ଥଣ୍ଡା,କାଶ,ଜ୍ବର ହେଉଥିବା ବ୍ୟକ୍ତି ଚିକିତ୍ସାଳୟ ପରିବର୍ତ୍ତେ କୋଭିଡ୍ କେୟାର ସେଣ୍ଟରକୁ ଯାଇ ନିଜର ଚିକିତ୍ସା କରାନ୍ତୁ :ଜିଲ୍ଲାପାଳ

0
948

ଛତ୍ରପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ସ୍ତରରୁ ବରିଷ୍ଠ ଅଧିକାରୀଗଣ ଜିଲ୍ଲାର ପ୍ରତି ଅଞ୍ଚଳ ଗସ୍ତ କରି କୋଭିଡ୍ ପରିଚାଳନା କାର୍ଯ୍ୟ ତଦାରଖ କରିବେ । କୋଭିଡ୍ କେୟାର ହୋମ୍ ରେ ସମସ୍ତ ଆବଶ୍ୟକୀୟ ସେବା ସାମଗ୍ରୀ ମହଯୁଦ ରଖିବା ସହିତ ସ୍ବଚ୍ଛତା ବଜାୟ ରଖିବା ଏବଂ ସେହିଠାରେ ରହିଥିବା ବ୍ୟକ୍ତିଙ୍କୁ ଭିଟାମିନ୍-ସି ଯୁକ୍ତ ଖାଦ୍ୟ ଓ ଗରମ ପାନୀୟ ଜଳ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯଦି ଜଣେ ବ୍ୟକ୍ତିଙ୍କର କରୋନା ସଂକ୍ରମଣ ଦେଖାଯାଏ ତେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ୧୪୪ ଧାରା ଲାଗୁ କରିବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ସେହି ଅଞ୍ଚଳରେ କୌଣସି ଉତ୍ସବ ଯେମିତି ହେବ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । କଣ୍ଟେନମେଣ୍ଟ ଜୋନ୍ ଗୁଡିକରେ ତେଜରାତି, ପନିପରିବା, ଦୁଗ୍ଧ, ଔଷଧ ସାମଗ୍ରୀ ପହଞ୍ଚାଇବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ସେହି ଅଞ୍ଚଳରୁ କୌଣସି ବ୍ୟକ୍ତି ବାହାରକୁ ଯିବାକୁ ବାରଣ କରିଥିଲେ । କଣ୍ଟେନମେଣ୍ଟ ଜୋନ୍ ର ପ୍ରତିଟି ଘରର ସଦସ୍ୟ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଛି ସେମାନଙ୍କୁ କୋଭିଡ୍ କେୟାର ହୋମ୍ କୁ ନେବା ଓ ସ୍ବାବ୍ ସଂଗ୍ରହ ଉପରେ ଗୁରୁତ୍ବ ଦିଆଯାଇଥିଲା । କୋଭିଡ୍ କେୟାର ମନିଟରଙ୍କୁ ଠିକ୍ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ କାର‌୍ୟ୍ୟରେ ନିୟୋଜିତ କରିବାକୁ କୁହାଯାଇଥିଲା । ଯେଉଁ ମାନଙ୍କର ଥଣ୍ଡା,କାଶ,ଜ୍ବର ହେଉଛି ସେମାନେ ଚିକିତ୍ସାଳୟ ପରିବର୍ତ୍ତେ କୋଭିଡ୍ କେୟାର ସେଣ୍ଟରକୁ ଯାଇ ନିଜର ଚିକିତ୍ସା କରାନ୍ତୁ ବୋଲି ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ । କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ଠିକ୍ ରୂପେ କୋଭିଡ୍ କ୍ଲାସ୍ କରି ସେମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ ।
ଭିଡିଓ କନଫରେନ୍ସିଂ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଚିକିତ୍ସା ଅଧିକାରୀ ଡଃ ଆର . ଜଗଦୀଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here