ସଂକ୍ଷେପରେ ମା’ ଠାକୁରାଣୀଙ୍କ ଜାତ ଚରିତ

0
329

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଓଡ଼ିଶାର ବିଭିନ୍ନ ଶକ୍ତିପୀଠ ମାନଙ୍କ ମଧ୍ୟରେ ଗଞ୍ଜାମର ବ୍ରହ୍ମପୁରରେ ଥିବା ମା ବୁଢ଼ୀ ଠାକୁରାଣୀ ବିଶ୍ୱ ପ୍ରସିଦ୍ଧା , ବିଶ୍ୱ ପୁଜିତା ଅଟନ୍ତି । ଗଞ୍ଜାମର ବିଭିନ୍ନ ଦେବୀ ପୀଠ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଠାକୁରାଣୀଙ୍କ ବିଶେଷ ମାହାତ୍ମ୍ୟ ରହିଛି।
ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ମା ବୁଢ଼ୀ ଠାକୁରାଣୀ ବ୍ରହ୍ମପୁର ଇଷ୍ଟ ଦେବୀ ରୂପେ ପରିଚିତ । ଆଦ୍ୟ ପୁରାତନ କାଳରୁ ମା ଗ୍ରାମଦେବୀ ରୂପେ ପୂଜା ପାଇ ଆସୁଛନ୍ତି । ବିଶ୍ୱଜନନୀ ସିଦ୍ଧିଦାତ୍ରୀ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଛନ୍ତି ତାହା ନିର୍ଣ୍ଣୟ କରିବା ଜଟିଳତର ! ହେଲେହେଁ ସେ ତେଜମୟୀ ବ୍ରହ୍ମସ୍ୱରୂପିଣୀ ,ଚୈତନ୍ୟରୁପିଣୀଙ୍କ ଅଲୌକିକ ଲୀଳା ସହ କିମ୍ବଦନ୍ତୀ ତଥା ଐତିହାସିକ ତଥ୍ୟମାନ ଜଡ଼ିତ ରହିଛି ।
ବିଶେଷତଃ ରାଜା ମାନେ ଶକ୍ତିର ଉପାସକ ଥୁଲେ,ଶକ୍ତିଙ୍କ ସାଧନା ଓ ଆରଧନା ପୂର୍ବକ ବିଭିନ୍ନ ସ୍ଥାନରେ ନିଜ ଆରଧ୍ୟାଙ୍କ ଶକ୍ତିପୀଠ ମାନ ସ୍ଥାପନା କରୁଥିଲେ । ସେହିପରି ଠାକୁରାଣୀଙ୍କ ଉପାସକ ଥିଲେ ମହୁରୀ ରାଜବଂସି ମାନେ, କିନ୍ତୁ ମା’ ଠାକୁରାଣୀ କେଉଁ ଯୁଗରୁ ଆବିର୍ଭୁତା ତାହାର ନିର୍ଦିଷ୍ଟ ତଥ୍ୟ ଦେବା କାଠିକର କଥା ….. ।
ସପ୍ତଦଶ ଶତାବ୍ଦୀ ପୂର୍ବରୁ ମା’ ଠାକୁରାଣୀଙ୍କ ଆବିର୍ଭାବ ବୋଲି କିଛି ଇତିହାସ ( କିମ୍ବଦନ୍ତୀ) ରୁ ଜଣାପଡେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ନିର୍ଦିଷ୍ଟ ସମୟ ସୀମାର ତଥ୍ୟ ମିଳି ପାରିନାହିଁ ।
