କରୋନା ଛଡାଇନେଲା ଜିବୀକା….. ବଲିଉଡ ଓ ଓଲିଉଡ୍ ର କୋରିଓଗ୍ରାଫର୍ ‘ଗୁରୁ’ଆଜି ଚା’ ଦୋକାନୀ

0
378

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ସକାଳ ଆଉ ସନ୍ଧ୍ୟା ହୋଇଗଲେ ଚା’ ପିଇବା ପାଇଁ ଲୋକଙ୍କ ଗାଡି ଲାଗିଯାଏ ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ରାଗପୁର ନିକଟସ୍ଥ ଆଦର୍ଶ ବିଦ୍ୟାଳୟ ରାସ୍ତା ଛକରେ l ଝାଟିମାଟିରେ କାଦୁଅ କାନ୍ଥ ସାଙ୍ଗକୁ ଚାଳ କୁଡିଆ ଭିତରେ ଚା’ ଦୋକାନ l ଗ୍ରାହକଙ୍କୁ ଚା’ ଦେଇ ମାର୍ଜିତ ବ୍ୟବହାର ସହ ଚା’ର ସ୍ଵାଦ ଯିଏ ପାଉଛି ସେ ଆଉଥରେ ଯିବା ପାଇଁ ଚାହୁଞ୍ଚି ଚା’ ପିଇବା ପାଇଁ l ସ୍ଵତନ୍ତ୍ରତା ହେଉଛି ମାଟି ହାଣ୍ଡି ଚା’ l ନିଆଁ ରେ ମାଟି କଳସୀ କୁ ପୋଡି ଚା’ ରେ ବୁଡାଇ ବହଳିଆ କରିବା ସହ ବିଭିନ୍ନ କିସମର ଚା କରି ଗ୍ରାହକଙ୍କ ମନ ମୋହିଥାନ୍ତି ଦୋକାନୀ l 10 ଟଙ୍କା, 20 ଟଙ୍କା, 25 ଟଙ୍କା, 30, 40 ଟଙ୍କିଆ ଚା ସହ ,75 ଟଙ୍କା ଠାରୁ ଆରମ୍ଭ କରି 200 ଟଙ୍କିଆ କାଜୁ ରାବିଡ଼ି ଏହି ଚା ଦୋକାନରେ ମିଳେ l ଚା’ ଯିଏ ବିକନ୍ତି ତାଙ୍କ ପରିଚୟ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସୁନିଶ୍ଚିତ l ସେ ହେଉଛନ୍ତି ଓଲିଉଡ, ବଲିଉଡ, ତଥା ଜଲିଉଡ ଜଗତର ଜଣେ ପରିଚିତ କୋରିଓଗ୍ରାଫର ଗୁରୁ ସାଉଲିଙ୍ଗ୍ ପଢ଼ିଆଳି l ଏହି ତିନି କଳା ଜଗତରେ ସେ ଗୁରୁ ସାଉଲିଙ୍ଗ ନାମରେ ପରିଚିତ l ମହାମାରୀ କରୋନା ଆଜି ତାଙ୍କୁ ଚା ଦୋକାନୀ ସଜାଇ ଦେଇଛି l’ ଗୁରୁ’ ଙ୍କ ଘର ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତର ପି ନୁଆଗାଁ ଗ୍ରାମରେ l ବାପା ରଙ୍ଗନାଥ ପଢ଼ିଆଳି ଓ ମା ବୁଦ୍ଧି ପଢ଼ିଆଳି l ବାପା ଗୁଜୁରାଟ୍ ରେ ଥିବା ବେଳେ ଗୁରୁ ଜନ୍ମ ଗ୍ରହଣ କରିଥିଲେ l ତାଙ୍କୁ 10 ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ l 6 ବର୍ଷ ବୟସ ହେବା ବେଳେ ତାଙ୍କ ବାପା ଗୁଜୁରାଟର