ଗାଙ୍ଗପୁରରେ ଦ୍ଵିତୀବାହନ ଓଷା ପାଳନ

0
314

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରେ ପୁଅ ଜୀଉଂତିଆ ପର୍ବ ବା ଦ୍ଵିତୀ ବାହନ ଓଷା ପାଳିତ ହୋଇଯାଇଛି I ପ୍ରତି ବର୍ଷ ଆଶ୍ଵିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ I ଏହି ଦିନ ସନ୍ଧ୍ୟାରେ ଗ୍ରାମର ମହିଳା ମାନେ ଗାଆଁର ପୂଜା ମଣ୍ଡପ ନିକଟରେ ଏକତ୍ରିତ ହୋଇ ନିଜ ସନ୍ତାନର ମଙ୍ଗଳ ମନାସି ବ୍ରତ କରିଥାନ୍ତି I ନିଜ ପୁଅ ଝିଅର ମଙ୍ଗଳ ପାଇଁ ମହିଳା ମାନେ ସାରା ଦିନ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ନଡ଼ିଆ, ମୂଳା,ଆଖୁ, ବିଭିନ୍ନ କିସମର ମଞ୍ଜି ସହ ବିଭିନ୍ନ ପାଚିଲା ଫଳ ଧରି ପୂଜା ସ୍ଥଳୀକୁ ଆସନ୍ତି I ଆଖୁ ଏବଂ ଶାଢୀରେ ତିଆରି କୁଞ୍ଜ ମଧ୍ୟରେ ଠାକୁରଙ୍କ ଆସ୍ଥାନ କରାଯାଇ ପୁରୋହିତ ବ୍ରତ କଥା ପଢି ମହିଳାମାନଙ୍କୁ ଶୁଣାଇଥାନ୍ତି I ପରଦିନ ସକାଳୁ ମହିଳାମାନେ ଠାକୁରଙ୍କୁ ନେଇ ନିକଟ ଜଳ ଧାରରେ ବିସର୍ଜନ କରି ବୁଡ ପକାଇଥାନ୍ତି I ସେହି ଦିନ ହିଁ ପୂଜାରେ ବ୍ୟବହାର ହୋଇଥିବା ବିଭିନ୍ନ ମଞ୍ଜି, ନଡ଼ିଆ, ପରିବା ପକାଇ ଦ୍ଵିତୀୟା ଘାଣ୍ଟ ପ୍ରସ୍ତୁତ କରି ସାହିରେ ପ୍ରସାଦ ଭାବରେ ବାଣ୍ଟିଥାନ୍ତି I ବିନା ପିଆଜ ରସୁଣରେ ପ୍ରସ୍ତୁତ ଏହି ଦ୍ଵିତୀୟା ଘାଣ୍ଟର ମହତ୍ତ୍ଵ ଓ ସ୍ୱାଦ ନିଆରା I ଧୀରେ ଧୀରେ ଏହି ପରମ୍ପରା ଲୋପ ପାଇବାକୁ ବସିଥିବା ବେଳେ ଗାଙ୍ଗପୁର ଗ୍ରାମର ମହିଳାମାନେ କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରାକୁ ବଜାୟ ରଖିଛନ୍ତି I ଚଳିତ ବର୍ଷ କରୋନା କଟକଣା ସତ୍ତ୍ଵେ ପ୍ରାୟ ଦଶରୁ ବାର ଜଣ ମହିଳା କୋଭିଡ- ୧୯ ର ସମସ୍ତ ନିୟମକୁ ମାନି ମାସ୍କ ସହିତ ସାମାଜିକ ଦୂରତା ବଜାୟ ରଖି ଏହି ପର୍ବ ପାଳନ କରିଥିଲେ I ପୁରୋହିତ ହୃଷିକେଶ ତ୍ରିପାଠୀ ମହିଳାମାନଙ୍କୁ ବ୍ରତ କଥା ପଢି ଶୁଣାଇବା ସହ ପୂଜା କାର୍ଯ୍ୟ ସମାପନ କରିଥିଲେ I ପରଦିନ ସକାଳେ ମହିଳାମାନେ ଠାକୁରଙ୍କୁ ନେଇ କହ୍ନେଇଶ୍ୱର ନାଳରେ ଠାକୁରଙ୍କୁ ବିସର୍ଜନ କରିଥିଲେ I

LEAVE A REPLY

Please enter your comment!
Please enter your name here