ସଙ୍ଗରୋଧ କେନ୍ଦ୍ରକୁ ସରପଞ୍ଚ ମାଆ ପଠାଇଲେ ସାବିତ୍ରୀ ଭାର

0
406

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ଶୁକ୍ରବାର, ମଇ ୨୨ ତାରିଖ, ସାବିତ୍ରୀ ଅମାବାସ୍ୟା। ସ୍ବାମୀଙ୍କ ମଙ୍ଗଳ କାମନା କରି ବିବାହିତ ମହିଳାମାନେ ପାଳନ କରନ୍ତି ସାବିତ୍ରୀ ବ୍ରତ। ହେଲେ ଦାଉ ସାଜିଲା କରୋନା ମହାମାରୀ ପାଇଁ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ରହଣି। ମନଦୁଃଖରେ ସଙ୍ଗରୋଧ କେନ୍ଦ୍ରରେ ଥିବା ବିବାହିତ ମହିଳା ବୃନ୍ଦ। ସମସ୍ତେ ଚିନ୍ତା କଲେ,ଏତେ ବଡ଼ ମେରୁ ଯାତ୍ରା ଅଟକିଲା, ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ଉତ୍ସବରେ ଲାଗିଲା କଟକଣା, ଆମେ ମଧ୍ୟ ସାବିତ୍ରୀ ବ୍ରତ ବିନା ପୂଜାପାଠରେ ଭଗବାନଙ୍କୁ ଡାକି ବ୍ରତ ପାଳନ କରିବାକୁ ମନେ ମନେ ସ୍ଥିର କରିଥିଲେ ମଧ୍ୟ ମନରେ ଶାନ୍ତି ନଥିଲା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବିବାହିତ ମହିଳା ବୃନ୍ଦଙ୍କ। ହେଲେ ମାଣିତରା ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥିବା ବିବାହିତ ମହିଳାଙ୍କ ମନରେ ଖୁସି ଆଣିପାରିଥିଲେ ସରପଞ୍ଚ ମାଆ ଶାନ୍ତିଲତା ନାୟକ। ନିଜ ପୁଅ ବବୁଲ ହାତରେ ପଞ୍ଚାୟତର ୩ ଟି କେନ୍ଦ୍ରରେ ଥିବା ୧୩ ଜଣ ବିବାହିତ ମହିଳାଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ ପାଇଁ ପଠାଇଥିଲେ ସାବିତ୍ରୀ ଯୋଗାଡ଼। ଖୁସିର ଲହରୀ ଖେଳିଗଲା ସଙ୍ଗରୋଧ କେନ୍ଦ୍ରରେ ଥିବା ୧୩ ଜଣ ମହିଳାଙ୍କ ମୁଖରେ। ଆନନ୍ଦରେ ମାଆ ଦେଇଥିବା ନୂଆଁ ଶାଢୀ ପିନ୍ଧି ଓ ପୂଜା ସାମଗ୍ରୀ ନେଇ ସଙ୍ଗରୋଧ କେନ୍ଦ୍ରରେ ପାଳିଲେ ସାବିତ୍ରୀ ଅମାବାସ୍ୟା ବ୍ରତ। ପ୍ରକୃତରେ ମାଆ ହୃଦୟ କେତେ ମହାନ !

LEAVE A REPLY

Please enter your comment!
Please enter your name here