ମାନବିକତା ପଦକୁ ଲିଭାଇ ଦେଇଛି କରୋନା, ପଟା ରିକ୍ସା କିମ୍ବା ଆମ୍ବୁଲାନ୍ସ କିଛି ଫରକ ନାହିଁ।

0
356

ବୁଗୁଡା(ଅନିଲ କୁମାର ମହାରଣା) କରୋନା ମହାମାରୀ ଆଜିର ଦିନରେ ମାନବ ସମାଜରୁ ମାନବିକତା ପଦକୁ ଲିଭାଇ ଦେଇଛି ନିଜର ମାରାତ୍ମକ ଭୁତାଣୁ ମାଧ୍ୟମରେ। ଯେଉଁ ପୁଅକୁ ଜନ୍ମଦାତ୍ରୀ ମାଆ ନିଜ ରକ୍ତ ଦେଇ ଓ ବାପା ନିଜର ସମସ୍ତ ସ୍ନେହ ଅଜାଡି ଦେଇ ମଣିଷ ଭାବେ ପରିଚିତ କରିଛି , ସେହି ପୁଅ ଆଜି ନିଜ ମାଆ ଓ ବାପା ର ଶବ ସ୍ପର୍ଶ କରିବାକୁ ନାରାଜ। ରକ୍ତ ସମ୍ପର୍କରେ ଆଜି ଛିଡା ହୋଇଛି ପ୍ରାଚୀର। ବିଡମ୍ବନା ଏହିଯେ ଯେଉଁ ମାନଙ୍କ ସହ ନାହିଁ ଶବର ରକ୍ତ ସମ୍ପର୍କ ସେମାନେ କରୁଛନ୍ତି ଅନ୍ତିମ ସଂସ୍କାର। ହଜି ଯାଇଛି ରକ୍ତ ସମ୍ପର୍କ ଓ ମାନବିକତା। ଏହିପରି ସମୟରେ ଆମେ ଶବ ବୁହାଗଲା ଟ୍ରଲିରେ କହି ହାଇଲାଇଟ ହେବାକୁ ମନସ୍ଥ କରୁଥିବା ବେଳେ ଆମ୍ବୁଲାନ୍ସ ଆସିଲା ନାହିଁ କହି ପ୍ରଶାସନ ମୁଣ୍ଡରେ ଅଠା ବୋଳିବାକୁ ତତ୍ପର। ଶବ ଟ୍ରଲିରେ ବୁହା ଗଲା କି ଆମ୍ବୁଲାନ୍ସରେ ନିଆଗଲା ସଥିରେ କିଛି ଫରକ ପଡୁନାହିଁ, ଫରକ ପଡୁଛି ରକ୍ତ ସମ୍ପର୍କୀୟ ବ୍ୟକ୍ତିଙ୍କ ମାନବିକତା ଓ ମାନସିକତା ଉପରେ। ବୁଗୁଡା ସାଇ ରାମ ହୋଟେଲ ମାଲିକ ସନ୍ୟାସି ପାତ୍ରଙ୍କ ଶବ ଟ୍ରଲିରେ ବୁହା ଯିବା ନେଇ ଜୋର ଚର୍ଚ୍ଚା। ପ୍ରଶାସନକୁ ଦିଆଯାଇଛି ଦୋଷ। ହେଲେ ପ୍ରଶ୍ନ ଉଠୁଛି ପ୍ରକୃତରେ ଭୁଲ କାହାର ? ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କର୍ମଚାରୀ ବୃନ୍ଦଙ୍କ ସମେତ ବିଡ଼ିଓ ତନ୍ମୟ ପାତ୍ର ଓ ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରତି ୱାର୍ଡ଼ରେ ସଚେତନତା ସଭା ଅନୁଷ୍ଠିତ କରି ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ କରୋନା ଲକ୍ଷଣ ଦେଖାଦେଲେ କେହିମଧ୍ୟ ଗୋପନ ନରଖି ମହିଳା ସ୍ୱାସ୍ଥ୍ୟ କର୍ମୀ,ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଙ୍କ ମଧ୍ୟରୁ ଯାହାକୁ ମଧ୍ୟ ଜଣାଇ ସ୍ଲାବ ପରୀକ୍ଷା କରନ୍ତୁ। ଯଦି ରିପୋର୍ଟ ନେଗେଟିଭ ଆସେ ଖୁସିରେ ରହନ୍ତୁ, ଯଦି ରିପୋର୍ଟ ପଜିଟିଭ ଆସେ କୋଭିଡ ହସପିଟାଲକୁ ଚିକିତ୍ସା ହେବାକୁ ଯାଆନ୍ତୁ। ହେଲେ ସ୍ବର୍ଗତ ସନ୍ୟାସି ପାତ୍ରଙ୍କ ବିଷୟ ଆଲୋଚନାକୁ ନେଲେ ସେ ନିଜକୁ ଜ୍ବର ହେଉଥିବା କଥା ସମ୍ପୂର୍ଣ୍ଣ ଭାବେ ଲୁଚାଇଛନ୍ତି। ସେ ପ୍ରାୟ ଏକ ସପ୍ତାହ ସମୟ ଜ୍ବରରେ ପୀଡିତ ଥିଲେ ମଧ୍ୟ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇନଥିବା ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସେହିପରି ଜ୍ୱର ହେଉଥିବା ବିଷୟରେ ପ୍ରଶାସନକୁ ମଧ୍ୟ ଜଣାଇ ନାହାଁନ୍ତି। ଯାହା ଫଳରେ ତାଙ୍କର କରୋନା ଲକ୍ଷଣ ଥିଲେ ମଧ୍ୟ ପ୍ରଶାସନକୁ ଲୁଚାଇ କ୍ୱାକ ଦ୍ୱାରା ବା ଅନ୍ୟ କୌଣସି ଉପାୟ ଅବଲମ୍ବନ କରି ନିଜ ଘରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ମୁଖରେ ପଡିଛନ୍ତି। ଶେଷ ସମୟରେ ଗୁରୁତର ହୋଇଥିଲେ ମଧ୍ୟ ବୁଗୁଡା ମେଡିକାଲକୁ ନିଆଯାଇନାହିଁ କି ଡାକ୍ତର ମୃତ୍ୟୁ ଘୋଷଣା କରିନାହାଁନ୍ତି। ଜାତି ଭାଇ କିମ୍ବା ବଂଶ ଭାଇମାନେ କେହିମଧ୍ୟ କରୋନା ଭୟରେ ଶବ ଉଠାଇବାକୁ ଆସିନଥିବା ବେଳେ ପ୍ରଶାସନର ଅଜଣାରେ ପରିବାର ଲୋକେ ଶ୍ମଶାନକୁ ଟ୍ରଲିରେ ଶବ ବୋହିନେଇ ସଂସ୍କାର କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ପ୍ରଶାସନ ଶବ ନେବାକୁ ଆମ୍ବୁଲାନ୍ସ ପଠାଇବେ କିପରି ? ଏଥିସହ ଜନସଚେତନତା ପାଇଁ ବୁଗୁଡା ବ୍ଲକର ଅନ୍ୟ ଏକ ଘଟଣା ଉଲ୍ଲେଖ କରାଯାଇ ପାରେ। ବୁଗୁଡା ବ୍ଲକ ବିଷ୍ଣୁଚକ୍ର ଗ୍ରାମର ବ୍ୟକ୍ତି ତଥା ବଣପଲ୍ଲୀ ବିଦ୍ୟାଳୟର ଶିକ୍ଷକ କରୋନା ଯୋଦ୍ଧା ନାରାୟଣ ମହାନ୍ତି। ସେ ନିଜେ ଅନୁଭବ କଲେଯେ ତାଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଛି। ସେ ସଙ୍ଗେ ସଙ୍ଗେ ବିଡ଼ିଓ ତନ୍ମୟ ପାତ୍ରଙ୍କୁ ଜଣାଇ ନିଜର ସ୍ଲାବ ଟେଷ୍ଟ କରାଇଥିଲେ। ପଜିଟିଭ ବାହାରିବା ପରେ କୋଭିଡ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ। ସେହିପରି ଅନ୍ୟ ଜଣେ କରୋନା ଯୋଦ୍ଧାଙ୍କ ବିଷୟ ଆଲୋଚନାକୁ ଆଣିବା ମଧ୍ୟ ନିହାତି ଆବଶ୍ୟକ। ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମର ଅଙ୍ଗନବାଡି କର୍ମୀ ଭାରତୀ ସ୍ଵାଇଁ। ଜଣେ ଦକ୍ଷ କରୋନା ଯୋଦ୍ଧା । ନିଜେ କରୋନା ସଚେତନା ପାଇଁ ଗୀତ ଲେଖି ଓ ଗାନ କରି କରୋନା ଆକ୍ରମଣରୁ କିପରି ରକ୍ଷା ପାଇପାରିବ ସେଥିପାଇଁ ପ୍ରଚାର କରିଥିଲେ। ହେଲେ ଯେତେବେଳେ ତାଙ୍କୁ ଜ୍ୱର ହେବା କଥା ବୁଗୁଡା ବିଡ଼ିଓ ଶୁଣିଲେ ତାଙ୍କର ସ୍ଲାବ ଟେଷ୍ଟ ପାଇଁ ଭାରତୀ ସ୍ବାଇଁକୁ କହିଥିଲେ। ହେଲେ ଭାରତୀ କହିଲେଯେ ପ୍ରଚାର କାର୍ଯ୍ୟରେ ବୁଲି ଟିକେ ମଜରା ଜ୍ୱର ହୋଇଥିଲା ଭଲ ହୋଇଗଲାଣି। ସେ ଜଣେ କରୋନା ଯୋଦ୍ଧା ଭାବେ ଦକ୍ଷତାର ସହ କାର୍ଯ୍ୟ କରୁଥିଲେ ମଧ୍ୟ ନିଜଠାରେ ଦେଖାଦେଇଥିବା କରୋନା ଲକ୍ଷଣ ଲୁଚାଇ ନିଜେ ଘରେ ଚିକିତ୍ସା ହୋଇ ଶେଷରେ ମୃତ୍ୟୁ ମୁଖରେ ପଡିଲେ। ବିଡ଼ିଓ ମହୋଦୟ ଯେତେବେଳେ ପଚାରିଲେ ସେତେବେଳେ ସେ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ ହୁଏତ ବୁଗୁଡା ବ୍ଲକ ଜଣେ ଦକ୍ଷ କରୋନା ଯୋଦ୍ଧାଙ୍କୁ ହରାଇନଥାନ୍ତା। ଦୁଇ କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ସ୍ବର୍ଗତ ଭାରତୀ ଓ ଶିକ୍ଷକ ନାରାୟଣ ମଧ୍ୟରେ ଏତିକି ପ୍ରଭେଦ ଥିଲାଯେ ଜଣେ କରୋନା ଲକ୍ଷଣକୁ ଲୁଚାଇ ନିଜର ଅମୂଲ୍ୟ ଜୀବନ ହରାଇଥିବା ବେଳେ ଜଣେ ନିଜର କରୋନା ଲକ୍ଷଣକୁ ପ୍ରଶାସନଙ୍କୁ ଜଣାଇ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରି ପରିବାର ସହ ହସ ଖୁସିରେ ରହିଲେ। ଏଥରୁ ଆମେ ଶିକ୍ଷାଲାଭ କରିବା ଉଚିତ ଯେ ଆମେ ପ୍ରତି କଥାରେ ପ୍ରଶାସନକୁ ଦୋଷ ନଦେଇ ଜନସାଧାରଣ କିପରି କୋଭିଡ ଆଇନକୁ ପାଳନ କରିବେ ସେଥିପାଇଁ ଦୃଷ୍ଟି ଦେବାକୁ ପଡିବ। ସତର୍କତା ଅବଲମ୍ବନ ସ୍ଵତ୍ତ୍ୱେ ଯଦି କରୋନା ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ସ୍ଲାବ ଟେଷ୍ଟ କରି ପଜିଟିଭ ଦେଖାଦେଲେ କୋଭିଡ ହସପିଟାଲରେ ଚିକିତ୍ସା ହେବାକୁ ଗଲେ ଆମେ କରୋନାକୁ ପରାଜୟ କରିପାରିବ।

LEAVE A REPLY

Please enter your comment!
Please enter your name here