ବ୍ରହ୍ମପୁରର ପଶ୍ଚିମରେ ମହୁରିଗଡ଼ ରହିଥିଲା। କେରାଣ୍ଡିମାଳ ପର୍ବତ ପରିବେଷ୍ଟିତ ମହୁରିଗଡ଼ ପାଦଦେଶରେ ମହୁରୀ ରାଜପ୍ରାସାଦ ରହିଥିଲା ।ମହୁରୀରଜାଙ୍କ ରାଜଧାନୀ ବ୍ରହ୍ମପୁର ଥିଲା ।ଐତିହାସିକ ମାନଙ୍କ ମତାନୁସାରେ ସପ୍ତଦଶ ଶତାବ୍ଦୀରେ ମହୁରୀ ରାଜା ହରିହର ନରେନ୍ଦ୍ରଦେଵ ଙ୍କ ଶାସନ କାଳରେ ଆନ୍ଧ୍ରର ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିବା ସମୟରେ ସେଠାକାର ବୁଣାକାର ମାନଙ୍କର ବସ୍ତ୍ର ବୟନ ଶୈଳୀ ,ପାଟଶାଢ଼ୀ ରାଜାଙ୍କୁ ମୁଗ୍ଧ କରିଥିଲା ।ଯେହେତୁ ଦାକ୍ଷିଣାତ୍ୟ ସହ ମହୁରୀ ରାଜବଂଶର ସୁସମ୍ପର୍କ ରହିଥିଲା ତେଣୁ ସେ କେତେକ ବୟନ ଶିଳ୍ପୀଙ୍କୁ ଆନ୍ଧ୍ରରୁ ବ୍ରହ୍ମପୁରକୁ ଅଣାଇ ସେମାନଙ୍କ ପରିବାର ସହ ଥଇଥାନ କରାଇଥିଲେ । ବୁଣାକାରମାନେ ଦେବାଙ୍ଗି ବା ଦେବରା ନାମରେ ବିଦିତ । ରାଜା ହରିହର ନରେନ୍ଦ୍ର ଦେଵ ଏହି ସମ୍ପ୍ରଦାୟର ଏକ ମୁଖିଆଙ୍କୁ ଚୟନ କରି ତାଙ୍କ ଶିରରେ ପାଟ ବାନ୍ଧିଥିଲେ ଏବଂ ତାଙ୍କୁ ବେହେରା ଉପାଧିରେ ଅଳଙ୍କୃତ କରିଥିଲେ । ରାଜଦତ୍ତ ଏହି ନାମାଳଙ୍କାର ଅନୁଯାଇ ବୁଣାକାରମାନେ ଯେଉଁ ଠାରେ ବସତି ସ୍ଥାପନ କରିଥିଲେ ତାହା ପରବର୍ତୀ ସମୟରେ ଯେହେତୁ “ଦେଶୀ” ନାମକ ଦେବାଙ୍ଗ “ବେହେରା” ଉପାଧିରେ ଭୂଷିତ ହେଲେ ,ତାହା ବର୍ତ୍ତମାନ “ଦେସିବେହେରା “ସାହି ନାମରେ ଆଜି ଲୋକେ ପରିଚିତ । ଦେସିବେହେରା ମା’ ଠାକୁରାଣୀଙ୍କ ପରମ ଭକ୍ତ ଥିଲେ । ସେ ମା’ ଙ୍କୁ ଉପାସନା କରୁଥିଲେ, ପ୍ରତ୍ୟହ ଭୋରରୁ ଗ୍ରାମଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚନା କରୁଥିଲେ । ଦେବୀଙ୍କ କୃପା କରୁଣା ପାଇ ସେ ଦୈନନ୍ଦିନାରମ୍ଭ କରୁଥିଲେ ।
