ତିନି ଡକାୟତି ମାମଲାରେ ୭ ଗିରଫ

0
636

ବେଲଗୁଣ୍ଠା(ଶିବରାମ ଚୌଧୁରୀ):ଗତ କିଛି ଦିନ ମଧ୍ୟରେ ଏକ ନୁଆ ଡକାୟତି ଦଳ ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଥିଲା ।ଦୁଇଟି ଥାନା ଅଞ୍ଚଳରେ ତିନୋଟି ଜାଗାରେ ଡକାୟତି କରି ଟଙ୍କା ଓ ମୋବାଇଲ୍ ଲୁଟି ନେଉଥିଲେ ।ବିଭିନ୍ନ ଥାନାରେ ମାମଲା ରୁଜ୍ଜୁ ହେବା ପରେ ପୋଲିସ ଏମାନଙ୍କ ଗତିବିଧି ଉପରେ ନଜର ରଖି ଦୁଇ ଜଣଙ୍କ ମୋବାଇଲ ଟ୍ରାକିଂ କରିଥିଲା ।ପାଞ୍ଚ ଦିନ ମଧ୍ୟରେ ତିନୋଟି ଡକାୟତି କରିଥିବାରୁ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଗତ ରାତିରେ ବିଭିନ୍ନ ସ୍ଥାନରେ ଏହି ଡକାୟତି ଦଳକୁ ଏକ ନାଟକୀୟ ଢଙ୍ଗରେ ଧରିବାକୁ ସକ୍ଷମ ହୋଇଛି ।ସମୁଦାୟ ୭ ଜଣଙ୍କ ମଧ୍ୟରୁ ସମସ ତିନୋଟି ମାମଲାରେ ପାଞ୍ଚ ଜଣ ସମୃକ୍ତ ଥିବା ବେଳେ ଅନ୍ୟ ଏକ ମାମଲାରେ ନୁଆ ଦୁଇଜଣ ସାମିଲ ହୋଇଥିଲେ ।ସମସ୍ତ ୭ ଜଣକୁ ଗିରଫ କରି ବେଲଗୁଣ୍ଠା ଫାଣ୍ଡି ଅଧିକାରୀ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ଏହି ଗ୍ୟାଙ୍ଗ ଡକାୟତି ସମୟରେ ବ୍ୟବହାର କରୁଥିବା ଗୋଟିଏ ୨୨୦ସିସି ପଲସର୍(ଜି.ଜେ ୦୫ଏସ୍.ଏଚ୍.୩୭୭୨),ହୋଣ୍ଡା ସାଇନ୍(ଜିଜେ୦୫ଏସଜି୪୬୪୮) ଓ ହୋଣ୍ଡା ୟୁନିକର୍ଣ(ଓଡି୦୭ୟୁ୬୨୪୯) ଏପରି ୩ ଟି ମୋଟରସାଇକଲ ଜବତ କରିବା ସହ ଲୋକଙ୍କ ଠାରୁ ନେଇଥିବା ୭ଟି ମୋବାଇଲ ଫୋନ୍ ଓ ନଗଦ ୧୩୦୦୦ଟଙ୍କା ଜବତ କରିଥିବା ପୋଲିସ କହିଛି ।
ପୋଲିସ ସୁତ୍ରରୁ ଜଣାପଡିଛି ଯେ, ଗତ ମଇ ମାସ ୩୧ ତାରିଖରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ମନ୍ଦାର ଗ୍ରାମର ମଧୁ ପଣ୍ଡାଙ୍କ ପୁଅ ରାହୁଲ ପଣ୍ଡା (୨୬) ଦିନ ୩ଟା ସମୟରେ ଭଞ୍ଜନଗରରୁ ମନ୍ଦାର ଫେରୁଥିବା ବେଳେ ଗାଁ ଛକ ନିକଟରେ ତିନୋଟି ବାଇକରେ ୭ ଜଣ ଯୁବକ ରାହୁଲକୁ କାଠ ଫାଳିଆରେ ମାଡ ମାରିବା ସହ ନଗଦ ୩୦୦୦ଟଙ୍କା ଓ ମୋବାଇଲ ଫୋନ୍ ଲୁଟିନେଇଥିଲେ ।ଏ ନେଇ ରାହୁଲ ବେଲଗୁଣ୍ଠା ଫାଣ୍ଡିରେ ଏତାଲା ଦେବା ପରେ ଭଞ୍ଜନଗର ଥାନାରେ ୨୮୩/୨୦ରେ ଏକ ମାମଲା ରୁଜ୍ଜୁ କରି ରାହୁଲର ମୋବାଇଲକୁ ପୋଲିସ ଟ୍ରାକିଂ କରିଥିଲା ।ଚଳିତ ମାସ ୨ ତାରିଖ ରାତି ୯ ଟାରେ ବୁଗୁଡା ଥାନା ମୋଟାବାଡି ଗ୍ରାମର ମନୋଜ ରାଉତ ବେଲଗୁଣ୍ଠାରୁ ମୋଟାବାଡି ଯାଉଥିବା ବେଳେ ମୋଟାବାଡିଠାରୁ ଦୁଇ କିଲୋମିଟର ପୁର୍ବରୁ ଏହି ଡକାୟତି ଦଳ ମନୋଜକୁ ଅଟକାଇ କାଠ ଫାଳିଆରେ ମାରିବା ସହ ମୋବାଇଲ ଓ କିଛି ଟଙ୍କା ଛଡାଇ ନେଇଥିଲେ ।