କୋଭିଡ୍ – ୧୯ ପ୍ରସ୍ତୁତି ଓ ପରିଚାଳନା ନିମନ୍ତେ ବୈଠକ

0
241

ଛତ୍ରପୁର: କରୋନାର ଦ୍ବିତୀୟ ଲହର ପ୍ରାଦୁର୍ଭାବକୁ ପ୍ରତିହତ କରିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଗୁଡିକର ସୁପରିଚାଳନା ନିମନ୍ତେ ଆଜି ପୂର୍ବାହ୍ନରେ ସମସ୍ତ ବିଡିଓ, ତହସିଲଦାର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରତି ବ୍ଲକ୍ ରେ ଦୈନିକ ଆର୍.ଟି.ପି.ସି.ଆର୍. ଟେଷ୍ଟ ଓ ଆଣ୍ଟିଜେନ୍ ଟେଷ୍ଟ ଅଧିକରୁ ଅଧିକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୈନିକ ଟେଷ୍ଚ ର ସମୀକ୍ଷା କରିବା ସହ ତଦାରଖ କରିବା ପାଇଁ ଜିଲ୍ଲାପାଳ କହିଥିଲେ । ବିଡିଓ ମାନେ ଦୈନିକ ଦୁଇ ତିନୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ଲୋକ ପ୍ରତିନିଧି, କୋଭିଡ୍ ମନିଟର୍ ମାନଙ୍କ ସହ ଆଲୋଚନା କରି ଜନ ସାଧାରଣଙ୍କ ସୁରକ୍ଷାଲାଗି ଉଚିତ୍ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସ୍ବେଚ୍ଛାସେବୀ ଅନୁଷ୍ଠାନ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ମାସ୍କ ଓ ସାନିଟାଇଜର୍ ବଣ୍ଟନ କରିବା ପାଇଁ ପରାମର୍ଶ ଦେଇଥିଲେ । କରୋନା ଚେନ୍ ରୋକିବା ନିମନ୍ତେ ତହସିଲଦାର ମାନେ ପୂର୍ବାହ୍ନ ୧୧ ଘ. ପରେ ଲକ୍ ଡାଉନ୍ କଡାକଡି ପାଳନ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ଜିଲ୍ଲାପାଳ କହିଥିଲେ । ଜିଲ୍ଲାର ଯେଉଁଯେଉଁ ଅଞ୍ଚଳରେ ଅଧିକ ମାତ୍ରାରେ କରୋନା ସଂକ୍ରମିତ ବାହାରୁଛନ୍ତି ସେଠାରେ କଣ୍ଟେନମେଣ୍ଟ ଜୋନ୍ କରି ତା ଉପରେ କଡା ନଜର ରଖିବା ପାଇଁ ବିଡିଓ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ କହିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ର ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ସିସି ଟିଭି ଲଗାଇବା ସହ କରୋନା ଆକ୍ରାନ୍ତ ମାନଙ୍କୁ ଗରମ ପାଣି ଯୋଗାଇଦେବା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । କଲ୍ ସେଣ୍ଟରରୁ ଦୈନିକ ଦୁଇଥର କଲ୍ ଯାଉଛି କି ନାହିଁ ତାହାମଧ୍ୟ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ । ଉପ ଜିଲ୍ଲାପାଳ ମାନେ ନିଜନିଜ ଉପଖଣ୍ଡର ସୁବିଧା ଅସୁବିଧା ତଦାରଖ କରିବା ସହ ସମସ୍ତେ ସଜାଗ ରହିଲେ ବଡବଡ ଦୁର୍ଘଟଣାକୁ ଏଡାଇ ଦେଇ ହେବ ବୋଲି ଜିଲ୍ଲାପାଳ କହିଥିଲେ । ସଂକ୍ରମିତ ବ୍ୟକ୍ତିଙ୍କ ବହୁମୂଲ୍ୟ ଜୀବନ ଯେପରି ସୁରକ୍ଷିତ ରହିବ ସେହି ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମହିଳା, ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମାନଙ୍କ ସୁରକ୍ଷା ଲାଗି ସମସ୍ତ ସି.ଡି.ପି.ଓ. ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଆଲୋଚନା କରି ସେମାନଙ୍କ ସୁରକ୍ଷାଲାଗି ଉଚିତ୍ ପଦକ୍ଷେପ ନେବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଘର ପାଖରେ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ରାଜସ୍ବ ରଥ ଦୈନିକ ଦୁଇଟି ଗ୍ରାମ ପଞ୍ଚୟତକୁ ଯାଇ ବିଭିନ୍ନ ପ୍ରମାଣ ପତ୍ର, ପଟ୍ଟା ପ୍ରଦାନ କରିବେ । ମଧୁବାବୁ ପେନସନ୍ ଯୋଜନା, ରାସନ୍ କାର୍ଡ ବଣ୍ଟନ ଆଦି ଘର ପାଖରେ ପହଞ୍ଚାଇ ପାରିଲେ ଲକ୍ଷ୍ୟ ସାଧିତ ହୋଇ ପାରିବ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ପ୍ରକଳ୍ପ ନିର୍ଦ୍ଦେଶକ ଡୁଡା ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ଭଞ୍ଜନଗର ରାଜେନ୍ଦ୍ର ମିଞ୍ଜ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here