ମୋହନା: ଶେଷ ଦିନରେ ତିନି ଦଳର ଦମଦାର ପ୍ରଚାର ମୂଳପୋଛ ଲକ୍ଷ୍ୟରେ ବିଜେଡି , ଆଶଙ୍କାରେ କଂଗ୍ରେସ ଓ ବିଜେପି

0
261

ମୋହନା: ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ମୋହନା ବ୍ଳକରେ ରହିଛି ୩ଟି ଜିଲ୍ଲା ପରିଷଦ ଆସନ । ୨୦୧୭ ନିର୍ବାଚନରେ ୮ ନମ୍ବର ଅଡବା ଜୋନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୯ ନମ୍ବର ମୋହନା ଜୋନରେ ବିଜେପି ଦଳରୁ ଅନିତାରାଣୀ ବେହେରା ଓ ୧୦ ନମ୍ବର ଜୋନରୁ ବିଜେଡିର ସ୍ନିଗ୍ଧାରାଣୀ ରଣସିଂ ବିଜୟ ଲାଭ କରିଥିଲେ। ବୁଧବାର ଦିନ ମୋହନା ନିର୍ବାଚନ ମଣ୍ଡଳୀରେ ହେବ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ୩ଟି ଦଳର ପ୍ରାର୍ଥୀ, ନେତା ଓ କର୍ମୀ ଗଡ ରକ୍ଷାକୁ ନେଇ ଜୋରସୋରରେ ପ୍ରସ୍ତୁତି ଚଲାଇଛନ୍ତି। ସୋମବାର ପ୍ରଚାରର ଶେଷ ଦିନ ହୋଇଥିବାରୁ ୩ଟି ଦଳର ପ୍ରଚାର ମୋହନା ବଜାରକୁ ଡିଜେ ଓ ନାରାବାଜିରେ ପ୍ରକମ୍ପିତ କରିଦେଇଥିଲା। ବିଜେଡିର ଚନ୍ଦ୍ର ମଳିକ, ବିଜେପିର ସସ୍ମିତା ମଳିକ ଓ କଂଗ୍ରେସ ଦଳର ରାଜୀବ ମଳିକ ୯ ନମ୍ବର ମୋହନା ଜୋନରୁ ପ୍ରତି ଦ୍ୱନ୍ଦିତା କରୁଥିବା ବେଳେ ୮ ଜୋନରୁ କଂଗ୍ରେସର ରୀନା ପ୍ରଧାନ ,ବିଜେପିର ବାସ୍ତିନା ମଲ୍ଲିକ ଓ ବିଜେଡିର କୁନ୍ତଳା ମାଝି ପ୍ରତିଦ୍ଵନ୍ଦିତା କରୁଛନ୍ତି । ୧୦ ଜୋନ ଚନ୍ଦ୍ରଗିରିରୁ ବିଜେପିର ବିଶ୍ୱନାଥ ବିଷୋୟୀ ରତ଼୍, ବିଜେଡିର ସୁନିଲ ବିଷୋୟୀ, କଂଗ୍ରେସରୁ ଗୌରୀଶଙ୍କର ପ୍ରଧାନୀ ନିର୍ବାଚନୀ ମଇଦାନରେ ଅବତୀର୍ଣ୍ଣ ହୋଇ ତିନିହେଁ ମଧ୍ୟରେ ଚାଲିଛି କଡା ଟକ୍କର। ଏହି ୩ଟି ଯାକ ଜୋନର ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ବିଜେଡି ଆପ୍ରାଣ ଉଦ୍ୟମ କରିଥିବାବେଳେ ରାଜ୍ୟସ୍ତରୀୟ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ), ମିଡିଆ ସେଲ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ତୁମ୍ବନାଥ ପଣ୍ଡା, ମାରୁତି ପାଳ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ବିଜେପିର ରାଷ୍ଟ୍ରିୟ ସମ୍ପାଦିକା ଡି.ପୁରେନ୍ଦଶ୍ୱରୀ , ଭୁଗୁ ବକ୍ସିପାତ୍ର ଆସି ୩ଟି ଜୋନରେ ନିଜର ପ୍ରଚାର କରି ଯାଇଛନ୍ତି। ସାଂସଦ ସାହୁ ଦିନ ରାତି ଧରି ଏକ କରି ୩ଟି ଜୋନ ପାଇଁ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର କରି ଓ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଶେଷ ଦିନରେ ୩ଟି ଦଳ ବାଇକ, କାର ଓ ପଦଯାତ୍ରାରେ କଲେଜ ଛକରୁ ଡିଜେ ବଜାଇ ନାରାବାଜି କରି ମୋହନା ବଜାର, ସାହି ପରିକ୍ରମା କରି ଯେ ଯାହାର ଭୋଟ ଭିକ୍ଷା କରିଥିଲେ। ବରିଷ୍ଠ ଓ କୁଜି ନେତାମାନେ ବିଭିନ୍ନ ସ୍ଥାନରେ ଡେରା ପକାଇ ଜଗି ରହିଛନ୍ତି। ସେହିଭଳି ମୋହନା ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ପ୍ରାର୍ଥୀମାନେ ଘରକୁ ଘର ଯାଇ ଲୋକଙ୍କୁ ମିଶି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ଫଳ ବାହାରିଲେ ଜଣାପଡିବ କାହାର ପଲା କେତେ ଭାରୀ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here