ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ପ୍ରଶଂସା

0
255

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ବିଗତ ବର୍ଷ ମାନଙ୍କରେ ଜାତୀୟ ପ୍ରଶମନ ଦିବସ ଅକ୍ଟୋବର ୨୯ ତାରିଖ ଦିନ ପାଳନ କରାଯାଇ ଆସୁଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ୍ – ୧୯ କଟକଣା ଯୋଗୁଁ ଏହି ଦିବସ ସମଗ୍ର ରାଜ୍ୟରେ ପାଳନ କରାଯାଇ ନାହିଁ । ସେହି ହେତୁ ଆଜି ଏକ ଭିଡିଓ କନଫରେନ୍ସିଂ ଜରିଆରେ ଓସଡମାର ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ରିଲିଫ୍ କମିଶନର୍ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ ମାନଙ୍କୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ଶ୍ରୀ ଜେନା ଜଣାଇଥିଲେଯେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟ ସ୍ତରରେ ଯେଉଁ ସବୁ ଯୋଜନା ମାନ ପ୍ରଣୟନ କରି ଜାରି କରାଯାଉଛି ସେଗୁଡିକ ଜିଲ୍ଲା ସ୍ତରରେ ଅତି ସୁନ୍ଦର ଭାବେ ପ୍ରାକୃତିକ ବିପର୍ଯ୍ୟୟର
ପରିଚାଳନା କରାଯାଇ ଜିରୋ କାଜୁଆଲିଟି ସ୍ଥିତିକୁ ଅଣାଯାଇପାରୁଛି । ଏଣୁ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଏଥି ସହିତ ସଂପୃକ୍ତ ଥିବା ସମସ୍ତ ଅଧିକାରୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ବିପର୍ଯ୍ୟୟ ମୁକାବିଲା ଦିଗରେ ଅର୍ଥର କୌଣସି ବାଧକ ନାହିଁ ଓ ଆଗାମୀ ଦିନରେ ନୂତନ ବୈଷୟିକ ଜ୍ଞାନ କୌଶଳ ବଳରେ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ରାଜ୍ୟକୁ ସୁଦୃଢ କରିବା ଯୋଜନା ଚାଲୁ ରହିଛି ।
ଗଞ୍ଜାମ ଜିଲ୍ଲାରେ ୧୯୯୦, ୧୯୯୫,୨୦୦୩,୨୦୦୬,୨୦୦୭,୨୦୦୮,୨୦୦୯ ମସିହାରେ ହୋଇଥିବା ବନ୍ୟା, ୧୯୯୬, ୨୦୦୨, ୨୦୦୯, ୨୦୧୧, ୨୦୧୫ ମସିହାରେ ଅନାବୃଷ୍ଟି ବା ମରୁଡି, ୧୯୯୯ ମସିହାରେ ଘୂର୍ଣ୍ଣିବାତ୍ୟା, ୨୦୧୦ ମସିହାର ଅସମୟରେ ହୋଇଥିବା ଅତ୍ୟଧିକ ଘୂର୍ଣ୍ଣିବାତ୍ୟା, ୨୦୧୨ ମସିହାରେ ଧୋଇନେଇଥିବା ବନ୍ୟା, ୨୦୧୩ ମସିହା ଅକ୍ଟୋବର ୧୩ ତାରିଖରେ ଘଟିଥିବା ଅତ୍ୟଧିକ ଘୂର୍ଣ୍ଣିବାତ୍ୟା ଫାଇଲିନ୍, ୧୯୧୪ ମସିହାରେ ଅତ୍ୟଧିକ ଘୂର୍ଣ୍ଣିବାତ୍ୟା ହୁଡହୁଡ୍, ୨୦୧୯ ମେ ମାସରେ ହୋଇଥିବା ଫନି କୁ ମନେ ପକାଇ ଏହାର ମୁକାବିଲା କିଭଳି କରାଯାଇଥିଲା ସେ ସମ୍ପର୍କରେ ଆଜିର ଦିବସରେ ଆଲୋକପାତ କରିବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଅବଗତ କରାଇଥିଲେ ।
ଏହି ବୈଠକରେ ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here