ସୁନା ଅଳଙ୍କାର ଚୋରି ରାକେଟର ପର୍ଦ୍ଦାଫାସ, ୩୦୯ ଗ୍ରାମ ସୁନା ଜବତ ସହ ୭ ଗିରଫ

0
390

କବିସୂର୍ଯ୍ୟନଗର(ଜଗନ୍ନାଥ ସାହୁ) ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ସୁନା ଗହଣା ଲୁଟ ହୋଇଥିବା ଘଟଣାର ଖୁଲାସା କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ରବିବାର କବିସୂର୍ଯ୍ୟନଗର ଥାନା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ରାକେଟର ପର୍ଦ୍ଦାଫାସ କରିଛନ୍ତି ଗଂଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ। ଉପଖଣ୍ଡ ପୋଲିସ୍ ଅଧିକାରୀ, କବିସୂର୍ଯ୍ୟନଗର ଥାନା ଅଧିକାରୀ, ପୋଲସରା ଥାନା ଅଧିକାରୀ ମିଳିତ ଭାବେ ଛାନଭିନ୍ କରିବା ପରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୦୯ ଗ୍ରାମର ସୁନା ଅଳଙ୍କାର, ୭ ଟି ମୋବାଇଲ ଓ ଚୋରୀ ପାଇଁ ବ୍ଯବହୃତ ସାମଗ୍ରୀ ଜବତ କରାଯାଇଛି। ଏହି ୭ ଅଭିଯୁକ୍ତ ମାନେ ହେଲେ ଆସିକା ଅଞ୍ଚଳର କି. ଗୁରୁଦେବ, କି. ଜଳନ୍ଧର, କି. ରମେଶ, କି. ଧର୍ମେନ୍ଦ୍ର, ସୋରଡ଼ା ଅଞ୍ଚଳର ଟୁକୁନା ପାତ୍ର, ରାଜା ପାତ୍ର ଏବଂ ଶେରଗଡ଼ ଅଞ୍ଚଳର କୁରେଶ ଡାକୁଆ। ଏ ସମସ୍ତ ଅଭିଯୁକ୍ତଙ୍କ ନାମରେ କବିସୂର୍ଯ୍ୟନଗର, ପୋଲସରା, ଓ ହିଞ୍ଜିଳି ଥାନାରେ ଏକାଧିକ ଚୋରୀ ମାମଲା ରହିଥିବା ନେଇ ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ମାନେ ମହୁ ବିକ୍ରି କରିବା ବାହାନାରେ ବିଭିନ୍ନ ଘରକୁ ଟାର୍ଗେଟ କରି ସିନ୍ଧିକାଠି ପରି ଏକ ଲୁହାରଡ ରେ କବାଟ ଭାଙ୍ଗି ଚୋରି କରିଥାନ୍ତି। ପୁରୁଷୋତ୍ତମପୁର ଏସ.ଡି.ପି.ଓ ଅଧ୍ଯକ୍ଷତାରେ ପୋଲସରା ଓ କବିସୂର୍ଯ୍ୟନଗର ପୋଲିସ ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ସହ ଏହି ଚୋରୀ ରାକେଟର ପର୍ଦ୍ଦାଫାସ କରାଯାଇଛି।

LEAVE A REPLY

Please enter your comment!
Please enter your name here