ଏକଦା ଦେଶିବେହେରା ନିଜ ବାରଣ୍ଡାରେ ବିଶ୍ରାମ କରିବା ସମୟରେ ଜଣେ କନ୍ୟା କାନ୍ଦିବାର ଶୁଣି ତାଙ୍କ ନିଦ ଭାଙ୍ଗିଗଲା ,ସେ ସେହି କନ୍ୟା ଟି ପାଖକୁ ଯାଇ କାନ୍ଦିବାର କାରଣ ପଚାରି ବୁଝିଲେ , କନ୍ୟାଟି ଉତ୍ତର ଦେଲା ଯେ ସେ ବାପଘର କୁ ଯାଉ ଥିଲା କିନ୍ତୁ ରାତ୍ରି ଅନ୍ଧକାର ଯୋଗୁଁ ବାଟ ଭୁଲି ଯାଇଛି କହି ପୁଣି କାନ୍ଦିବାରେ ଲାଗିଲା ।
ମୁକୁଳା କେଶ କୁ କଳା ରଙ୍ଗର ଵସ୍ତ୍ର ପରିହିତା ଝିଅଟି ନିର୍ଯନ ସ୍ଥାନରେ ରାତ୍ରି ରେ ରହିବା ଉଚିତ ମନେ ନକରି ଦେଶିବେହେରା ପିତୃ ସ୍ନେହରେ ସେହି କନ୍ୟା କୁ ନିଜ ଗୃହରେ ରାତ୍ରି ଯାପନ ପାଇଁ ବୁଝାଇ କହିଥିଲେ । କିନ୍ତୁ ସକାଳ ହେବା ପୂର୍ବରୁ ସେହି କନ୍ୟାଟି ତାଙ୍କ ଗୃହରୁ ଉଭାନ ହୋଇ ଯାଇଥିଲା । ପରଦିନ ସକାଳେ ଦେଶିବେହରା କନ୍ୟା ଟିକୁ ବହୁତ ଖୋଜିଲେ କିନ୍ତୁ ସେ ପାଇ ପାରିନଥିଲେ । ବିଚଳିତ ତଥା ଦୁଃଖିତ ଥିଲେ ମଧ୍ୟ ପ୍ରତିଦିନ ଭଳି ସେ ବୁଢ଼ୀ ଠାକୁରାଣୀଙ୍କୁ ପୂଜା କରିବା ପାଇଁ ମନ୍ଦିର ଯାଇଥିଲେ । ସେଠାରେ ସେ ଅଧିଆ ପଡି ମା’ ଙ୍କୁ ନିଜ ଦୁଃଖ ଜଣାଇଥିଲେ , ସେ ସମୟରେ ଶୂନ୍ୟବାଣୀ ଶୁଣାଗଲା ଗତକାଲି ରାତିରେ ତୁମ ଘରେ ମୋତେ ଝିଅ ରୂପେ ସ୍ଥାନ ଦେଇଥିଲା ବୋଲି ଆଜିଠୁ ସଂସାର ଜାଣିବ । ତୁମେ ମୋତେ ପୂଜା କରିବ ନାହିଁ ,କାରଣ ତୁମେ ହେଲ ମୋ “ବାପା” ତୁମେ ମନ୍ଦିରରୁ ବାହାରିବା ବେଳେ ରାସ୍ତାରେ ଯାହାକୁ ପ୍ରଥମେ ଦେଖିବ ସେହି ମୋର ସେବକ ରୂପେ ରହି ମୋ ପୂଜାର୍ଚନା କରିବ । ଏହି କାରଣରୁ ଦେଶିବେହେରା