ମା ତାରା ତାରିଣୀଙ୍କ ଚୈତ୍ରମେଳା ସକାଶେ ପ୍ରସ୍ତୁତି ବୈଠକ;କେବଳ ଗଞ୍ଜାମ ଜିଲ୍ଲାବାସୀ ମା ଙ୍କର ଦର୍ଶନ ପାଇ ପାରିବେ

0
262

ଛତ୍ରପୁର(ନ୍ୟୁଜ ଏକ୍ସଟ୍ରା)ବିଗତ ବର୍ଷ କୋଭିଡ୍ କଟକଣା ଯୋଗୁଁ ମା ତାରାତାରିଣୀଙ୍କ ଦୁଇଟି ଚୈତ୍ର ମେଳା ଭକ୍ତଙ୍କ ପାଇଁ ହୋଇ ପାରିଥିଲା । କିନ୍ତୁ ଅନ୍ୟ ପାଳି ଗୁଡିକ ମା ଙ୍କର ବିଧି ବିଧାନ ଅନୁଯାୟୀ ବିନା ଭକ୍ତରେ ଆୟୋଜନ ହୋଇଥିଲା । ମା ଙ୍କର କୃପା ଏବଂ ଆଶୀର୍ବାଦ ଯୋଗୁଁ କରୋନା କବଳରୁ ଜିଲ୍ଲା ବର୍ତ୍ତମାନ ଭଲ ସ୍ଥିଚିରେ ପହଞ୍ଚିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଜଣାଇଥିଲେ । ଗତ କାଲି ଜାଗର ମେଳା ନିମନ୍ତେ ବ୍ରହ୍ମପୁର ରାମଲିଙ୍ଗେଶ୍ବର ମନ୍ଦିର ନିକଟରେ କୋଭିଡ୍ କଟକଣା ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଯେଉଁ ଭଳି ଭାବେ ଭଜନ ସମୋରେହ କେବଳ ଜିଲ୍ଲାବାସୀଙ୍କୁ ନେଇ ଆୟୋଜିତ ହୋଇଥିଲା ଠିକ୍ ସେହିପରି ମା ଙ୍କର ଚୈତ୍ର ପର୍ବ ପାଳନ କରାଯିବ । ଚଳିତ ବର୍ଷର ମେଳା ପର୍ବ ସମୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଥିବା ହେତୁ ଭକ୍ତଗଣ କିଭଳି ବିନା ଦ୍ବିଧାରେ କୋଭିଡ୍ ନିୟମ ଅନୁପାଳନ କରି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାକିଣୀଙ୍କ ଦର୍ଶନ କରିପାରିବେ ସେଥିସକାଶେ ସମସ୍ତ ବ୍ୟବସ୍ଥା ପ୍ରଶାସନ ତରଫରୁ ଗ୍ରହଣ କରାଯିବ । ଯେଉଁମାନେ କୋଭିଡ୍ ର ଦୁଇଟି ଟିକା ନେଇ ନାହାନ୍ତି ସେମାନେ ସତର୍କତା ପୂର୍ବକ ମେଳାକୁ ଆସିବାକୁ କୁହାଯାଇଛି । କେବଳ ଜିଲ୍ଲାବାସୀଗଣ ମା ଙ୍କର ଦର୍ଶନ କରିପାରିବେ । ଜିଲ୍ଲା ବାହାରୁ କି ଅନ୍ୟ ରାଜ୍ୟର ଭକ୍ତଙ୍କ ନିମନ୍ତେ କଟକଣା ଜାରି କରାଯାଇଛି । ମହାରାଷ୍ଟ୍ର କି ଅନ୍ୟରାଜ୍ୟର ବ୍ୟକ୍ତି ମେଳାକୁ ଆସି ସଂକ୍ରମଣ ବୃଦ୍ଧି ନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯେଉଁ ଭକ୍ତଗଣ ମା ଙ୍କର ଦର୍ଶନ କରିବାକୁ ଆସୁଛନ୍ତି ସେମାନେ କୋଭିଡ୍ ନିୟମ ଅନୁପାଳନ କରି ଠିକ୍ ରୂପେ ମାସ୍କ ପରିଧାନ, ସାନିଟାଇଜେସନ୍, ହାତ ଧୋଇବା ଇତ୍ୟାଦି କରି ଦର୍ଶନ କରିବାକୁ ଆସନ୍ତୁ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ମନ୍ଦିର ମଧ୍ୟକୁ ପର୍ଯ୍ୟାୟ କ୍ରମେ ଧାଡି ବାନ୍ଧି ମା ଙ୍କର ଦର୍ଶନ କରିପାରିବେ । ଥର୍ମାଲ ସ୍କ୍ରିନିଂ, ଅକ୍ସି ମିଟର ଓ ଆବଶ୍ୟକ ସ୍ଥଳେ ଆଣ୍ଟିଜେନ୍ ପରୀକ୍ଷା କରାଯିବ । ପ୍ରତି ଯାତ୍ରା ପୂର୍ବରୁ ସେବାୟତ ମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଂଚ୍ ଓ କୋଭିଡ୍ ପରୀକ୍ଷା କରାଯିବ । ମନ୍ଦିର ଉପରବେଢାରେ କୌଣସି ବ୍ୟକ୍ତି ବସିବେ ନାହିଁ କି ଗହଳି କରିବେ ନାହିଁ । ଉପର ବେଢାରେ ଖାଦ୍ୟ ବଣ୍ଟନ ଓ ଖାଇବା ବନ୍ଦ କରାଯାଇଛି । ଗୁଟଖା ସେବନ ଓ ପାନଛେପକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ମନ୍ଦିର ତଳ ସ୍ଥାନରେ ଭକ୍ତଗଣ ମୁଣ୍ଡନ କରିପାରିବେ । ମୁଣ୍ଡନ କରୁଥିବା ବ୍ୟକ୍ତି ବିଶେଷ ଙ୍କ ବୟସ ୬୦ରୁ ଉର୍ଦ୍ଧ୍ବ ହେବ ନାହିଁ ଓ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯାଇ ଅନୁମତି ପ୍ରଦାନ କରାଯିବ । କୌଣସି ଖାଇବା ଖାଦ୍ୟ ମନ୍ଦିର ଉପରେ ବିକ୍ରି କରାଯିବ ନାହିଁ କିମ୍ବା ଖାଦ୍ୟ ପରିବେଷଣ ହେବ ନାହିଁ । ଯାନ ବାହନ ରଖିବା ସ୍ଥାନରେ ଯାନବାହନ ଗୁଡିକ ରଖାଯିବ, ବସ୍ ଷ୍ଟାଣ୍ଡରେ ବସ୍ ରହିବ, ମନ୍ଦିରକୁ ଯିବାକୁ ବ୍ୟବସ୍ଥା କରାଯାଇଥିବା ବସ୍ ରେ ଯାତ୍ରୀ ମାନେ ନିର୍ଦ୍ଧାରୀତ ବସ୍ ଭଡା ଦେଇ ଘାଟି ରାସ୍ତାରେ ମନ୍ଦିର ନିକଟକୁ ଯାଇ ପାରିବେ । ଘାଟି ରାସ୍ତା ଦେଇ ଚାଲିଚାଲି ଭକ୍ତଙ୍କ ଯିବାକୁ ବାରଣ କରାଯାଇଛି । ରୋପ୍ ଓ୍ବେ ଓ ପାହାଚ ରାସ୍ତା ଦେଇ ଯାତ୍ରୀମାନେ ଉପରକୁ ଚଢିପାରିବେ । ପୋଲିସ୍ ବିଭାଗ ତରଫରୁ ଭକ୍ତଙ୍କ ଦର୍ଶନ ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ । ମନ୍ଦିର ବେଢାରେ ଭକ୍ତଗଣ ଯେପରି ଖରାଦାଉରୁ ରକ୍ଷାପାଇବେ ସେଥି ସକାଶେ ଛାଇ ଓ ମ୍ୟାଟ୍ ର ବ୍ୟବସ୍ଥା ହେବ । ସ୍ଥାନେ ସ୍ଥାନେ ପାନୀୟ ଜଳଯୋଗାଣ କରାଯିବ । ତାରାତାରିଣୀ ଚତୁପାର୍ଶ୍ବରେ ଜରିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଏଥି ସକାଶେ ଦୋକାନ ଗୁଡିକୁ ଚଢାଉ କରାଯାଇ ଜିରୋ ପ୍ଲାଷ୍ଟିକ୍ ଯେପରି ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ । ଦୋକାନୀମାନେ କୋଭିଡ୍ ନିୟମ ଅନୁଯାୟୀ ଦୋକାନ ସମ୍ମୁଖର ୫ ମି. ନିଜେ ସଫାସୁତୁରା ରଖିବେ । ସଫେଇ କାର୍ଯ୍ୟ, ଜୋତା ଷ୍ଟାଣ୍ଡ,ଶୌଚାଳୟ, ଆଲୁଅ ବ୍ୟବସ୍ଥା, ନଡିଆ ଭାଙ୍ଗିବା ସ୍ଥାନ ଇତ୍ୟାଦି ବିଷୟ ନେଇ ଆଲୋଚନା ହୋଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ନଦୀ ଅଞ୍ଚଳରେ ଅସ୍ଥାୟୀ ସେବା କେନ୍ଦ୍ର ସ୍ଥାପନ ହେବ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ଉନ୍ନୟନ ସଚିବ ସମ୍ବିତ ରାଉତ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଠାକୁର ପ୍ରସାଦ ପାତ୍ର, ଡି.ଏସ୍.ପି. ଅଜୟ କୁମାର ମିଶ୍ର, ମନ୍ଦିର ଟ୍ରଷ୍ଟ ବୋର୍ଡର ସଭ୍ୟ ତଥା ତାରାତାରିଣୀ ଉନ୍ନୟନ ପରିଷଦର ସଂପାଦକ ପ୍ରମୋଦ କୁମାର ପଣ୍ଡା, ପୁରୁଷୋତ୍ତମପୁର ତହସିଲଦାର, ମୁଖ୍ୟପୂଜକ ବାପୁଜୀ ରଣା ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ସଭ୍ୟ ଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here