ଆଜି ଶ୍ରାବଣ ମାସର ଶେଷ ସୋମବାର;ଜଳ ଲାଗି ପାଇଁ ବ୍ରହ୍ମପୁରର ବିଭିନ୍ନ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ

0
693

ବ୍ରହ୍ମପୁର ୧୨/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର | ଗଂଜାମ ଜିଲ୍ଲାର ବିଭିନ୍ନ ଶୈବ ପୀଠ ଚଳଚଂଚଳ ହୋଇଉଠିଛି ଓ କାଉଡିଆଙ୍କ ପ୍ରବଳ ଭିଡ ଜମିଛି | ବହୁ ଭକ୍ତଙ୍କ ସମାଗମ ସହ କାଉଡିଆମାନେ ମଧ୍ୟ ଶିବ ଦର୍ଶନ ପାଇଁ ପହଞ୍ଚିଥିଲେ | ବ୍ରହ୍ମପୁରର ସମସ୍ତ ଶୈବପୀଠ ବଡି ଭୋରରୁ ଖୋଲାଯାଇ ନୀତିକାନ୍ତି କରିବା ପରେ ଜଳ ଲାଗି କରିବା ପାଇଁ ଦୂରଦୂରାନ୍ତରୁ ଆସୁଥିବା କାଉଡିଆମାନଙ୍କ ସମାଗମ ହୋଇଥିଲା | ଏହାକୁ ଦୃଷ୍ଟିରେ ରଖି ଭକ୍ତ ଓ କାଉଡିଆମାନଙ୍କ ସୁବିଧା ପାଇଁ ସମସ୍ତ ମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି |

ମାନ୍ୟତା ରହିଛିଯେ ଶ୍ରାବଣ ଶେଷ ସୋମବାରରେ ଜଳ ଲାଗି କଲେ କୋଟି ଜନ୍ମର ପୁଣ୍ୟ ମିଳେ ଓ ମନସ୍କାମନା ମଧ୍ୟ ପୁର୍ଣ ହୁଏ | ବ୍ରହ୍ମପୁର ସହରରେ ଏକ ପୁରାତନ ଶିବ ମନ୍ଦିର ହେଉଛି ଗୋଖାଣ୍ଣେଶ୍ୱର ମନ୍ଦିର,ଏହି ମନ୍ଦିର ଆଜି ଭୋର ୩ଟାରୁ ଖୋଲାଯାଇଥିଲା | ଏଠାକୁ କେବଳ ବ୍ରହ୍ମପୁର ସହର ନୁହେଁ ଏହାର ଆଖପାଖ ଅଂଚଳରୁ ବହୁ ନାରୀ,ପୁରୁଷ ଓ ପିଲାମାନେ ମଧ୍ୟ ଜଳ ଲାଗି କରିବାକୁ ଆସିଥିଲେ | ପୂର୍ବେ କେବଳ କାର୍ତ୍ତିକ ଏବଂ ମାଘ ମାସ ସୋମବାରରେ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରାଯାଉଥିଲା | କିନ୍ତୁ ବର୍ତ୍ତମାନ ଶ୍ରାବଣ ସୋମବାରର ମହତ୍ୱ ମଧ୍ୟ ଢେର ବଢିଚାଲିଛି | ବହୁ ସଂଖ୍ୟାରେ ଭକ୍ତଗଣ ଆଷାଢ଼ ପୂର୍ଣ୍ଣିମା ଠାରୁ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ନିୟମ ମାନି ଚଳିବା ସହ ପ୍ରତ୍ୟେକ ସୋମବାରରେ ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରନ୍ତି | କେବଳ ବ୍ରହ୍ମପୁର ନୁହେଁ ରାଜ୍ୟରେ ବିଭିନ୍ନ ଶୈବ ପୀଠରେ ଶ୍ରାବଣ ସୋମବାରଗୁଡ଼ିକରେ ଭକ୍ତ ଓ କାଉଡିଆମାନଙ୍କର ପ୍ରବଳ ଭିଡ ଜମୁଛି |

LEAVE A REPLY

Please enter your comment!
Please enter your name here