କୋଭିଡ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ନ କରି ଗୁରୁତର ଥିବା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ତୁରନ୍ତ କରାଯାଉ – ଜିଲ୍ଲାପାଳ

0
246

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାକୁ ବାହାର ରାଜ୍ୟରୁ ପ୍ରବାସୀ ମାନଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ସଂକ୍ରମଣ ବୃଦ୍ଧିକୁ ରୋକିବା ନେଇ ଜିଲ୍ଲା ପ୍ରସାଶନ ଅହରହ ଉଦ୍ୟମ ଚାଲୁ ରଖିଛନ୍ତି । ଘରକୁ ଘର ବୁଲି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଯାଂଚ୍ ଚାଲିଛି । ସଂକ୍ରମିତ ବ୍ୟକ୍ତିଙ୍କୁ ସଂଗରୋଧ କରି ଏକାନ୍ତ ବାସ ସକାଶେ ପରାମର୍ଶ ଦେବା ସହିତ ଔଷଧ କିଟ୍ ପ୍ରଦାନ କରାଯାଉଛି । ଏହି ସବୁ ପ୍ରୟାସ ସତ୍ତ୍ବେ ଜିଲ୍ଲାବାସୀ ନିଜେ ସତର୍କ ରହିଲେ ହିଁ ନିଜ ଅମୂଲ୍ୟ ଜୀବନକୁ ବିପଦ ମୁଖରୁ ରକ୍ଷା କରି ପାରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁମ୍ ଭିଡିଓ ବୈଠକରେ ଅବଗତ କରାଇଛନ୍ତି । ମାସ୍କ ବ୍ୟବହାର ଓ ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନୀତି ନିୟମକୁ ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି । ହୋଟେଲ୍ ମାନଙ୍କରେ ବସି ଖାଦ୍ୟ ଗ୍ରହଣ କରିବା ବଦଳରେ ଖାଦ୍ୟ ପ୍ୟାକେଟ୍ କରି ନେବା ସକାଶେ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛନ୍ତି । ଚିକିତ୍ସାଳୟ ଗୁଡିକରେ ଡାକ୍ତରଗଣ କୋଭିଡ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ନ କରି ଗୁରୁତର ଅବସ୍ଥାରେ ଥିବା ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ଚିକିତ୍ସା ତୁରନ୍ତ କରିବାକୁ ଡାକ୍ତର ମାନଙ୍କୁ ଜଣାଇଛନ୍ତି ଯଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ବିପଦ ଆଡକୁ ନଯାଇ ସୁରକ୍ଷିତ ରହିପାରିବ । ସଂକ୍ରମିତ ବ୍ୟକ୍ତିଙ୍କ ଅକ୍ସିଜେନ ସ୍ତର ସବୁବେଳେ ଯାଂଚ୍ କରିବାପାଇଁ କହିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହେଲେ ତୁରନ୍ତ ସ୍ଥାନାନ୍ତର କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ସ୍ଥାନକୁ ପ୍ରତ୍ୟାବର୍ତ୍ତନ ସକାଶେ କିମ୍ବା ଚାକିରିରେ ଯୋଗଦାନ ସକାଶେ କୋଭିଡ୍ କରୀକ୍ଷା ରିପୋର୍ଟ ନିମନ୍ତେ ଆଶାୟୀ ବ୍ୟକ୍ତିଙ୍କ ନିମନ୍ତେ ଏକ ଟେଷ୍ଟିଂସେଲ୍ ଗଠନ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାରେ ରହିଥିବା ଚିକିତ୍ସାଳୟରେ ଜିଲ୍ଲାବାସୀ ସମେତ ବାହାର ଜିଲ୍ଲାର ରୋଗୀମାନେ ମଧ୍ୟ ଚିକିତ୍ସା ସକାଶେ ଆସିଥାଆନ୍ତି । ଏଣୁ ଜିଲ୍ଲରେ ସଂକ୍ରମିତ କଂଖ୍ୟା ଅତ୍ୟଧିକ ରହିବା ସ୍ବାଭାବିକ, ଏହାକୁ ଦୃଷ୍ଟିରେ ରଖି ଚିକିତ୍ସା କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ।
ପଞ୍ଚାୟତ ସ୍ତରରେ ଲୋକପ୍ରତିନିଧି ଓ ସରପଞ୍ଚ ମାନଙ୍କ ସହ ବୈଠକ କରି ଆଲୋଚନା ମାଧ୍ୟମରେ କୋଭିଡ୍ ପରିଚାଳନାକୁ ଅଧିକ ସୁଦୃଢ କରିବାପାଇଁ ବିଡିଓ ମାନଙ୍କୁ ଜଣାଇଥିଲେ । ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କୋଭିଡ୍ କେୟାର ସେଣ୍ଟର ରୂପେ ପରିବର୍ତ୍ତିତ କରି ସମସ୍ତ ପ୍ରସ୍ତୁତି ଓ ଚିକିତ୍ସା ସକାଶେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦଶ ଦିଆଯାଇଛି । ସଚେତନତା, ପ୍ରସାର ପ୍ରଚାର ସହିତ ମାସ୍କ ପରିଧାନ ଦିଗରେ କୌଣସି ସଲାସୁତରାକୁ ପ୍ରଶ୍ରୟ ନଦେବା ପାଇଁ ତହସିଲଦାର୍ ମାନଙ୍କୁ କୁହାଯାଇଛି । ପଞ୍ଚସୂତ୍ର ନିୟମ ସହିତ ଦୋକାନୀମାନେ କୋଭିଡ୍ ନିୟମକୁ ଅନୁପାଳନ କରୁଛନ୍ତି ନା ନାହିଁ ତାହା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ରାତି ୮ଘ. ରୁ ସୋମବାର ସକାଳ ୫ଘ. ପର୍ଯ୍ୟନ୍ତ ସଟ୍ ଡାଉନ୍ ଯେପରି କଡାକଡି ହେବ ତାହା ତଦାରଖ କରିବାପାଇଁ କହିଥିଲେ । ଯଦି ଏକମାସକାଳ ଜିଲ୍ଲାବାସୀ, ଅଧିକାରୀ ଓ କର୍ମଚାରୀ ସତର୍କ ରହିବେ ତେବେ ସଂକ୍ରମିତଙ୍କ ସଂଖ୍ୟା ନିଶ୍ଚିତ କମିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଥିଲେ ।
ଜୁମ୍ ଭିଡିଓ ଆଲୋଚନାରେ ସମସ୍ତ ଜିଲ୍ଲା ସ୍ତରୀୟ ପଦାଧିକାରୀ ଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here