ବିଶ୍ୱବିଖ୍ୟାତ ହେଲେ ଠାକୁରାଣୀଙ୍କ ବାପା ରୂପରେ । ଆଉ ମା’ ଙ୍କ ଅପାର ଦୈବିଲୀଳାରେ ସେହିଦିନ ଦେଶିବେହେରା ମନ୍ଦିରରୁ ବାହାରି ରାସ୍ତାରେ ଗଲାବେଳେ ଜଣେ ବାରିକ (ଭଣ୍ଡାରୀ) କୁ ଦେଖିଥିଲେ । ପରବର୍ତୀ ସମୟରେ ସେହି ଭଣ୍ଡାରୀ ସଂପ୍ରଦାୟ ବ୍ୟକ୍ତିମାନେ ହିଁ ମା’ ଙ୍କ ସେବାୟତ ଭାବେ ନ୍ୟସ୍ତ ରହିଲେ । ମହମାୟୀ ଅନନ୍ତ ରୂପିଣୀ ପିତା ଦେଶିବେହେରାଙ୍କ ଉପରେ ପ୍ରସନ୍ନ ହୋଇ ପ୍ରତ୍ୟେହ ଦୁଇ ବର୍ଷ ଅନ୍ତରେ ଲୀଳାମୟ ବାପ ଘରକୁ ବୁଲି ଯାଆନ୍ତି । ଏହି ସମୟରେ ଦେଶିବେହେରା ସାହିରେ ମା’ ଙ୍କ ଆଗମନ କୁ ଯାତ୍ରା ଉତ୍ସଚ୍ଚବ ରୂପେ ପାଳନ କରାଯାଏ। ସେହି ସାହିରେ ମା ଠାକୁରାଣୀଙ୍କ ପାଇଁ ଅସ୍ଥାୟୀ ଗୃହ ନିର୍ମାଣ କରି ନୀତିନିୟମ ସହକାରେ ନିର୍ଦ୍ଧାରିତ ଦିନ ପର୍ଯ୍ୟନ୍ତ ଅତିଥି ବ୍ରହ୍ମପୁର ଦୁଲ୍ହହଣିଙ୍କ ଆରାଧନା କରାଯାଏ । ଅତି ଆଡ଼ମ୍ବର ଭାବେ ଏହି ଯାତ୍ରାକୁ ଜାକଜକମରେ ପାଳନ କରାଯାଇଥାଏ । ଏହି ଯାତ୍ରା ଓତଃପ୍ରୋତ ଭାବରେ ମହୁରୀ ରାଜବଂଶ ଓ ବ୍ରହ୍ମପୁରର ବୁଣାକାର ପରିବାର ଡେରା ବଂସଯ ବା ଦେବାଙ୍ଗ ପରିବାର ସହ ଜଡିତ ଅଟେ । ଯାତ୍ରା ସମୟରେ ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକାଟି ହେଲା ଦେଡିବେହେରାଙ୍କର । ପରମ୍ପରା ଅନୁସାରେ ଦେଶିବେହେରାଙ୍କ ପର ପିଢି ମଧ୍ୟ ଏହା ବଜାୟ ରଖିଛନ୍ତି । ଯାତ୍ରା ଆୟୋଜନ ପୂର୍ବ ପ୍ରସ୍ତୁତି ମଧ୍ୟ ପାରମ୍ପରିକ ଶୈଳୀରେ କରାଯାଏ । ଦେଶିବେହେରାଙ୍କ କୂଳପୁରୋହିତଙ୍କୁ “ସିଦ୍ଧାନ୍ତି” କୁହନ୍ତି । ସେ ଦିନ,ବାର, ଶୁଭ ବେଳା ଲଗ୍ନ ପ୍ରଭୃତି ପାଞ୍ଜି ଗଣନା କରି ସମୟ ନିର୍ଧାରଣ କରିଥାନ୍ତି । ଅନୁକୂଳ ବେଳା ଦେଖି ଚୈତ୍ର ଶେଷ ଓ ବୈଶାଖର ପ୍ରଥମ ପାଦରେ ବା ବସନ୍ତ ଋତୁରେ ଯାତ୍ରା କାଳୀନ ପ୍ରସ୍ତୁତି ହୋଇଥାଏ ।