ମନଚୂନ୍ ସାଉଲିନ୍ ଙ୍କ ନିକଟକୁ ଡ୍ୟାନ୍ସ ଶିଖାଇବା ପାଇଁ ଗୁରୁ ଙ୍କୁ ପଠାଉଥିଲେ l ବାପା ଚାଲିଯିବା ପରେ ଆର୍ଥିକ ଅନାଟନ ଯୋଗୁଁ ତାଙ୍କ ଡ୍ୟାନ୍ସ ଶିଖିବାରେ ବାଧା ଉପୁଜିବା ପରେ ସେ ତାଙ୍କ ଡ୍ୟାନ୍ସ ଶିକ୍ଷକଙ୍କ ଘରେ ବାସନ ଧୋଇ ଝାଡୁ କରି ଡ୍ୟାନ୍ସ ଶିଖିଥିଲେ l 14 ବର୍ଷ ବୟସ ହେବା ବେଳକୁ ସେ ଡ୍ୟାନ୍ସର ସମସ୍ତ କଳା ହାସଲ କରିବାରେ ସକ୍ଷମ ହୋଇଥିଲେ l ସେତେବେଳେ ତାଙ୍କୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ‘ନନ୍ଦିକ’ ଗ୍ରାମର କୃଷ୍ଣ ଭାଇ ସେଠାରେ ଆର୍ଥିକ ସାହାଯ୍ୟ କରିଥିଲେ l ତାଙ୍କ ପ୍ରୋସାହନ ପାଇ ସେ ଆଉ ପଛକୁ ଫେରିନଥିଲେ l ପରେ ଅହମଦାବାଦ ବାଦର ଠାରେ ଦୀପକ ରାଜପୁତ ନାମକ ଜଣେ ନିର୍ଦେଶକଙ୍କ ସଂସ୍ପର୍ଶରେ ଆସିବା ସହ ଫିଲ୍ମ ଦୁନିଆର କୋରିଓଗ୍ରାଫି ରେ ପାଦ ଥାପିଥିଲେ l ପ୍ରଥମେ ‘ୟେ କୈସା ରିସ୍ତl’ ପରେ କମାଣ୍ଡୋ – 2 (ହରେ କୃଷ୍ଣ ହରେ ରାମ ଗୀତ) ରେ କୋରିଓଗ୍ରାଫି କରି ବେଶ୍ ଲୋକପ୍ରିୟ ହୋଇଥିଲେ l ପରେ ଓଡିଶାରେ ନିର୍ଦେଶକ ଦୀପକ ସ୍ଵାଇଁଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ‘ବିନ୍ଦାସ୍’ ରେ ‘ରୋମିଓ ପବନ ଏଇଠି ବହିବ’ ଗୀତ ସହ ଅମିତ୍ ସାର୍ ଙ୍କ’ ଜଗା ହାତରେ ପଘା’ ଚଳଚ୍ଚିତ୍ରର’ ତାର କିଟ୍ ଟାରେ ଝୁମ୍’ ରେ କୋରିଓଗ୍ରାଫି ଦେଇଥିବା ବେଳେ ‘ସୁନ୍ଦରଗଡର ସଲମାନ ଖାଁ’ ଚଳଚ୍ଚିତ୍ର ର ଏକ ଗୀତରେ ଡ୍ୟାନ୍ସ ପାଇଁ କୋରିଓଗ୍ରାଫିରେ ମୁଖ୍ୟ କୋରିଓଗ୍ରାଫରଙ୍କୁ ସହଯୋଗ କରିବା ସହ ‘ଚାମ୍ପିଅନ୍’ ଚଳଚ୍ଚିତ୍ରରେ ମଧ୍ୟ ଏକ ଗୀତରେ ଷ୍ଟେପିଙ୍ଗ୍ ଦେଇଥିଲେ l ପରେ ଅପେରା ଜଗତରେ ଯାତ୍ରା ମାଲିକ ଶକ୍ତି ଜେନାଙ୍କର ଆଶୀର୍ବାଦରେ ସେ ବିଭିନ୍ନ ଯାତ୍ରା ପାର୍ଟିରେ ନୃତ୍ୟ ନିର୍ଦ୍ଦେଶନା ଦେବା ସହ ଆଲବମ ‘ଶୀତ ଦିନେ ଗୋରା ଦେହ’ ର ନିର୍ଦ୍ଦେଶନା ଦେଇଥିଲେ l ଏହା ସହ 30 ରୁ ଅଧିକ ସି ଡି କ୍ୟାସେଟ ପାଇଁ ମଧ୍ୟ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ l ଏ ସବୁ ଭିତରେ ସେ କିଛି ବିହାର, ୟୁପି, ଭୋଜପୁରୀ ଡ୍ୟାନ୍ସ ର ମଧ୍ୟ କୋରିଓଗ୍ରାଫି କରିଛନ୍ତି ‘ଗୁରୁ’ l ଏପରିକି ଜୟପ୍ରକାଶ ଓ ୟଶରାଜ ପ୍ରଡକସନ୍ ରେ ସେ ମଧ୍ୟ କାମ କରିଥିବା କଥା କହିଛନ୍ତି l ସବୁ ସତ୍ତ୍ୱେ ସେଠାରେ ବହୁ ପିଲାଙ୍କୁ ଡ୍ୟାନ୍ସ ଶିଖାଇ ବେଶ ଲୋକପ୍ରିୟତା ହାସଲ କରିବା ସହ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ସେ ଆଗେଇ ଆସୁଥିଲେ lବହୁ କଷ୍ଟ କରି ନିଜକୁ ମଜବୁତ୍ କରିବାକୁ ଯିବା ବେଳେ କରୋନା ସବୁ କିଛି ବିଗାଡି ଦେଲା ବୋଲି କହନ୍ତି ‘ଗୁରୁ’ l ଲକ୍ ଡାଉନ୍ ପରେ ସେ 5 ମାସ ହେବ ଘରକୁ ଫେରିଆସିଛନ୍ତି l ଅର୍ଥର ଅଭାବ ଯୋଗୁଁ ସେ 20 ଦିନ ହେଲା ଏଠି ଚା ଦୋକାନ ଖୋଲିଛନ୍ତି l ଦିନକୁ ସବୁ ଖର୍ଚ୍ଚ ଯାଇ 200 ରୁ 300 ଟଙ୍କା ଲାଭ ରହୁଥିବା ବେଳେ ତାଙ୍କ ପାଖରେ ଆଶ୍ରୟ ନେଇଥିବା ଜଣେ ଅସହାୟ ବ୍ୟକ୍ତି ଙ୍କୁ 50 ଟଙ୍କା ଦୈନିକ ଦିଅନ୍ତି ବୋଲି ସେ କହିଛନ୍ତି l ଏ ଖବର ପାଇ ବେଗୁନିଆପଡା ବ୍ଲକ୍ ଯୋଗାଣ ଅଧିକାରୀ ଶରତ ବେହେରା ଆସି ତାଙ୍କ ପାଇଁ ରାସନ କାର୍ଡ କିପରି କରାଯିବ ତାହା ଉପରେ ସମସ୍ତ ସହଯୋଗ କରିବା ସହ ମିଲ ଯୋଜନାରେ ତାଙ୍କୁ ସାମିଲ କରିଛନ୍ତି l ଘରେ ତାଙ୍କର ମା’ଙ୍କ ସହ ପତ୍ନୀ ମାହେଶ୍ୱରୀ ଓ ଦୁଇ ପୁଅ ଶୋଭାରାଜ ଏବଂ ସୁନସୋ l ଏଭଳି ଜଣେ କଳାକାର ଗାଁ ରୁ ଯାଇ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନାଁ କମାଇ ଶେଷରେ ଆର୍ଥିକ ଅନାଟନର ଶିକାର ହୋଇ ଆସି ଚା ଦୋକାନ କରିବା ବାସ୍ତବିକ କଷ୍ଟଦାୟକ l ପ୍ରଶାସନ ଓ କଳା ଜଗତ ପକ୍ଷରୁ ଏପରି ଜଣେ ବ୍ୟକ୍ତିତ୍ୱଙ୍କୁ ସହଯୋଗ କରିବା ସହ କଳାର ବିକାଶ ପାଇଁ ତାଙ୍କୁ ଉପଯୋଗ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଅନୁରୋଧ କରାଯାଇଛି l

LEAVE A REPLY

Please enter your comment!
Please enter your name here