କର୍ପୋରେଟ ସପକ୍ଷ କୃଷି ନୀତି କୁ ପ୍ରତ୍ୟାହାର କରିବା ପାଇଁ ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାର ର ଶୋଭାଯାତ୍ରା ଓ ଗଣବିକ୍ଷୋଭ

0
282

ବ୍ରହ୍ମପୁର() ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଟାଟା ବେଞ୍ଜ ଛକ ଠାରୁ ଏକ କୃଷକ, ଶ୍ରମିକ ଓ ଆଦିବାସୀ ମାନଙ୍କର ଏକ ଲାଲ ପଟୁଆର ସହର ପରିକ୍ରମା କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରି ଐତିହାସିକ କୃଷକ ଆନ୍ଦୋଳନକୁ ସମର୍ଥନ ପ୍ରଦାନ କରିବା ସହ କର୍ପୋରେଟ ସପକ୍ଷବାଦୀ ତଥା କୃଷକ ଓ ଖାଉଟି ର ସର୍ବନାଶ କରିବା ପାଇଁ ଉଦ୍ଦିଷ୍ଟ ୩ଟି କଳା କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ଙ୍କୁ ଆରଡିସି ଙ୍କ ଜରିଆରେ ପ୍ରଦାନ କରାଯାଇଛି । ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ନିଜ ବକ୍ତବ୍ୟ ରଖିଥିଲେ ଯେ
ଚାଷୀମାନଙ୍କର ଦାବୀ ହେଉଛି ଯେ ସରକାର ନିକଟରେ ଆଣିଥିବା ତିନି କୃଷି ଆଇନ୍‌କୁ ରଦ୍ଦ କରନ୍ତୁ ଏବଂ କୃଷିଜାତ ସମସ୍ତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟକୁ ସୁନିଶ୍ଚିତ କରିବା ପାଇଁ ଏକ ଆଇନ୍ ଆଣନ୍ତୁ । ଅନ୍ୟ ପକ୍ଷରେ ସରକାର ବଡ ବଡ କର୍ପୋରେଟଙ୍କ ସ୍ୱାର୍ଥରେ ଏହି ସବୁ ଆଇନ୍ ଆଣିଛନ୍ତି । ଯଦି ଏହି ଆଇନ କାର୍ଯ୍ୟକାରୀ ହୁଏ ତେବେ କ୍ରମଶଃ ଦେଶର କୃଷି ଓ ଖାଦ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ କର୍ପୋରେଟ ବ୍ୟବସାୟୀଙ୍କ ହାତକୁ ଚାଲିଯିବ । ଏହାଦ୍ୱାରା କର୍ପୋରେଟଙ୍କ ଲାଭ ପାଇଁ ଉଭୟ ଚାଷୀ ଓ ଖାଉଟି ତଳିତଳାନ୍ତ ହୋଇଯିବେ। କ୍ରମଶଃ କୃଷି ଉପରେ ନିର୍ଭର କରୁଥିବା ବ୍ୟାପକ ଜନଗଣ ନିଜର ଜୀବିକା ଓ ସେମାନଙ୍କର ଜମି କମ୍ପାନୀ ହାତରେ ହରାଇବେ । ଅନ୍ୟ ପକ୍ଷରେ ଥରେ ଖାଦ୍ୟ ଶସ୍ୟର ବିତରଣ କର୍ପୋରେଟ ହାତକୁ ଚାଲିଗଲେ ଏହାର ଦାମ ଏତେ ବଢିଯିବ ଯେ ସାଧାରଣ ଖାଉଟି ଦାନା ମୁଠେ ଖାଇବାକୁ ପାଇବ ନାହିଁ। ଆଜି ସର୍ବନିମ୍ନ ମୂଲ୍ୟରେ ଖାଦ୍ୟ ଶସ୍ୟର ସରକାରୀ ବଣ୍ଟନ (ରେସନ ବ୍ୟବସ୍ଥା) ମଧ୍ୟ କ୍ରମଶଃ ଲୋପ ପାଇଯିବ । ଗରୀବଙ୍କ ପାଇଁ ଚାଲିଥିବା ୧ ଟଙ୍କାରେ କିଲେ ଚାଉଳ ଯୋଜନା ବନ୍ଦ ହୋଇଯିବ।