ଯାତ୍ରା ଆରମ୍ଭ ପୂର୍ବରୁ ପିତା ଦେଶିବେହେରା ବନ୍ଧୁ ପରିଜନ ସହ ବଡ଼ ଠାକୁରାଣୀଙ୍କ ମନ୍ଦିରକୁ ଯାଇ ମା’ ଙ୍କୁ ଆମନ୍ତ୍ରିତ କରିଥାନ୍ତି । ଆଜ୍ଞା ସ୍ୱରୂପ ସାଙ୍ଗରେ ନେଇଥିବା ନଅ ଗୋଟି ଗଣ୍ଠି ବିଶିଷ୍ଟ ବାଉଁସକୁ ମା’ ବୁଢ଼ୀ ଠାକୁରାଣୀଙ୍କ ପାଖରେ ପୂଜା କରି ହଳଦୀ, ସିନ୍ଦୁର ,ପୁଷ୍ପମାଲ୍ୟରେ ପୂଜା କରି ତାକୁ ଆଣି ଘରର ସାମ୍ନାରେ ବିଧିବିଧାନ ସ୍ୱରୂପ ପୋତାଯାଏ । ଏବଂ ଏହା ଶୁଭଖୁଣ୍ଟି ନାମରେ ପରିଚିତ । ଶୁଭଖୁଣ୍ଟି ର ଆଗମନ ସୂଚିତ କରେଯେ ଠାକୁରାଣୀଙ୍କ ଆଗମନ ଖୁବ ନିକଟତର ସ୍ଵଳ୍ପଦିନ ମଧ୍ୟରେ ହେବାକୁ ଯାଉଛି । ସେହିଦିନ ଠାରୁ ମା’ ଙ୍କର ଅସ୍ଥାୟୀ ମନ୍ଦିରର କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ମଣ୍ଡପର ନିର୍ମାଣ ଶେଷ ପର୍ଯ୍ୟାୟରେ ଦେଶିବେହେରା ନିଜକୂଳ ର ଗଣକ “ସିଦ୍ଧାନ୍ତି “ଦ୍ଵାରା ଉପଯୁକ୍ତ ସୁଭମୁହୂର୍ତ୍ତ ବାହାରକରି ଯାତ୍ରା ଅନୁକୂଳ ପାଇଁ ଝିଅକୁ( ବୁଢ଼ୀ ଠାକୁରାଣୀ) ବ୍ରହ୍ମପୁର ସାଆନ୍ତାଣୀଙ୍କୁ ଡାକିଆଣିବା ପାଇଁ ଦେଶିବେହେରା ଙ୍କ ଧର୍ମପତ୍ନୀ ତଥା ଡେରା ବା ଦେବାଙ୍ଗ ସମ୍ପ୍ରଦାୟର ଅନ୍ୟ ମହିଳାମାନେ ମଧ୍ୟ ମନ୍ଦିରକୁ ଯାଇଥାନ୍ତି । ବିଭିଧଃ ବାଜା ବାଜେଣି ,ବେଶ ପଟୁଆର ସହ ମନ୍ଦିରକୁ ଯାଇଥାନ୍ତି । ସାଥିରେ ନେଇଥାନ୍ତି ବାଉଁଶ ପାତି ନିର୍ମିତ ଏକ ବଡ଼ ଚାଙ୍ଗୁଡି ସେଥିରେ ଥାଏ ଇଟାମଲ୍ଲି ପୁଲର ବଡ଼ ଗୁମ୍ଫା ତଥା ଅନ୍ୟାନ୍ୟ ପୂଜା ସାମଗ୍ରୀ । ଏହି ଇଟମଲ୍ଲି ଫୁଲଗୁମ୍ଫାଟିକୁ ଠାକୁରାଣୀଙ୍କ ମସ୍ତକ ଉପରେ ରଖାଯାଇଥାଏ ,ଦେବୀଙ୍କ ସମୀପରେ ବସିରହନ୍ତି ଦେଶିବେହେରା ତଥା ତାଙ୍କ ପତ୍ନୀ ଏବଂ ସାଙ୍ଗରେ ଥିବା ଅନ୍ୟ ଦେବାଙ୍ଗି ମହିଳାମାନେ । ଦେବୀଙ୍କ କୃପା କରୁଣା ଭିକ୍ଷା ଅପେକ୍ଷାକୁ ଚାହିଁରହନ୍ତି । ଘଣ୍ଟ ,ଘଣ୍ଟା
ବାଦ୍ୟ ବାଜଣା ,ହୁଳହୁଳି ,ତୁରୀ ,ମହୁରୀ ଜୟଧ୍ଵନି ରେ ପ୍ରକମ୍ପିତ ମନ୍ଦିରର ଆଧ୍ୟାତ୍ମିକ ବାତା ବରଣ ଆଲୌକିକ ଦୈବିଶକ୍ତିର ମହିମାରେ ସୁପ୍ରସଂନା ଦେବୀ ଅଜ୍ଞାମାଳ ସ୍ବରୂପ ମା’ଙ୍କ ମସ୍ତକ ଶୋଭିତ ଇଟମଲ୍ଲି ଫୁଲଗୁମ୍ଫାଟି ଚାଙ୍ଗୁଡ଼ିରେ ପଡିଥାଏ ।
ଏତିକି ବେଳେ ଦିବ୍ୟ ଚେତନା ର ଆଭାଷରେ ମନ୍ଦିର ପ୍ରକମ୍ପିତ ହୁଏ ଜୟଧ୍ଵନି, ହୁଳହୁଳି ରେ ।ପରମ୍ପରା ଅନୁଯାୟୀ ଦେବୀଙ୍କ ଆଜ୍ଞାମାଳ କୁ ଚାଙ୍ଗୁଡ଼ିରେ ନେଇ ଆସନ୍ତି ଦେଶିବେହେରା ,ତାଙ୍କ ପତ୍ନୀ ସମେତ ଅନ୍ୟାନ୍ୟ ମହିଳା ମାନେ ତତ ସହିତ ମା’ ବୁଢ଼ୀ ଠାକୁରାଣୀ ତଥା ତାଙ୍କ ଅନ୍ୟ ସହଚରି ,ପାର୍ଶ୍ଵଦେବୀ ଆମନ୍ତ୍ରିତ ହୋଇ ଆସିଥାନ୍ତି ସେହି ଅସ୍ଥାୟୀ ମଣ୍ଡପକୁ । ଅଷ୍ଟସିଦ୍ଧି, ନବନିଧି ଦାତ୍ରି ଜଗଜନନୀ ,ଯୋଗମାୟା ଯୋଗେଶ୍ୱରୀ ଅସ୍ଥାୟୀ ମଣ୍ଡପରେ ନିତି ନିୟମରେ ସ୍ଥାପିତା ହୁଅନ୍ତି ।ଏହା ପୂର୍ବରୁ ଦେଶିବେହେରା ଙ୍କ “ଦାମଲା “ପୂଜକ ଦ୍ଵାରା ଅସ୍ଥାୟୀ ମନ୍ଦିର କୁ ଭୂତପ୍ରେତ ଦୂରୀକରଣ ପାଇଁ ତନ୍ତ୍ର ମନ୍ତ୍ର ଦ୍ୱାରା ଚାରିଦିଗ ବନ୍ଧନ କରାଯିବା ପରମ୍ପରା ଆବହମାନ କାଳ ରୁ ରହିଆସିଛି ।ଇଟମଲ୍ଲି ଫୁଲ ଆସିବାର ତୃତୀୟ ଦିବସରେ ସୁନ୍ଦର ଚିତ୍ରବିଚିତ୍ର ସୁ-ସଜ୍ଜିତ ବଡ ମାଟିଘଟ ମଧ୍ୟରେ ଜଳପୂର୍ଣ୍ଣ କରି ରଖାଯାଏ ।ଆଜ୍ଞା ମାଳ ରୁ ମା ‘ଙ୍କୁ ଘଟ ରୂପେ ରୂପାନ୍ତର କରାଯାଏ ।