ଅଗଷ୍ଟ ୩୧ଯାଏଁ ଲକ ଡାଉନ ସହ ସପ୍ତାହକୁ ୨ ଦିନ ସଟଡାଉନ :ଗଞ୍ଜାମ ଜିଲ୍ଲାପାଳ

0
459

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ଟାଉନ୍ ହଲ୍ ଠାରେ ଆନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି ଯେ, ଘରକୁ ଘର ବୁଲି ସ୍ବାସ୍ଥ୍ୟଯାଂଚ୍ କାର୍ଯ୍ୟ ଯୋଗୁଁ ଗତ ୧୦-୧୫ ଦିନ ହେବ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ଲକ୍ ଡାଉନ୍ ବେଳେ ଜିଲ୍ଲାବାସୀ ପ୍ରଶାସନକୁ ସହଯୋଗ କରିଥିବା ହେତୁ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଦୋକାନୀମାନେ ସଚେତନତାର ସହଯୋଗ ଯୋଗୁଁ ମଧ୍ୟ ସଂକ୍ରମଣ କମିଛି ।
ଚଳିତ ଅଗଷ୍ଟ ମାସରେ ମଧ୍ୟ ଅଧିକ ସଚେତନତା ଓ ଲକ୍ ଡାଉନ୍ କୁ କଡାକଡି ଭାବେ ପାଳନ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ପ୍ରକାରେ ଏହି ନିୟମ ପାଳନ ହେବା ସଙ୍ଗେସଙ୍ଗେ ଗଞ୍ଜାମ ଜିଲ୍ଲାରେ ସାମାନ୍ୟ ପରିବର୍ତ୍ତର ଆବଶ୍ୟକତା ରହିଛି । ପୂର୍ବ ଭଳି ଜିଲ୍ଲାକୁ ପ୍ରବେଶ ଓ ପ୍ରସ୍ଥାନ ଦିଗରେ କଡାକଡି କରାଯାଇ ନଜର ରଖାଯିବ । ଜିଲ୍ଲାରେ ସକାଳ ୫ ଟା ଠାରୁ ସଂଧ୍ୟା ୪ ଟା ପର୍ଯ୍ୟନ୍ତ ଦୋକାନ ଗୁଡିକ ଖୋଲାଯାଇ ପାରିବ ଏବଂ ସଂଧ୍ୟା ୪ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରୀକର୍ଫ୍ୟୁ କରାଯାଇ ସତର୍କ ଦୃଷ୍ଟି ରଖାଯିବ । ଦୋକାନ ଗୁଡିକ ଖୋଲିବ କିନ୍ତୁ ସେମାନେ ପୂର୍ବ ନିର୍ଦ୍ଦେଶ ପ୍ରକାରେ ୫ ସୂତ୍ର ପାଳନ କରିବେ । ସାପ୍ତାହିକ ସଟ୍ ଡାଉନ୍ ଶନିବାର, ରବିବାର ଗଞ୍ଜାମ ଜିଲ୍ଲାପାଇଁ ମଧ୍ୟ ଚଳିତ ମାସ ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିବ । ଜନସାଧାରଣ ମାସ୍କ ପିନ୍ଧିବା ଜରୁରୀ ନଚେତ୍ ଜୋରିମାନା ଦେବାକୁ ପଡିବ ଜଣାଇ ମାସ୍କ ପିନ୍ଧିବାର ନିୟମ ସମ୍ପର୍କରେ ଜିଲ୍ଲାପାଳ ଅବଗତ କରାଇ ଥିଲେ । ବ୍ରହ୍ମପୁର ସହରରୁ ମଧ୍ୟ ବାହାରକୁ ଯିବା ଏବଂ ଭିତରକୁ ପ୍ରବେଶ କରିବା ଦିଗରେ ପୂର୍ବବତ୍ କଡାକଡି କରାଯିବ ।
ଜିଲ୍ଲାରେ ଏଯାବତ୍ ୭୧୩୦ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ଯାହାକି ଶତକଡା ୬୯ ପ୍ରତିଶତ ରହିଛି । ଆଜି ଅବରାହ୍ନ ୫ ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କନିଷୀ ଠାରେ ଅଶ୍ବିନୀ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଠାରେ ମଧ୍ୟ ସ୍ବତନ୍ତ୍ର କୋଭିଡ୍ ଚିକିତ୍ସାଳୟ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରାଯିବ । ଉଭୟ ସ୍ବତନ୍ତ୍ର କୋଭିଡ୍ ଚିକିତ୍ସାଳୟରେ ୧୫୦ ଶଯ୍ୟା ସହ ୨୪ ଗୋଟି ଆଇ.ସି.ୟୁ. ରହିବ । ଏହିଭଳି ସର୍ବମୋଟ ୩୦୦ ଶଯ୍ୟା ଓ ୪୮ ଟି ଆଇ.ସି.ୟୁ.ର ସୁବିଧା ଜିଲ୍ଲାବାସୀ ପାଇପାରିବେ । ଜିଲ୍ଲାରେ ୩୭୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର, ୫୦୦୦ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହୋମ୍ ରହିଛି । ତା ସହିତ ହୋମ୍ କ୍ବାରେଣ୍ଟାଇନ୍ ରେ ମଧ୍ୟ ସଂକ୍ରମିତ ବ୍ୟକ୍ତିଙ୍କୁ ରଖାଯିବାର ସୁବିଧା କରାଯାଇଛି ।
ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରଏ ଜଣାଇଥିଲେଯେ ଜିଲ୍ଲାବାସୀ ଯେପରି ଗତ ସଟ୍ ଡାଉନ୍ ବେଳେ ସହଯୋଗ କରିଥିଲେ ଏ ମାସରେ ମଧ୍ୟ ସେହିଭଳି ସହଯୋଗ କରନ୍ତୁ । ଜିଲ୍ଲା ପ୍ରବେଶ ପଥ ସିଲ୍ କରାଯାଇଛି । ପନିପରିବା ବିକାଳୀ, ତେଜରାତି ଦୋକାନୀ ଗଣ ସାମାଜିକ ଦୂରତ୍ବ କଡାକଡି ପାଳନ କରନ୍ତୁ । ଜନ ସାଧାରଣ ମାସ୍କ ବ୍ୟବହାର ଦିଗରେ ଗୁରୁତ୍ବ ଦିଅନ୍ତୁ ବୋଲି କହିଥିଲେ । ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଜନସାଧାରଣଙ୍କ ସହଯୋଗ ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ । ବ୍ରହ୍ମପୁର ମହା ନଗର ନିଗମ ଓ ପୋଲିସ୍ ଦ୍ବାରା ମିଳିତ ଚଢାଉ ପ୍ରକ୍ରିୟା ଜାରି ରହିବ । ଜିଲ୍ଲାବାସୀ ୧୦୦ ନମ୍ବର ଡାଏଲ୍ କରି ବାହାରକୁ ଯିବାର ଅନୁମତି ନେଇପାରିବେ । ଏଯାବତ୍ ୨୦୦ ଜଣଙ୍କୁ ଏସ୍.ଏମ୍.ଏସ୍. ଜରିଆରେ ଅନୁମତି ଦେଇଛନ୍ତି । ଯେଉଁମାନେ ଶୁଦ୍ଧକ୍ରିୟା ତଥା ସାମିଜିକ କାର୍ଯ୍ୟରେ ଯୋଗଦାନ ପାଇଁ ଜିଲ୍ଲାରୁ ବାହାରକୁ ଯିବେ ସେମାନଙ୍କୁ ଏସ୍.ଏମ୍.ଏସ୍. ଜରିଆରେ ଅନୁମତି ଦିଆଯାଇଛି । ବାହାର ରାଜ୍ୟ କିମ୍ବା ଜିଲ୍ଲାରେ କାମ କରୁଥିବା ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟର ଚିଠି ବା ନିଜର ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଦିଗରେ କଟକଣା ନାହିଁ ବୋଲି ଜଣାଇ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଜନ ସାଧାରଣଙ୍କୁ ନିବେଦନ କରିଥିଲେ । ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଚକ୍ରବର୍ତ୍ତୀ ସିଂ ରାଠୋର ତେଜରାତି ଦୋକାନୀ ଗଣ ଘର ଡେଲିଭରୀ କରି ସାମଗ୍ରୀ ଯୋଗାଇପାରିବେ । ଏଥିପାଇଁ ବୁଧବାର ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମରେ ଆବେଦନ କରି ନେଇପାରିବେ । ବ୍ରହ୍ମପୁର ସହରବାସୀ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେବାକୁ ନିବେଦନ କରିଛନ୍ତି । ସମ୍ମିଳନୀରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here