କୋଭିଡ଼୍ କାଯ୍ଯରେ ସହଯୋଗ କରିବେନି ଆୟୁଷ ଡ଼ାକ୍ତର

0
316

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଏନ୍‌ଏଚ୍‌ଏମ୍ ଅଧୀନସ୍ଥ ପିଏଚ୍‌ସି ଓ ସିଏଚ୍‌ସିରେ କାର୍ଯ୍ୟରତ ଥିବା ଆୟୁଷ ଡ଼ାକ୍ତରମାନେ ତିନି ଦଫା ଦାବି ନେଇ ଆସନ୍ତାକାଲିଠାରୁ ଜିଲ୍ଲାରେ କୋଭିଡ଼୍ କାର୍ଯ୍ୟରେ ସହଯୋଗ କରିବେ ନାହିଁ ଏବଂ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ଚେତାବନୀ ଦେଇଛି । ଏ ନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଲିଖିତ ଭାବରେ ଅବଗତ କରାଇଛନ୍ତି । ସେମାନଙ୍କ କହିବାନୁଯାୟୀ, ସାମାଜିକ ସୁରକ୍ଷା ସୁବିଧାରେ ଅନ୍ତର୍ଭୁକ୍ତ କରାଇ ସରକାରୀ କର୍ମଚାରୀଙ୍କୁ ଅକସ୍ମାତ ମୃତ୍ୟୁ ପରେ ମିଳୁଥିବା ସୁବିଧା ପ୍ରଦାନ, ସ୍ଥାୟୀ ନିଯୁକ୍ତି ସହ ଅନ୍ୟାନ୍ୟ ଜୀବନ ଜୀବିକାର ମୌଳିକ ଆବଶ୍ୟକତା ପୂରଣ ଓ ଦରମା ବୃଦ୍ଧି ଆଦି ଦାବି ସମୂହକୁ ନେଇ ଗତ ସାତ ତାରିଖ ଦିନ ସରକାରଙ୍କୁ ଲିଖିତ ଭାବରେ ଅବଗତ କରାଇଥିଲେ । ଏ ନେଇ ସରକାରଙ୍କ ପକ୍ଷରୁ ସାତ ଦିନ ମଧ୍ୟରେ ସମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ପ୍ରତିଶ୍ରୁତି ମୁତାବକ ସାତ ଦିନର ସମୟ ଶେଷ ହୋଇଥିଲେ ସୁଦ୍ଧା କୌଣସି ଦାବି ପୂରଣ ହୋଇ ପାରିଲା ନାହିଁ । ଫଳରେ ଆସନ୍ତାକାଲିଠାରୁ ଆୟୁଷ ଡ଼ାକ୍ତରମାନେ ଗ୍ରାମାଞ୍ଚଳରେ କରାଯାଉଥିବା କୋଭିଡ଼୍ କାର୍ଯ୍ୟରେ ଅସହଯୋଗ କରିବେ । ଯଦି କୋଭିଡ଼୍ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଏ କିମ୍ବା ଟେଷ୍ଟିଂରେ ବାଧା ଉପୁଜେ ତାହା ହେଲେ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏପରିକି ସେମାନଙ୍କୁ କୋଭିଡ଼୍ ଯୋଦ୍ଧାର ମାନ୍ୟତା ମଧ୍ୟ ଦିଆଯାଇ ନ ଥିବା ଡ଼ାକ୍ତରମାନେ ଅଭିଯୋଗ କରିଛନ୍ତି । ଫଳରେ ଆୟୁଷ ଡ଼ାକ୍ତରମାନେ କେବଳ ଓପିଡ଼ିରେ ବସି ରୋଗୀ ସେବା କରିବେ କିନ୍ତୁ ଜିଲ୍ଲାର କୌଣସି କୋଭିଡ଼୍ କାର୍ଯ୍ୟରେ ଯୋଗ ଦେବା ନାହିଁ ବୋଲି କହିଛନ୍ତି । ଏପରିକି ଆଗାମୀ ଦିନରେ ଗ୍ରାମାଞ୍ଚଳକୁ ଯାଇ ନିଜ ସମସ୍ୟା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଇବା ସହ ସାରା ରାଜ୍ୟରେ ଆୟୁଷ ଡ଼ାକ୍ତରମାନେ କୋଭିଡ଼୍ କାର୍ଯ୍ୟ ବନ୍ଦ କରିବେ ବୋଲି ସଂଘର ଆବାହକ ଡ଼ଃ ଚନ୍ଦ୍ର ଶେଖର ମିଶ୍ର ପ୍ରକାଶ କରିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଡ଼ଃ ରବୀନ୍ଦ୍ର ନାଥ ଗନ୍ତାୟତ, ଫକୀର ଚନ୍ଦ୍ର ଜେନା, ରବି ନାରାୟଣ ପାଢ଼ୀ, ଅୟୁସୁ ସଂଘର ମହିଳା ପ୍ରତିନିଧି ଡ଼ଃ ସୁନିତା ପ୍ରଧାନ,ଡ଼ଃ ମିରାବାଇ ପଣ୍ଡା,ଇପସିତା ପଣ୍ଡା,ତପସ୍ପିନି ପାତ୍ର ପ୍ରମୁଖ ଟାଉନ ହଲ ଠାରେ ଯୋଗ ଦେଇ ଗଞ୍ଜାମ ଜ଼ିଲ୍ଲାପାଳଙ୍କ ସହ ଆଲୋଚନl କରିଥିଲେ l

LEAVE A REPLY

Please enter your comment!
Please enter your name here