ଅନ୍ୟ ଆଠ ଗୋଟି ଘଟ ବଡ଼ ଘଟ ଅପେକ୍ଷା ଆୟତନରେ ଛୋଟ ହୋଇଥାଏ ।ବଡ଼ ମୁଖ୍ୟ ଘଟର ଦୁଇଟି ପାର୍ଶ୍ୱରେ ଏହି ଘଟ ମାନ ପୂଜା ପାଇଥାନ୍ତି । ବଡ଼ ମୁଖ୍ୟ ଘଟରେ ଠାକୁରାଣୀଙ୍କ ଶକ୍ତି ଆବାହିତ ହୋଇଥିବା ବେଳେ ଅନ୍ୟ ଘଟ ମାନଙ୍କରେ ସପ୍ତ ଭଗିନୀ ସ୍ୱରୂପ ଦେବୀ ବ୍ରହ୍ମାଣି, ମାହେଶ୍ୱରୀ, ବୈଷ୍ଣବୀ, ବାରାହି ,ଇନ୍ଦ୍ରାଣୀ, କୌମାରି, କମଳା, ଶିବାନୀ ପ୍ରଭୁତି ଦେବୀମାନେ ଘଟରେ ବାସ କରିବା ସହ ନିଦ୍ରାବତୀ ମଧ୍ୟ ଏକ କୋଣରେ ପୂଜା ପାଇଥାନ୍ତି ।
ହଳଦୀ, କୁଙ୍କୁମ,ଚୁଆ ଚନ୍ଦନ, କର୍ପୁର ପ୍ରଲେପିତ ଘଟରେ ମା’ ଠାକୁରାଣୀ ଅନ୍ୟ ଶକ୍ତି ମାନଙ୍କ ସହ ବିରାଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ସହ ରାଜବାଟିକୁ ନୀତି ସନ୍ଧ୍ୟାରେ ଆଳତି ନିମନ୍ତେ ବାଜା ବାଜଣା ,ତୁରୀ ମହୁରୀ ନାଦ ସହ ବିରାଟ ପଟୁଆର ନାନା ବେଶ ରୋଷଣୀରେ ଯାଇଥାନ୍ତି । ଏହା ସହ ମା’ ସାହି ପରିକ୍ରମା ମଧ୍ୟ କରିଥାନ୍ତି ।ଉତ୍ସାହ ଦ୍ୱିଗୁଣିତ କରି ବ୍ରହ୍ମପୁରର ପ୍ରତି ଜନସାଧାରଣ ଚାହିଁ ବସିଥାଏ ମା’ ଙ୍କ କୃପା କଣିକାଟିଏ ପାଇବାପାଇଁ । ପୁର ନାରୀମାନେ ମୁଖ୍ୟ ଘଟ ଧାରୀଙ୍କୁ ହଳଦୀ ପାଣିରେ ଗୋଡ଼ ଧୋଇ ପୂଜାର୍ଚନା କରିଥାନ୍ତି । ବିଭିନ୍ନ ପିଠା ପଣା, ଗୁଡ଼ ମୁଆଁ, ଫଳ ପୁଷ୍ପ ଦେଇ ମା’ ଙ୍କ କୃପା ଭିକ୍ଷା କରିଥାନ୍ତି ।
ଅସ୍ଥାୟୀ ମନ୍ଦିରରେ ମା’ ଠାକୁରାଣୀଙ୍କୁ ବାଳଭୋଗ, ନବାତପଣା, ମଧ୍ୟାନରେ ଅନ୍ନ, ଡାଲମା, ଖଟା, ମହୁର ପ୍ରଭୁତି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ମାନ ପ୍ରସ୍ତୁତ କରି ଭୋଗ କରାଯାଏ , ମା’ ଙ୍କ ପ୍ରିୟ ଦହି ଅନ୍ନ ମଧ୍ୟ ଭୋଗ କରାଯାଏ । ସନ୍ଧ୍ୟା ସମୟରେ କିଛି