ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଅଛି – ଜିଲ୍ଲାପାଳ

0
978

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାରେ ଏହି କିଛି ଦିନ ହେଲା କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାର ପ୍ରକୃତ କାରଣ ହେଲା ଜିଲ୍ଲାରେ ଘରକୁ ଘର ବୁଲି ନମୁନା ସଂଗ୍ରହ କରିବା ପ୍ରକ୍ରିୟା ସ୍ବାସ୍ଥ୍ୟ ଟିମ୍ ଦ୍ବାରା ଚାଲିଛି ଯଦ୍ବାରା କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇପାରୁଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି । ଗଞ୍ଜାମ ଜିଲ୍ଲାକୁ ଅଧିକ ସଂଖ୍ୟକ ପ୍ରବାସୀ ଫେରିଛନ୍ତି । ତେଣୁ ସଂକ୍ରମିତଙ୍କ ସଂଖ୍ୟା ନିଶ୍ଚିତ ବୃଦ୍ଧି ହେବ । ଏଥିରେ ଜିଲ୍ଲାବାସୀ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି । ଜଣକ ଶରୀରରେ ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ସେମାନେ ଚିହ୍ନଟ ହୋଇପାରିଲେ ସେମାନଙ୍କ ଉପଯୁକ୍ତ ଚିକିତ୍ସା ହୋଇପାରିବ, ଯଦ୍ବାରା ସେମାନଙ୍କ ଅମୂଲ୍ୟ ଜୀବନ ସୁରକ୍ଷିତ ରହିବ । ତେଣୁ ଲକ୍ଷଣ ନ ଲୁଚାଇ ପ୍ରଶାସନକୁ ଜଣାନ୍ତୁ ।
ଜିଲ୍ଲାରେ ସଂକ୍ରମଣକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଛି । ତାହାକୁ ଜନ ସାଧାରଣ ପାଳନ କରନ୍ତୁ । ଜିଲ୍ଲାର ସମସ୍ତ ବ୍ୟବସାୟୀ ଦୋକାନୀ ମାନଙ୍କୁ ସତର୍କ ରହିବା ସକାଶେ ଜିଲ୍ଲାପାଳ ୫ ଟି ସୂତ୍ର ପାଳନ କରିବାକୁ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ଦୋକାନୀ ନିଜ ଦୋକାନ ସମ୍ମୁଖରେ ବାରିକେଡ୍ ନିର୍ମାଣ କରିବେ ଏବଂ ସେଗୁଡିକର ଦୂରତ୍ବ ନିହାତି ଦୁଇ ମିଟର ରହିବ । ଗ୍ରାହକ ମାନଙ୍କ ଛିଡାହେବା ନିମନ୍ତେ ଦୋକାନ ସମ୍ମୁଖରେ ଗୋଲାକାର ଚିହ୍ନ ଦେବେ, ଯଦ୍ବାରା ଜଣେ ଗ୍ରାହକଙ୍କ ଠାରୁ ଅନ୍ୟ ଜଣେ ଗ୍ରାହକଙ୍କ ଦୂରତ୍ବ ଦୁଇ ମିଟର ବଜାୟ ରହିବ ।
ଦୋକାନ ସମ୍ମୁଖରେ “ମାସ୍କ ନାହିଁ ତ ଜିନିଷ ନାହିଁ” ବୋର୍ଡ ଲଗାଇବେ । ଦୋକାନୀ ନିଜେ ମାସ୍କ ପିନ୍ଧିବେ ଓ ମାସ୍କ ପିନ୍ଧି ନଥିବା ଗ୍ରାହକଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ । ଦୋକାନ ସମ୍ମୁଖରେ ସାନିଟାଇଜର୍ ଓ ହାତ ଧୋଇବା ସକାଶେ ପାଣି ରଖିବେ । ଦୋକାନରୁ ସାମଗ୍ରୀ କିଣି ନେଉଥିବା ଗ୍ରାହକ ମାନଙ୍କର ନାମ ଓ ଫୋନ୍ ନମ୍ବର ସହିତ ଅନ୍ୟ ସବୁ ତଥ୍ୟ ଖାତାରେ ଟିପି ରଖନ୍ତୁ । ଏହି ପଞ୍ଚସୂତ୍ରୀ ପାଳନ ନକଲେ ଜୋରିମାନା ଆଦାୟ ସହିତ ସଂପୃକ୍ତ ଦୋକାନ ଏକମାସ ପର୍ଯ୍ୟନ୍ତ ବନ୍ଦ କରାଯିବ, ଏହାକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ଦୋକାନୀ ମାନଙ୍କୁ ଜଣାଇ ଦିଆଯାଇଛି ।
ଗ୍ରାମାଞ୍ଚଳରେ ଏକାଠି ବସି ତାସ୍ ଖେଳିବା, କ୍ରିକେଟ୍, ଭଲିବଲ୍, ଫୁଟବଲ୍ ଖେଳୁଥିବା ପ୍ରଶାସନର ନଜରକୁ ଆସିଛି । ଯାହାଫଳରେ ସଂକ୍ରମଣ ବୃଦ୍ଧିର ଯଥେଷ୍ଟ ଆଶଙ୍କା ରହିଛି । ଏଭଳି କାର୍ଯ୍ୟରୁ ଦୂରରେ ରହିବାପାଇଁ ପ୍ରଶାସନ ପକ୍ଷରୁ ଜଣାଇ ଦିଆ ଯାଉଛି । ଯେଉଁ ମାନେ ଏହି ନିୟମକୁ ମାନିବେ ନାହିଁ , ନିୟମକୁ ଉଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହିତ ସେମାନଙ୍କୁ ୧୪ ଦିନିଆ ସଂଗରୋଧରେ ରଖିବାପାଇଁ ସମସ୍ତ ତହସିଲଦାର ଓ ଥାନା ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗହଳି ହିଁ କରୋନା ସଂକ୍ରମଣ ର ମୂଳ କାରଣ ଏଣୁ ଗହଳି କରନ୍ତୁ ନାହିଁ । ସାମଗ୍ରୀ କିଣି ଘରକୁ ଫେରିଲା ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ । ସତର୍କତା ଅବଲମ୍ବନ ନ କଲେ ତାଙ୍କ ପରିବାର ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।
ଯଦି ଜନସାଧାରଣ ସାମାଜିକ ଦୂରତା ପାଳନ କରିବେ ନାହି ତେବେ ୩୧ ଜୁଲାଇ ପରେ ମଧ୍ୟ ଲକ୍ ଡାଉନ୍ କରିବାର ସମ୍ଭାବନା ରହିପାରେ । ଦୟାକରି କରୋନାର ପ୍ରସାର ରୋକିବା ଦିଗରେ ଏବଂ ଲୋକମାନଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବା ସକାଶେ ପ୍ରଶାସନର ପ୍ରଚଳିତ ନିୟମ ମାନିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here