ଗଞ୍ଜାମ ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଫଳାଫଳ ; ଜନାର୍ଦ୍ଦନ ସଭାପତି ,ପ୍ରଦୀପ ସମ୍ପାଦକ

0
309

ବ୍ରହ୍ମପୁର (ନ୍ୟୁଜ ଏକ୍ସଟ୍ରା) ଓଡ଼ିଶାର ସର୍ବବୃହତ ଜିଲ୍ଲା ଗଞ୍ଜାମ ଓକିଲ ସଙ୍ଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ସମ୍ମାନ ଜନକ ଚାରି ପଦବୀ ମଧ୍ୟରୁ ଜନାର୍ଦ୍ଦନ ସୁବୁଦ୍ଧି ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରଦୀପ କୁମାର ବେହେରା ସମ୍ପାଦକ ଭାବେ ଏବଂ ଉପସଭାପତି ରୂପେ ବି.ଭାଗୀରଥୀ ରାଓ ତଥା ଯୁଗ୍ମ ସମ୍ପାଦକ ଭାବେ ସୁଧୀର କୁମାର ପାତ୍ର ନିର୍ବାଚିତ ହୋଇଛନ୍ତି| ରାଜ୍ୟ ବାର କାଉନସିଲର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ନିର୍ବାଚନ ମାର୍ଚ୍ଚ ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଓକିଲ ସଂଘର ମୋଟ ୧୪୬୩ ସଦସ୍ୟଙ୍କ ମଧ୍ୟରୁ ୧୧୯୩ ସଦସ୍ୟ ଭୋଟଦାନ ପ୍ରଦାନ କରି ୮୧.୫୪ ପ୍ରତିଶତ ମତଦାନ ସାବ୍ୟସ୍ତ କରିଥିଲେ। ଅପରାହ୍ନ ୩ ଟା ଠାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୭ ଟା ସମୟରେ ଫଳାଫଳ ଘୋଷଣା ହୋଇଥିଲା। ସଭାପତି ଭାବେ ନିର୍ବାଚିତ ଜନାର୍ଦ୍ଦନ ସୁବୁଦ୍ଧିଙ୍କୁ ୬୬୫ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଶିଶିର କୁମାର ପାଢୀଙ୍କୁ ୫୧୫ ଖଣ୍ଡ ଭୋଟ ମିଳିଛି। ଉପସଭାପତି ଭାବେ ବି. ଭାଗୀରଥୀ ରାଓ ୬୧୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କର ଦୁଇ ପ୍ରତିଦ୍ୱନ୍ଦୀ ଦିଲ୍ଲୀପ ୧୪୪ ଓ ହରେକୃଷ୍ଣ ୪୨୧ ଖଣ୍ଡ ଭୋଟ ପାଇଛନ୍ତି। ସମ୍ପାଦକ ଭାବେ ନିର୍ବାଚିତ ପ୍ରଦୀପ କୁମାର ବେହେରା ୭୩୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ସୁଶୀଲ କୁମାର ତ୍ରିପାଠୀଙ୍କୁ ୪୪୪ ଖଣ୍ଡ ଭୋଟ ମିଳିଛି। ସୁଧୀର କୁମାର ପାତ୍ର ୬୪୦ ଖଣ୍ଡ ଭୋଟ ପାଇ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ହେମନ୍ତଙ୍କୁ ୫୨୯ ଖଣ୍ଡ ଭୋଟ ମିଳିଛି। ନବନିର୍ବାଚିତ କର୍ମକର୍ତ୍ତା ବୃନ୍ଦ ବିଜୟୀ ଘୋଷଣା ପରେ ମା’ବୁଢ଼ୀଠାକୁରାଣୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ନିର୍ବାଚନ ଅଧିକାରୀ ଭାବେ ଅଭୟ ପଣ୍ଡା,କୁନାଲ ସାହୁ,ନୟନ ମହାପାତ୍ର ପ୍ରମୂଖ ନିର୍ବାଚନ ପରିଚାଳନା କାର୍ଯ୍ୟ ଶାନ୍ତିଶୃଙ୍ଖଳା ସହ ସମାପନ କରିଥିଲେ।

LEAVE A REPLY

Please enter your comment!
Please enter your name here