉଦ୍ୟମ କ୍ରମେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ଶିଶୁ ସୁରକ୍ଷା ୟୁନିଟି ଓ ଚାଇଲ୍ଡ ଲାଇନ ର ମିଳିତ ସହଯୋଗରେ ଚଳିତ ବର୍ଷ ଜିଲ୍ଲାରେ ମୋଟ ୧୧୬ ଟି ବାଲ୍ୟ ବିବାହ କୁ ରୋକାଯାଇ ପାରିଛି । ସେଥି ମଧ୍ୟରୁ ଉମରକୋଟ ବ୍ଲକ ରେ ସର୍ବାଧିକ ୫୩ ଟି , ରାଇଘର ବ୍ଲକ ରେ ୨୪ ଟି ,ଚନ୍ଦାହାଣ୍ଡି ବ୍ଲକ ରେ ୩ଟି ,ଝରିଗାଁ ବ୍ଲକ ରେ ୧୫ଟି , ଡାବୁଗାଁ ବ୍ଲକ ରେ ୪ଟି , ପାପଡାହାଣ୍ଡି ବ୍ଲକ ରେ ୫ଟି , କୋଷାଗୁମୁଡା ବ୍ଲକରେ ୩ଟି , ନବରଙ୍ଗପୁର ବ୍ଲକରେ ୩ଟି ,ତେନ୍ତୁଳିଖୁଣ୍ଟି ବ୍ଲକରେ ୩ଟି ଏବଂ ନନ୍ଦାହାଣ୍ଡି ବ୍ଲକ -୩ ଟି ଅଟେ । ପ୍ରକାଶ ଥାଉକି ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ଶିଶୁ ସୁରକ୍ଷା ୟୁନିଟି , ୟୁନିସେଫ ଓ ଆକ୍ସନଏଡ ସଂସ୍ଥା ର ମିଳିତ ପ୍ରୟାସ ରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହ କୁ ବନ୍ଦ କରାଯାଇବା ନିମନ୍ତେ ପ୍ରୟାସ ଜାରି ରହିଛି ।
ରିପୋର୍ଟ୍- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here