ଏ ନେଇ ମନୋଜ ବୁଗୁଡା ଥାନାରେ ଏତଲା ଦେବା ପରେ ବୁଗୁଡା ଥାନାରେ ୧୫୫/୨୦ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।ମଇ ୩ ତାରିଖ ଦିନ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସରନୁଆପଲ୍ଲୀ ଗ୍ରାମର ଚିତ୍ରସେନ ଗୌଡ ରାତି ୮.୩୦ମି ସମୟରେ ବେଲଗୁଣ୍ଠାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଏହି ଡକାୟତି ଦଳ ତିନୋଟି ବାଇକରେ ଆସି ଚିତ୍ରସେନକୁ ମାଡ ମାରିବା ସହ ୧୦୭୦୦ଟଙ୍କା ସହ ଏକ ଦାମୀ ମୋବାଇଲ ଛଡାଇନେଇଥିଲେ ।ବେଲଗୁଣ୍ଠା ଫାଣ୍ଡିରେ ଚିତ୍ରସେନ ଦେଇଥିବା ଏତାଲା ପ୍ରକାରେ ୩୦୫/୨୦ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିଲେ ।ତିନୋଟି ମୋବାଇଲକୁ ପୋଲିସ ଟ୍ରାକିଂ କରି ପ୍ରଥମେ ଏହି ଗ୍ୟାଙ୍ଗର ତିନି ଜଣଙ୍କୁ ଉଠାଇଆଣିଥିଲା ।ପରେ ଅନ୍ୟ ୪ ଜଣକୁ ଗିରଫ କରିବାର ପୋଲିସ ସକ୍ଷମ ହୋଇଥିଲା ।ଗିରଫ ଡକାୟତମାନେ ହେଲେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଚଢିଆପଲ୍ଲି ଗ୍ରାମର ବୁଢ଼ା ଲେଙ୍କାଙ୍କ ପୁଅ ରାମକୃଷ୍ଣ ଲେଙ୍କା(୨୧)ଓରଫ ଆର୍.କେ,ବେଲଗୁଣ୍ଠା କେଉଟ ସାହିର ରଞ୍ଜନ ଗୌଡଙ୍କ ପୁଅ ଅନୀଲ ଗୌଡ(୨୧),ଚନ୍ଦ୍ର ବେହେରାଙ୍କ ପୁଅ ପ୍ରତାପ ବେହେରା(୨୧),ସରପଲ୍ଲୀର ତ୍ରିନାଥ ବେହେରାଙ୍କ ପୁଅ ଲିପୁ ବେହେରା(୨୨),ଭଞ୍ଜନଗର ଥାନା ନନ୍ଦିନୀପଲ୍ଲୀର ଜଟେଶ୍ୱର ସେଠୀଙ୍କ ପୁଅ ଶିବ ସେଠୀ(୨୨),ଓ ବୁଗୁଡା ଥାନା ଗୌଡିଆ ବୋରଦାର ତ୍ରିନାଥ ବେହେରାଙ୍କ ପୁଅ କୋକ ବେହେରା(୨୧) ଓ ତ୍ରିନାଥ ବେହେରାଙ୍କ ପୁଅ ମୁନା ବେହେରା(୨୧)।ଆଜି ଏମାନଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି ।ଏମାନଙ୍କ ମଧ୍ୟରୁ ୪ ଜଣ ସୁରତରୁ ଆସିଥିବା ଜଣାପଡିଛି ।ଡକାୟତି ହେବାର ପାଞ୍ଚ ଦିନ ମଧ୍ୟରେ ପୋଲିସ ଡକାୟତି ମାନଙ୍କୁ ଗିରଫ କରିଥିବାରୁ ବେଲଗୁଣ୍ଠା ପୋଲିସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଜନସାଧାରଣଙ୍କ ପୋଲିସ ଉପରେ ଆସ୍ଥା ବଢିଛି ।

LEAVE A REPLY

Please enter your comment!
Please enter your name here