ଟାଟା ଏବଂ ଆଇ ଆର ଇ କମ୍ପାନୀ ଯେପରି ପରିବେଶ ଧ୍ବଂସ କରିବା ସହ ଜମି ଛଡାଇ ନେଇ ବରବାଦ କରୁଛି । ସେପରି କର୍ପୋରେଟ ବ୍ୟବସାୟୀ ମଧ୍ୟ ଦେଶକୁ ବରବାଦ କରି ଆମକୁ ଗୋତି ଶ୍ରମିକରେ ପରିଣତ କରିଦେବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କୃଷି ଓ ଖାଦ୍ୟ ଆମ ଜୀବନ ନାଟୀକା । ସେଥିପାଇଁ ଆଜିର କୃଷକ କେବଳ ପ୍ରତିବାଦ ଆନ୍ଦୋଳନ କରୁନାହିଁ ବରଂ ଏକ ଜୀବନ-ମରଣର ସଂଗ୍ରାମ ଲଢୁଛି । ଏହାକୁ ସାହାଯ୍ୟ ସହଯୋଗ କରିବା ଏବଂ ଏଥିରେ ସାମିଲ ହେବା ଆମ ସମସ୍ତଙ୍କର ବଞ୍ଚିବାର ଅଧିକାର ପାଇଁ ଲଢେଇ କରିବା ସହିତ ସମାନ ବୋଲି ଜୀବନ, ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚର ଉପଦେଷ୍ଟା ଅବନୀ ଗୟା ପ୍ରକାଶ କରିଥିଲେ । କର୍ପୋରେଟର ଲୋଲୁପ ଦୃଷ୍ଟିରୁ ରକ୍ଷା କରିବା ପାଇଁ କୃଷିର କର୍ପୋରେଟୀକରଣକୁ ପରାସ୍ତ କରିବା ଆବଶ୍ୟକ ବୋଲି ଆଦିବାସୀ ନେତା ଟୁନା ମଲ୍ଲିକ ଦୃଢ ମତ ଉପସ୍ଥାପନ କରିଥିଲେ । ଏହା ସହ ଧାନ କୁଇଣ୍ଟାଲ ପ୍ରତି ତିନି ହଜାର ଟଙ୍କା କରିବା, ମଣ୍ଡିକୁ ସଂପ୍ରସାରଣ, ସୁଦୃଢ଼ ଏବଂ ସୁରକ୍ଷିତ କରିବା, ଓଡିଶା ବିଧାନସଭା ର ମୌସୁମୀ ଅଧିବେଶନ ରେ କୃଷି ସଂପର୍କୀୟ ଅଧ୍ୟାଦେଶକୁ ପ୍ରତ୍ୟାହାର କରିବା, ଭାଗଚାଷୀ ଓ କୃଷି ଶ୍ରମିକଙ୍କ ସ୍ବାର୍ଥ ରକ୍ଷା କରିବା ପାଇଁ ବ୍ୟାପକ ଆଇନ ପ୍ରଣୟନ କରିବା ପାଇଁ ଗଣବିକ୍ଷୋଭ ରେ ଚାଷୀ ନେତାମାନେ ଦାବି ଉପସ୍ଥାପନ କରିଥିଲେ । ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ଜୀବନ ଜୀବିକା ଓ ପରିବେଶ ସୁରକ୍ଷା ମଞ୍ଚର ଉପଦେଷ୍ଟା ଅବନୀ ଗୟା, ଆବାହକ ଗୁରୁଦେବ ବେହେରା, ଉଦୟ ପ୍ରଧାନ, ଆଦିବାସୀ ଭାରତ ମହାସଭା ର ରାଜ୍ୟ ଆବାହକ ଟୁନା ମଲ୍ଲିକ, ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, କ୍ରାନ୍ତିକାରୀ କୃଷକ ସଭା ର ଜିଲ୍ଲା ନେତ୍ରୀ ପି ପାର୍ବତୀ, ଲଲିତା ସ୍ବାଇଁ, ତ୍ରିନାଥ ମଲ୍ଲିକ, ଦଣ୍ଡପାଣି ଜାନି, ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ପି. ଯୋଗେନ୍ଦ୍ର, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ଜିଲ୍ଲା ସଭାପତି ରାମଚନ୍ଦ୍ର ବାଡତ୍ୟା, ମହେଶ୍ୱରୀ ଦାଶ, ଟୁନା ଗୈାଡ, ମନରେଗା ଶ୍ରମିକ ୟୁନିଅନର ଲକ୍ଷ୍ମୀ ନାୟକ, ସଂଯୁକ୍ତା ନାୟକ, ଇନ୍ଦୁ ପ୍ରଧାନ ଆଦି ନେତୃତ୍ୱ ସାମିଲ ହୋଇ ସମର୍ଥନ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here