ଦୁଇ ବିଭାଗ ମଧ୍ୟରେ ସମନ୍ବୟ ର ଅଭାବ; ଅଟକି ରହିଛି ଡ୍ରେନ ନିର୍ମାଣ କାର୍ଯ୍ୟ, ସପ୍ତାହକ ମଧ୍ୟରେ ଜଣେ ମୃତ ଜଣେ ଆହତ

0
380

ମୋହନା(ନ୍ୟୁଜଏକ୍ସଟ୍ରା) ଗଜପତି ଜ଼ିଲ୍ଲା ମୋହନାଅଞ୍ଚଳ ମଧ୍ୟ ଦେଇ ଯାଇଥିବା ବିଜୟୱାଡା-ରାଞ୍ଚି କରିଡର ର ମୋହନା, ଅଡବା, ବିରିକୋଟ, ରାଇପଙ୍କା ଏବଂ ମାଣ୍ଡିମେରା ଠାରେ ରାସ୍ତା କଡରେ ଡ୍ରେନ ନିର୍ମାଣ ପାଇଁ ପ୍ରକଳ୍ପ ମଧ୍ୟରେ ପ୍ରାୟ ଦେଢ଼ କୋଟି ରୁ ଉର୍ଦ୍ଧ ଟଙ୍କା ର ବ୍ୟୟ ବରାଦ ହୋଇଛି, କିନ୍ତୁ ବିଦ୍ୟୁତ ବିଭାଗ ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ସମନ୍ୱୟ ର ଅଭାବ ରୁ ଏହି ଡ୍ରେନ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିରହିଛି l ଡ୍ରେନ ନିର୍ମାଣ କାର୍ଯ୍ୟରେ ସମସ୍ୟା ସୃଷ୍ଟି କରୁଛି ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟ, ପ୍ରାୟ ଏକ ମାସ ଧରି ମୋହନା ସହର ରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲୁରହିଛି କିନ୍ତୁ ରାସ୍ତା କଡରେ ବିଦ୍ୟୁତ ଖୁଣ୍ଟ ଗୁଡିକ ସ୍ଥାନେ ସ୍ଥାନେ ରହିଥିବା ଯୋଗୁଁ ଡ୍ରେନ ନିର୍ମାଣ କାର୍ଯ୍ୟ ସୁଚାରୁ ରୂପେ ହୋଇପାରୁନାହିଁ ଫଳରେ ବିଦ୍ୟୁତ ଖୁଣ୍ଟ ଥିବା ସ୍ଥାନ କୁ ଛାଡି ପୂର୍ତ୍ତ ବିଭାଗ ଡ୍ରେନ ନିର୍ମାଣ କାର୍ଯ୍ୟ କରୁଛି, ଏପର୍ଯ୍ୟନ୍ତ ଡ୍ରେନ ସମ୍ପୂର୍ଣ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା ଯୋଗୁଁ ଖୋଲା ଯାଇଥିବା ସ୍ଥାନ ଗୁଡିକ ରେ ଲୁହା ରଡ଼ ଏବଂ ରାସ୍ତା ପାର୍ଶ୍ଵରେ ବାଲି, ମେଟାଲ, ଗୋଡି ଆଦି କଞ୍ଚାମାଲ ପଡ଼ିରହିଛି, ଫଳରେ ଦୈନନ୍ଦିନ ଲୋକଙ୍କ ଗମନା ଗମନ ରେ ବାଧା ସୃଷ୍ଟି କରୁଛି l ଅନ୍ୟ ପଟେ କିଛି ସ୍ଥାନ ରେ ଡ୍ରେନ ନିର୍ମାଣ ପାଇଁ ଗାତ ଖୋଳାଯାଇଥିବା ବେଳେ ମୁଖ୍ୟ ବଜ଼ାର ରୁ ବିଭିନ୍ନ ସାହି ଗୁଡିକୁ ଯୋଗାଯୋଗ ବିଛିନ୍ନ ହୋଇଛି, ଲୋକେ କାଠପଟା ପକାଇ ତା ଉପରେ ଯାଆସ ହେଉଛନ୍ତି l ଅନ୍ୟପଟେ ଅର୍ଦ୍ଧନିର୍ମାଣ କାର୍ଯ୍ୟ ଯୋଗୁଁ କିଛି ଦିନ ତଳେ ଜଣେ ସ୍କୁଟି ଆରୋହୀ ବ୍ରହ୍ମପୁର ର ବାପି ପଟ୍ଟନାୟକ ଦୁର୍ଘଟଣା ରେ ଉକ୍ତ ନାଳ ରେ ପଡି ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଆହତ ହେଲେଣି, ସୋମବାର ମୋହନା ନିବାସୀ ବୁଲୁଗୌଡ଼ ଙ୍କ ପାଞ୍ଚବର୍ଷ ର ଶିଶୁପୁତ୍ର ଚନ୍ଦନ ଗୌଡ଼ ଖେଳୁଥିବା ବେଳେ ଅର୍ଦ୍ଧନିର୍ମିତ ନାଳରେ ପଡି ଶିଶୁଟିର ହାତ ଭାଙ୍ଗିଯାଇଛି, ତେଣୁ ଦୁଇ ବିଭାଗ ଅତିଶୀଘ୍ର ସମନ୍ୱୟ ରଖି କାର୍ଯ୍ୟ କରିବା ସହ ଅତିଶୀଘ୍ର ଡ୍ରେନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l ଏନେଇ ଆମେ ପ୍ରଥମେ ମୋହନା ପୂର୍ତ୍ତ ବିଭାଗ କୁ ଯାଇଥିଲୁ କିନ୍ତୁ ସେଠାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ଦେଖା ମିଳିନଥିଲା, ଖବର ନେବାରୁ ଜଣାପଡିଥିଲା ଯନ୍ତ୍ରୀ ବେଳେବେଳେ କାର୍ଯ୍ୟାଳୟ କୁ ଆସନ୍ତି, ଅନ୍ୟପଟେ ଗଜପତି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଶୋକ ଦାସ ଙ୍କ ସହ ଯୋଗାଯୋଗ କରିବାରୁ ବିଦ୍ୟୁତ ବିଭାଗ ଖୁଣ୍ଟ ସ୍ଥାନାନ୍ତର କରିବାରେ ବିଳମ୍ବ କରୁଥିବାରୁ ଡ୍ରେନ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନଥିବା ସେ କହିଛନ୍ତି, ତେବେ ସବୁ ଦୋଷ ମୁଣ୍ଡରୁ ଓଲ୍ହାଇ ଦେଇଛି ବିଦ୍ୟୁତ ବିଭାଗ ମୋହନା ବିଦ୍ୟୁତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କେ. ଚନ୍ଦ୍ରେୟା ରେଡ୍ଡୀ ଙ୍କୁ ପଚାରିବାରୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତରଣ ପ୍ରକ୍ରିୟା ବହୁ ଆଗରୁ ସରିଯାଇଥିବା ସେ କହିଛନ୍ତି l ଏଭଳି ସରକାରୀ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟ ର ଅଭାବରୁ ସମସ୍ୟା ଭୋଗୁଛନ୍ତି ସାଧାରଣ ଜନତା, ଅତିଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଡ୍ରେନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କଲେ ଲୋକେ ଉପକୃତ ହୋଇପାରିବେ l

ରିପୋର୍ଟର: (ପି ସଞୀବ ରାଓ)

LEAVE A REPLY

Please enter your comment!
Please enter your name here