କରୋନା କଟକଣାରେ ହନୁମାନ ମନ୍ଦିର ପ୍ରତିଷ୍ଠା , ନାଏବ ସରପଞ୍ଚ ସମେତ ୧୧ ଜଣ ଗିରଫ

0
737

ପୋଲସରା(ଅନିଲ କୁମାର ମହାରଣା) ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜା.ଡେଙ୍ଗାପଦର ଗ୍ରାମ ପଞ୍ଚାୟତର ମର୍ଦ୍ଦରାଜ ପୁର ଗ୍ରାମରେ ପ୍ରଶାସନର କରୋନା ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା କରିବା ଲୋକପ୍ରତିନିଧି ଙ୍କୁ ମହଙ୍ଗା ପଡିଲା। ସରପଞ୍ଚ ଶ୍ରୀମତୀ ସୂର୍ଯ୍ୟ ଜେନା ଙ୍କ ପୁଅ ତଥା ପଞ୍ଚାୟତ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ଗତ ଜୁଲାଇ ୨ ତାରିଖ ଠାରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଗ୍ରାମରେ ୫୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସମାଗମ କରାଇ ଯଜ୍ଞ କାର୍ଯ୍ୟ ପରିଚାଳନା କରାଇବା ସହ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତଷ୍ଠା କରିଥିଲେ। କରୋନା ମହାମାରୀ ସମୟରେ ଜନସମାଗମକୁ ସେହି ଗ୍ରାମର ଯୁବକ ଆକୁଳ ସ୍ୱାଇଁ ପ୍ରତିବାଦ କରିବା ଯୋଗୁଁ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ଓ ବଳରାମ ଜେନା ଦୁହେଁ ମିଶି ଆକୁଳ ସ୍ଵାଇଁଙ୍କୁ ମାଡ଼ ମାରି ମୁହଁ, ପିଠି, ହାତ, ଗୋଡ଼ କୁ ରକ୍ତାକ୍ତ କରିଥିଲେ। ଆକୁଳ ସ୍ୱାଇଁ ଏହି ଘଟଣା ନେଇ ଜୁଲାଇ ୭ ତାରିଖରେ କରିଥିବା ଅଭିଯୋଗକୁ ଭିତ୍ତି କରି ପୋଲସରା ଥାନା କେଶ ନମ୍ବର ୧୬୭/୨୦ ଧାରା ୩୪୧, ୨୯୪, ୩୨୩, 56, ଓ ୩୪ ଅନୁଯାୟୀ ଏକ ମାମଲା ରୁଜୁକରି ତଦନ୍ତ ଭାର ସବ୍ ଇନସ୍ପେକ୍ଟର କେଶବ ଷଡ଼ଙ୍ଗୀଙ୍କୁ ପ୍ରଦାନ କରାଯାଇଥିଲା।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚ ମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଇଥବା ବେଳେ ସରପଞ୍ଚଙ୍କ ନିଜ ପୁଅ ତଥା ନାଏବ ସରପଞ୍ଚ ଏହି କରୋନା ମହାମାରୀ ସମୟରେ ଜନସମାଗମ କରି ଉଭୟ ନୀୟମ ଉଲଙ୍ଘନ କରିବା ସମ୍ପୂର୍ଣ୍ଣ ଅନୁଚିତ ଥିଲା। ପ୍ରଭୁ ଜଗନ୍ନାଥଙ୍କ ପୃଥିବୀ ପ୍ରସିଦ୍ଧ ପୁରୀ ରଥଯାତ୍ରା ଭକ୍ତଙ୍କ ବିନା ହୋଇଥିବା ବେଳେ ଆମ ରାଜ୍ୟର ଅନ୍ୟ କୌଣସି ମନ୍ଦିରରେ ରଥଯାତ୍ରା ହୋଇନଥିବା ବେଳେ ଏଥିରୁ ନାଏବ ସରପଞ୍ଚ କିଛି ଶିକ୍ଷା ଲାଭ କରିନଥିବା ଅତ୍ୟନ୍ତ ଦୁର୍ଭାଗ୍ୟ। ଯାହାହେଉ ଶେଷରେ ଜୁଲାଇ ୧୧ ତାରିଖ ଅପରାହ୍ନରେ ନାଏବ ସରପଞ୍ଚଙ୍କ ସମେତ ୧୧ ଜଣ ଗିରଫ ହୋଇଥିବା ଆଇଆଇସି ଜିତେନ୍ଦ୍ର କୁମାର ମଲିକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here