ର।ଜ୍ୟରେ ୩୮ଟି ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବ

0
632

ଭୁବନେଶ୍ୱର, (ନ୍ୟୁଜ୍ ଏକ୍ସଟ୍ର।): ମଙ୍ଗଳବାର ଦିନ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ଯେ ଚଳିତବର୍ଷ ର।ଜ୍ୟରେ ୩୮ଟି ସ୍ଥାନରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବ । ରାଜନଗରଠାରେ ଜେଏମ୍‌ଏଫ୍‌ସି କୋର୍ଟ କାର୍ଯ୍ୟ କରୁଥିଲେ ମଧ୍ୟ ଏହାର ନିଜସ୍ୱ ଗୃହ ନାହିଁ ବୋଲି ସୁଚନ। ଦେଇଛନ୍ତି । କେବେ ସୁଦ୍ଧା ଗୃହ ନିର୍ମାଣ କରାଯିବ ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଅନନ୍ତ ଦାସ, ପ୍ରଭୁ ଜାନୀ, ପ୍ରଦୀପ ଅମାତ୍‌, କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା, ଭାଜପା ସଭ୍ୟ ନିତ୍ୟାନନ୍ଦ ଗଣ୍ଡ, ସୁକାନ୍ତ ନାୟକ ପ୍ରମୁଖ ଅତିରିକ୍ତ ପ୍ରଶ୍ନରେ ଜେଏମ୍‌ଏଫ୍‌ସି କୋର୍ଟ ସ୍ଥାପନ କରିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନୂତନ କୋର୍ଟ ଉଦ୍‌ଘାଟନବେଳେ ଜନପ୍ରତିନିଧିମାନଙ୍କୁ କାହିଁକି ସାମିଲ କରାଯାଉନାହିଁ ବୋଲି ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କଡା ଆପତ୍ତି ଉଠାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀବେଳେ ଜନପ୍ରତିନିଧିଙ୍କୁ ସାମିଲ କରାଯାଉଥିବାବେଳେ କୋର୍ଟ ଉଦ୍‌ଘାଟନ ବେଳେ କାହିଁକି କରାଯାଉନାହିଁ। ଜନପ୍ରତିନିଧିମାନଙ୍କୁ ସେଥିରେ ସାମିଲ କରାଯାଉ ବୋଲି ସଦସ୍ୟମାନେ ଦାବି କରିଥିଲେ। ଏନେଇ ମନ୍ତ୍ରୀ ହାଇକୋର୍ଟ ଜଜ୍‌ଙ୍କ ସହ ଆଲୋଚନା କରନ୍ତୁ ବୋଲି କହିଥିଲେ। ଏଥିସହ ସମସ୍ତ ଜିଲାରେ ଲୋକମାନଙ୍କୁ ନ୍ୟାୟ ଦେବା ସକାଶେ ଅଧିକ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା କରନ୍ତୁ ବୋଲି ଦାବି କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ପଟ୍ଟାମୁଣ୍ଡାଇଠାରେ ଏକ ଅତିରିକ୍ତ ଜିଲା ଓ ସେସନ୍ସ ଜଜ୍‌ କୋର୍ଟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆବଶ୍ୟକ ପଦବୀ ସୃଷ୍ଟି କରିବାପରେ କୋର୍ଟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ନୂତନ କୋର୍ଟ ଉଦ୍‌ଘାଟନବେଳେ ହାଇକୋର୍ଟଙ୍କ ଦ୍ୱାରା ହୋଇଥାଏ। ଏଥିରେ ଜନପ୍ରତିନିଧିଙ୍କୁ ସାମିଲ କରାଯାଇ ନ ଥାଏ। ଗୃହର ଉଦ୍‌ବେଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ୩୧ଟି ଗ୍ରାମ୍ୟ ନ୍ୟାୟାଳୟ ରହିଛି, ସେଗୁଡିକୁ ଜେଏମ୍‌ଏଫ୍‌ସି କୋର୍ଟ କ୍ଷମତା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here