ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ୪ର୍ଥ ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ।

0
719

ବ୍ରହ୍ମପୁର,୧୩/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ଉଦ୍ଧିଷ୍ଟ ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ୪ର୍ଥ ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ୨୦୧୪ ମସିହାରେ ତୃତୀୟ ବୈଠକ ହୋଇଥିବା ବେଳେ ଦୀର୍ଘ ୫ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି ଆପାଙ୍ଗ ଆଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗୋ, ଗଜପତି ଜିଲ୍ଲାପାଳ ଅନୁପମ ସାହ, ଗଜପତି ଏସ ପି ସାରା ଶର୍ମା, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠିଙ୍କ ସମେତ ବିସ୍ଥାପିତ ହେବାକୁଥିବା ଗ୍ରାମବାସୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

୧୯୯୯ ମସିହାରୁ ଆରମ୍ଭ ହୋଇଥିବା ଏହି ଛେଳିଗଡ ପ୍ରକଳ୍ପର ବ୍ୟୟ ଅଟକଳ ପ୍ରାୟ ୫୩କୋଟି ଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୭୦୬କୋଟିରେ ପହଂଚିସାରିଛି। ପ୍ରକଳ୍ପ ହେଲେ ଗଜପତି ଜିଲ୍ଲାର ଆର ଉଦୟଗିରି ବ୍ଲକର ୫ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବାକୁ ଥିବାବେଳେ ଅଧିକ ୧୦ଟି ଗାଁ ପ୍ରଭାବିତ ହେବ। ଯାହା ଫଳରେ ମୋଟ ୫୨୦ଟି ପରିବାରକୁ ବିସ୍ଥାପିତ ହେବାକୁ ପଡିବ। ବିସ୍ଥାପିତ ପରିବାରଙ୍କ ପାଇଁ ଗଂଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକରେ ଜମି ଚିହ୍ନଟ କରାଯାଇଛି।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଗଞ୍ଜାମ ଜିଲ୍ଲାର ୩ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବା ସହ ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ହୋଇପାରିବ। ପୁଣି ୨୨କିଲୋ ମେଗାୱାଟର ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇପାରିବ।ସେହିଭଳି ଗଜପତି ଜିଲ୍ଲାର ମୋଟ ୫ଶହ ହେକ୍ଟର ଚାଷଜମି ମଧ୍ୟ ଜଳସେଚିତ ହୋଇପାରିବ। ତେବେ ବିସ୍ଥାପିତ ପରିବାରଙ୍କ ସମସ୍ୟାର ସମାଧାନ ଓ ଦାବି ପୂରଣ ନହେଲେ ଜମି ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆଗକୁ କାଳକ୍ଷେପଣ ନକରି କିଭଳି ଲୋକଙ୍କ ସମର୍ଥନ ଓ ସହଯୋଗରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ସେଥିପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ୫ବର୍ଷ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଶେଷକରିବା ପାଇଁ ଯୋଜନା ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here