ଜିଲ୍ଲା ସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

0
313

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରୋନା ର ସ୍ଥିତି ଯୋଗୁଁ ଚଳିତ ବର୍ଷର କାର୍ଯ୍ୟକ୍ରମ ଗୁଡିକ ଭାରତ ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶ ପ୍ରକାରେ ପାଳନ କରିବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇଥି୍ଲେ । ସେହି ଅନୁଯାୟୀ ପାଳନ କରିବା ସକାଶେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ବୈଠକରେ ଅବଗତ କରାଇଥିଲେ . । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ସ୍ବାଗତ କରିବା ସହ ଜାତୀୟ କାର୍ଯ୍ୟକ୍ରମଟିକୁ ସୀମିତ ଆକାରରେ ପାଳନ କରିବାପାଇଁ ବିବରଣୀ ଗୁଡିକୁ ବୈଠକରେ ଅବଗତ କରାଇଥିଲେ । ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମ ଗୁଡିକ କୋଭିଡ୍ ନିୟମ ପ୍ରକାରେ ସାମାଜିକ ଦୂରତ୍ବ, ମାସ୍କ ପରିଧାନ, ସାନିଟାଇଜେସନ୍ ବ୍ୟବହାର କରି ଶୃଙ୍ଖଳାଗତ ଭାବେ ପାଳନ କରିବାପାଇଁ ସ୍ଥିର କରାଗଲା ।
ଚଳିତ ବର୍ଷ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଛତ୍ରପୁର ଅଞ୍ଚଳ ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରତ୍ୟୁଷ ଘ.୫.୦୦ମି. ସମୟରେ ରାମଧୂନ୍ ପୂର୍ବକ ଛତ୍ରପୁର ସହରରେ ପରିକ୍ରମା କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମୁଖ୍ୟମାନଙ୍କ ଦ୍ବାରା ପୂର୍ବାହ୍ନ ଘ.୮.୦୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ । ପୂର୍ବ ବର୍ଷ ମାନଙ୍କରେ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅନୁଷ୍ଠିତ ହେଉଥିବା ପ୍ରଭାତ ଫେରି ଚଳିତ ବର୍ଷ ନିମନ୍ତେ ସ୍ଥଗିତ କରାଗଲା । ଶିକ୍ଷାନୁଷ୍ଠାନର ମୁଖ୍ୟ ନିଜନିଜ ଅନୁଷ୍ଠାନରେ କେବଳ ୩ ଜଣ ଛାତ୍ର / ଛାତ୍ରୀ ମାନଙ୍କୁ ନେଇ ଜାତୀୟ ସଙ୍ଗୀତ ଗାନ ପୂର୍ବକ ପୂର୍ବାହ୍ନ ଘ.୮.୩୦ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଇବେ । ସ୍କୁଲର ଅତି ନିକଟରେ ଥିବା ୩ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟରେ ସାମିଲ କରିପାରିବେ, ସେମାନେ ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ଓ ସାନିଟାଇଜେସନ୍ କରି ଏହି କାର୍ଯ୍ୟ ସମ୍ପାଦିତ କରିବେ । ଚଳିତ ବର୍ଷ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା, ସମ୍ମିଳୀତ ପ୍ୟାରେଡ୍ ରେ ଅଂଶ ଗ୍ରହଣ, ସାଂସ୍କୃତିକ କାର୍ଯ୍ୟକ୍ରମ, କୌତୁକ କ୍ରୀଡା, ବହୁଭାଷୀ କବିତା ପାଠୋତ୍ସବ କୁ ସ୍ଥଗିତ ରଖାଯାଇଛି । ପୋଲିସ୍ ପ୍ୟାରେଡ୍ ପଡିଆ, ଛତ୍ରପୁର ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ପୂର୍ବାହ୍ନ ଘ.୯.୧୫ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ୟାରେଡ୍ ବଦଳରେ ଚଳିତ ବର୍ଷ ଏ.ପି.ଆର୍. ଫୋର୍ସ, ଅଷ୍ଟମ ବାଟାଲିୟନ୍, ହୋମ୍ ଗାର୍ଡ ଓ ପୋଲିସ୍ ଘୋଷବାଦ୍ୟ ଦ୍ବାରା ଜାତୀୟ ପତାକାକୁ ସମ୍ମାନପୂର୍ବକ ଅଭିବାଦନ ଗ୍ରହଣ କରାଯିବ । ଜାତୀୟ ଦିବସକୁ ସ୍ମରଣୀୟ କରିବା ନିମନ୍ତେ ଅଗଷ୍ଟ ୧୫ ତାରିଖ ସଂଧ୍ୟା ସମୟରେ ସରକାରୀ ପ୍ରତିଷ୍ଠାନ ,ବ୍ୟାବସାୟିକ ପ୍ରତିଷ୍ଠାନ, ବିଭିନ୍ନ ବ୍ୟାଙ୍କ ଏବଂ ସହରର ଦୋକାନ ବଜାରରେ ଆଲୋକ ସଜ୍ଜା କରିବାପାଇଁ ସଂପୃକ୍ତ ବିଭାଗୀୟ ମୁଖ୍ୟଙ୍କୁ ଅନୁରୋଧ କରାଗଲା । କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନୀତ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଚଳିତ ବର୍ଷର ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକ ଶାନ୍ତି ଶୃଙ୍ଖଳାର ସହିତ ସାମାଜିତ ଦୂରତ୍ବ, ମାସ୍କ ପରିଧାନ ଓ ଉପଯୁକ୍ତ ସାନିଟାଇଜେସନ୍ କରି ପାଳନ କରିବାପାଇଁ ସମସ୍ତ ଜନସାଧାରଣ, ଲୋକପ୍ରତିନିଧି ଓ ସାମ୍ବାଦିକ ମାନଙ୍କୁ ଅନୁରୋଧ କରାଗଲା ।

LEAVE A REPLY

Please enter your comment!
Please enter your name here