ଶୁଖିଲା ଭୋଗ ନବାତ ପଣା ପୂଜା ହେବା ସହ ରାତ୍ରିରେ ମା’ ଙ୍କ ପାଖରେ ଅନ୍ନ ଭୋଗ କରାଯାଏ । ମୁଗ ଓ ଗୁଡ଼ ନିର୍ମିତ ଖିରି ,ମଣ୍ଡା, କାକରା, ଚନ୍ଦ୍ରକାନ୍ତି,ପୁରୀ, ଛେନା ପ୍ରସ୍ତୁତ ବିଭିନ୍ନ ମିଷ୍ଟାନ୍ନ ମଧ୍ୟ ମା’ ଙ୍କୁ ଅର୍ପଣ କରାଯାଏ । ମା’ ଠାକୁରାଣୀଙ୍କ ମାଉସୀ ଘରୁ ପୋଡ଼ପିଠା ମଧ୍ୟ ଆସିଥାଏ । ମା’ ଙ୍କ ଅସ୍ଥାୟୀ ମନ୍ଦିର ଆଗମନ ପରେ ପରେ “ଧର୍ମଝଣ୍ଡା” ଧର୍ମର ପ୍ରତିକ ରୂପେ ସ୍ଥାପନ କରାଯାଏ । ଏହି ଯାତ୍ରାର ଅନ୍ୟାନ୍ୟ ଆକର୍ଷଣ ହେଲା ବିଭିନ୍ନ ସାହି ମାନଙ୍କରେ ବିଭିନ୍ନ ଦେବଦେବୀଙ୍କ ରଥ ଓ କଳାକୁଞ୍ଜ ।ବିଭିନ୍ନ ସାହି ମାନଙ୍କରୁ ଠାକୁରାଣୀଙ୍କୁ ଆମନ୍ତ୍ରଣ ଆସିଥାଏ, ଦେବୀଙ୍କ ଉପସ୍ତୁତିରେ ରଥରେ ଥିବା ଦେବଦେବିଙ୍କର ମୁଖ ଅନାଵରଣ କରାଯାଇଥାଏ ।ଶିବା ରୁଢ଼ା କାଳି, ଜ୍ୱାଳା ମୂଖୀ, ବନଦୁର୍ଗା, କର୍ଣ୍ଣ , ବିଂଛଣା ରଥ ପ୍ରଭୁତି ଅନ୍ୟତମ । ଠାକୁରାଣୀଙ୍କ ମାନସିକ ଧାରୀମାନେ ବିଭିନ୍ନ ବେଶ ଧାରଣ କରିଥାନ୍ତି । ବାଘନାଚ ଓ ପିଲଖାଇ ଡାହାଣୀନାଚ ଏହିଯାତ୍ରାର ମୁଖ୍ୟ ଆକର୍ଷଣ ଅଟେ । ଏମିତି ଆକର୍ଷଣୀୟ ଦିବ୍ୟପରମ୍ପରା ଅନୁସାରେ ମା ମହାଦେବୀ ଅଦିଶକ୍ତିଙ୍କ ଦ୍ଵିବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବିଶ୍ୱବିଖ୍ୟାତ ବୁଢୀ ଠାକୁରାଣୀଙ୍କୁ ବହୁ ଦେଶବିଦେଶରୁ ଦର୍ଶନଭିଲାସୀ ଭକ୍ତମାନେ ଆସିଥାନ୍ତି । ଏହି ଯାତ୍ରାଟି କେବଳ ଵ୍ରହ୍ମପୁର ରପରିବେଷ୍ଟିତ ନୁହଁ ,ସମଗ୍ରବିଶ୍ୱ ପ୍ରସିଦ୍ଧ ପାରମ୍ପରିକ ଯାତ୍ରା ।

ଝିଲ୍ଲି କୁମାରୀ ସାହୁ

LEAVE A REPLY

Please enter your comment!
Please enter your name here