ବୁଗୁଡା : ପାନୀୟ ଜଳ ସମସ୍ୟା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ଆନ୍ତରିକତା ଆବଶ୍ୟକ

0
259

ବୁଗୁଡା: ବୁଗୁଡା ସହରର କେତେକ ସାହିରେ ପାନୀୟ ଜଳ ସମସ୍ୟା ଲାଗିରହିଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଆନ୍ତରିକତା ଅଭାବ ଥିବା ସହକାରୀ ଯନ୍ତ୍ରୀଙ୍କ କଥାବାର୍ତ୍ତାରୁ ସମ୍ପୂର୍ଣ୍ଣ ବାରି ହେଉଛି। ରାଜ୍ୟ ସରକାର ବୁଗୁଡା ସହରର ପ୍ରତ୍ୟେକ ଘରକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା କରିଥିବା ବେଳେ ଅନ୍ନପୂର୍ଣ୍ଣା ନଗର ବାସିନ୍ଦାଙ୍କୁ ପାଣି ମିଳୁନଥିବା ନେଇ ଆଜି ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ଅନ୍ୟ ସାହି ବାସିନ୍ଦା ଅଭିଯୋଗ କରିଥିଲେ ମଧ୍ୟ ସେଥିପାଇଁ ବୁଗୁଡା ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଉଦ୍ୟମ ଓ ଆନ୍ତରିକତାର ଅଭାବ, ଏଥିରେ ସନ୍ଦେହ ନାହିଁ। ଆଜି ସହକାରୀ ଯନ୍ତ୍ରୀ ବୁଗୁଡା ଜେଇଙ୍କ ସହ ଫୋନ ଯୋଗେ ଯାହ କଥାବାର୍ତ୍ତା ହେଲେ, ସେଥିରୁ ଜଣାପଡୁଛି ଯେ ବୁଗୁଡାର ଏହି ପାଣି ସମସ୍ୟା ସମାଧାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଇଚ୍ଛା ଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଉଦ୍ୟମ କରୁନାହାଁନ୍ତି। ପୂର୍ବରୁ ଜନସାଧାରଣଙ୍କ ଆପତ୍ତି ଓ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବୁଗୁଡ଼ାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମହୋଦୟ ବୁଗୁଡା ଜେଇ ଙ୍କୁ ତାଗିଦ କରିବା ସହ ବୁଗୁଡା ହେଡକ୍ବାଟର ରେ ରହିବାକୁ ନିର୍ଦ୍ଦେଶ ଦେବା ସହ ପାନୀୟ ଜଳଯୋଗାଣ ପାଇଁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ତଥାପି ଆଜି ଅର୍ଥାତ ମଇ ୨୬ ତାରିଖ ଦିନ ଅନ୍ନପୂର୍ଣ୍ଣା ନଗର ବାସିନ୍ଦା ଦାବିପତ୍ର ଦେବାକୁ ସାଢ଼େ ଦଶଟା ପର୍ଯ୍ୟନ୍ତ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଅପେକ୍ଷା କରି ଫେରି ଯାଇଥିଲେ ମଧ୍ୟ ସେ ପର୍ଯ୍ୟନ୍ତ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ମହୋଦୟ କାର୍ଯ୍ୟାଳୟକୁ ଆସି ନଥିଲେ। ଲୋକଙ୍କ ସେବା ପାଇଁ ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ପାଉଥିବା ବେଳେ ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବାରେ ଅବହେଳା ଆଦୌ ଗ୍ରହଣୀୟ ନୁହେଁ। କନିଷ୍ଠ ଯନ୍ତ୍ରୀ ମହୋଦୟ ସହକାରୀ ଯନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ଅନ୍ନପୂର୍ଣ୍ଣା ନଗରର କେତେ ଜଣଙ୍କ ଘରକୁ ପାଇପ ପାଣି ଯାଉନଥିବା ସ୍ୱୀକାର କରିଥିଲେ। ହେଲେ ଏଠାରେ ପ୍ରଶ୍ନ ଉଠୁଛି, ଯଦି କେତେ ଜଣଙ୍କ ଘରକୁ ପାଇପ ପାଣି ଯାଉନଥିବା ଜେଇ ମହୋଦୟ ଜାଣିଥିଲେ, ତେବେ ସେହି ପରିବାର ଗୁଡିକୁ ପାନୀୟ ଜଳ ଯୋଗାଣ ପାଇଁ ବିକଳ୍ପ ବ୍ୟବସ୍ଥା କାରାଯାଇଛି କି ? ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଥିଲେ ଯେ ବୁଗୁଡ଼ାରେ ଓଭରହେଡ ଟାଙ୍କି ନିର୍ମାଣ ହେବା ପର୍ଯ୍ୟନ୍ତ ପାଣି ପାଇପାରୁ ନଥିବା ଘରକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ବ୍ୟବସ୍ଥା କାରାଯାଉ। ତାହା କାର୍ଯ୍ୟକାରୀ କରିବା ପାଇଁ ଜେଇ ମହୋଦୟ ଅବହେଳା କରୁଛନ୍ତି କାହିଁକି ? ଆଶା କାରାଯାଉଛି ସହକାରୀ ଯନ୍ତ୍ରୀଙ୍କ ପରାମର୍ଶ ପ୍ରକାରେ ଜେଇ ମହୋଦୟ ସମସ୍ତଙ୍କ ଘରକୁ ପାଇପ ପାଣି ଯିବାର ବ୍ୟବସ୍ଥା କରନ୍ତୁ, ନତୁବା ଟ୍ୟାଙ୍କର ଯୋଗେ ଲୋକଙ୍କ ପାଖକୁ ପାଣି ଯୋଗାଣ ବ୍ୟବସ୍ଥା କରନ୍ତୁ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here