ରଜ ସଂକ୍ରାନ୍ତିକୁ କରୋନା ମାଡ଼; ମା’ ସିଂହାସନୀଙ୍କ ପୀଠ କୋଳାହଳ ଶୂନ୍ୟ

0
459

ପୋଲସରା(ରତ୍ନାକର ସାହୁ) ପଵିତ୍ର ରଜପର୍ବ ପ୍ରତିବର୍ଷ ସାଧାରଣତଃ ଓଡ଼ିଆଙ୍କ ମନରେ ଆନନ୍ଦ, ଉଦ୍ଦୀପନା, ଶିହରଣ ଭରିଦେଇଥାଏ l ବିଶେଷକରି ମହିଳା ମାନେ ଏହି ପର୍ବକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରି ଏହାର ମହତ୍ୱ ପ୍ରତିପାଦିତ କରିଥାନ୍ତି l ଏହିପର୍ବରେ ଶିଶୁମାନଙ୍କ ଆନନ୍ଦର ସୀମା ରହିନଥାଏ l ପିଠାପଣା ଖାଇ ସାଙ୍ଗମାନଙ୍କ ଘରକୁ ଯାଇ ବୁଲି ବୁଲି ମଜା ନେଇଥାନ୍ତି l ଯୁବତୀ ମାନେ ବାଡ଼ିପଟେ କଉଡ଼ି, ଲୁଡୁ ଆଦି ବିଭିନ୍ନ ଖେଳସାଙ୍ଗକୁ ରାଜଦୋଳି ଖେଳି ଆନନ୍ଦଉଲ୍ଲାସରେ କାଟିଥାନ୍ତି l ଯୁବଗୋଷ୍ଟି ଏବଂ ବୟସ୍କ ମାନେ ଏହି ପର୍ବକୁ ତାସ ଖେଳରେ ମନୋନିବେଶ କରି ମଜା ଉଠାଇଥାନ୍ତି l କିନ୍ତୁ ଏବର୍ଷ କରୋନା ମହାମାରୀ ଯୋଗୁଁ ସବୁକିଛି ଓଲଟପାଲଟ ହୋଇଯାଇଛି l ବିଭିନ୍ନ କଟକଣା ଯୋଗୁଁ ରଜଭଳି ଏତେବଡ ପର୍ବରେ ସମସ୍ତଙ୍କ ମନ ଫିକା ପଡିଯାଇଛି l ଏପରିକି ବିଭିନ୍ନ ମନ୍ଦିର ଗୁଡିକରେ କଟକଣା ଲାଗିଥିବାରୁ ରଜ ସଂକ୍ରାନ୍ତିରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନରୁ ବଞ୍ଚିତ ହୋଇଛନ୍ତି l ପୋଲସରା ବ୍ଲକ ଅନ୍ତର୍ଗତ ମା’ ସିଂହାସନୀଙ୍କ ପୀଠ ରଜ ସଙ୍କ୍ରାନ୍ତି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ମା ‘ଙ୍କ ପୀଠ କୋଳାହଳ ଶୂନ୍ୟ ରହିଛି l ଏଠାକୁ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଜମାହୋଇ ପୂଜାର୍ଚ୍ଚନା କରିଥାନ୍ତି l କିନ୍ତୁ ଏବର୍ଷ କରୋନାକୁ ଦୃଷ୍ଟିରେ ରଖି ଏବଂ ଶ୍ରଦ୍ଧାଳୁଙ୍କ ଭିଡ ଆଶଙ୍କା କରି ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଛି l ଫଳରେ ରଜ ସଂକ୍ରାନ୍ତିଙ୍କୁ ଶ୍ରଦ୍ଧାଳୁ ମାନେ ନିରାଡ଼ମ୍ବର ସହକାରେ ନିଜନିଜ ଘରେ ପାଳନ କରିଥିବା ଜଣାପଡିଛି l 

LEAVE A REPLY

Please enter your comment!
Please enter your name here