ବନବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ସଭା ଓ ମାଗଣା ସ୍ୱାସ୍ଥ୍ୟ ଶିବିର

0
254

ବୁଗୁଡା(ନ୍ୟୁଜଏକ୍ସଟ୍ରା) ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ମା’ ଶାଙ୍କୁଳେଇ ପୀଠରେ ଜଙ୍ଗଲ ସୁରକ୍ଷା ପାଇଁ ଏକ ସଚେତନତା ସଭା ସହ ସୁନାକେରା ଓ କେ.ଚନ୍ଦନପେଢ଼ି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ଶିବିର ମାର୍ଚ୍ଚ ୧୪ ତାରିଖ ଦିନ ଆୟୋଜନ କରାଯାଇଥିଲା। ମା’ ଶାଙ୍କୁଳେଇ ପୀଠରେ ଅନୁଷ୍ଠିତ ଜଙ୍ଗଲ ସୁରକ୍ଷା ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ଯୋଗଦେଇ ଜଙ୍ଗଲର ବହୁମୁଖୀ ଉପକାରିତା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇ ଥିଲେ। ଜଙ୍ଗଲରେ ନିଆଁ ଲଗାଇବା ଦ୍ୱାରା ବହୁ ମୂଲ୍ୟବାନ ଓ ଔଷଧିୟ ବୃନ୍ଦଲତା ନଷ୍ଟ ହେବା ଦ୍ୱାରା ମାନବ ସମାଜ ପାଇଁ ବହୁତ କ୍ଷତି କାରକ ହେଉଥିବା ବେଳେ ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଗୁରୁଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବନବିଭାଗ ପକ୍ଷରୁ ପୁରସ୍କୃତ ହୋଇଥିବା ପୂର୍ବତନ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ଏସିଏଫ ପ୍ରଭାକର ନାୟକ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ବାଲିପଦର ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ ଥିବା ବେଳେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଜଙ୍ଗଲ ସୁରକ୍ଷା ନେଇ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ଜଙ୍ଗଲରେ ଅଗ୍ନି ସଂଯୋଗ କଲେ ସାତ ବର୍ଷ ଜେଲ ଓ ଦଶ ହଜାର ଟଙ୍କା ଜରିମାନା ଦେବାକୁ ଆଇନ ବ୍ୟବସ୍ଥା ଥିବା ପ୍ରକାଶ କରିଥିଲେ। ଅନ୍ୟ ଏକ କାର୍ଯ୍ୟକ୍ରମ ମଧ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ସୁନାକେରା ଓ କେ.ଚନ୍ଦନପେଢ଼ି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ମାଣିତରା ମେଡ଼ିକାଲର ଡାକ୍ତର ଦୟାନିଧି ରାଉତ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ କରିଥିଲେ। ଏହି ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଡିଏଫଓ ଶ୍ରୀ ବେହୁରା, ଏସିଏଫ ଶ୍ରୀ ନାୟକ ଓ ରେଞ୍ଜର ଶ୍ରୀ ବେହେରା ଯୋଗଦେଇଥିବା ବେଳେ ଉଭୟ କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here