ଲକଡାଉନରେ ସମୟର କଡ ଲେଉଟାଣି ; ଚିଙ୍ଗୁଡ଼ିଖୋଲ ଠାରେ ଚାଉଳ ଚୋରି

0
837

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ସଂପ୍ରତି ବିଶ୍ୱର ଅଧିକାଂଶ ଦେଶ ଲକ ଡାଉନରେ ଥିବାବେଳେ ସମାଜର ବିଭିନ୍ନ କ୍ଷେତ୍ର ଓ ଦିଗରେ ପରିବର୍ତନ ପରିଲକ୍ଷିତ ହେଉଛି l କିଛି ସକାରାତ୍ମକ ଓ କିଛି ନକାରାତ୍ମକ l ସକାରାତ୍ମକ ଦିଗ ହେଉଛି ଯାନବାହାନ, କଳକାରଖାନା ଆଦି ବନ୍ଦଯୋଗୁଁ ବାୟୁମଣ୍ଡଳରେ ଉର୍ଣ୍ଣତି ଘଟିଛି l ଲୋକମାନେ ନିରାଡ଼ମ୍ବର ଜୀବନଯାପନ କରୁଛନ୍ତି, ଧାଁଦୌଡ଼ ଠୁ ଦୁରେଇ ରହି ପରିବାର ସହ କଟାଉଛନ୍ତି, ପର୍ଯ୍ୟାପ୍ତ ସମୟ ପାଇବା ଯୋଗୁଁ ମନମୁତାବକ କାର୍ଯ୍ୟ କରିପାରୁଛନ୍ତି, ବାଡ଼ିର ଯତ୍ନ ନେଉଛନ୍ତି l ମୋଟ ଉପରେ କହିଲେ ସମାଜରେ ଶାନ୍ତିଶୃଙ୍ଖଳା ବଜାୟ ରହିଛି l ସତେ ଯେପରି ଜନସାଧାରଣ ବହୁପୂର୍ବର ଜୀବନଯାପନ ଆଦରି ନେଇଛନ୍ତି l କିନ୍ତୁ ନକାରାତ୍ମକ ଦିଗ ଅତ୍ୟନ୍ତ ପୀଡାଦାୟକ l ଜନସାଧାରଣ କାମଧନ୍ଧାରୁ ବିରତି ରହି ରୋଜଗାର ହରେଇଛନ୍ତି,  ଜୀବିକା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଶ୍ରମିକ ମାନେ ଫସି ରହିଛନ୍ତି, ଯେଉଁ ଗରିବମାନେ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ଚଳଣି କଷ୍ଟକର ହୋଇପଡିଛି l  ପରିସ୍ଥିତି ଏମିତି ନହେଉ ଅଭାବରେ ପଡି ଖାଦ୍ୟପାଇଁ ଲୋକ ଚୋରୀ କରିବା ଅବସ୍ଥାକୁ ଆସିଯାଆନ୍ତୁ l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମରେ l ସାଧାରଣତଃ ସତୁରି ଅଶୀ ଦଶକରେ ଘଟୁଥିବା ଖାଦ୍ୟ ପାଇଁ ଚୋରୀ ଭଳି ଘଟଣା ଦେଖିବାକୁ ମିଳିଛି l ପ୍ରାପ୍ତ ସୂଚନା ଅନୁଯାୟୀ ସେହି ଗ୍ରାମର ନୁଆଁ ସାହି ବାସିନ୍ଦା ଚରଣ ପ୍ରଧାନଙ୍କ ଘରୁ ସୋମବାର ମଧ୍ୟ୍ୟ ରାତ୍ରରେ ଚୋରୀ ହୋଇଛି l କେହି ଦୁର୍ବୁତ୍ତ ତାଙ୍କ ବାରି କବାଟ ଭାଙ୍ଗି ଡ୍ରମରେ ଥିବା ଚାଉଳ, ଲୁଗାପଟା ଏବଂ ପେଡ଼ିରେ ଥିବା ଆଠ ହଜାର ଟଙ୍କା ଚୋରୀ କରିଛି l ସେହିପରି ଅନ୍ୟ ଏକ ଘଟଣାରେ ସେହିଗ୍ରାମର ଗୋପୀନାଥ ସାହିର ଶିବ ସ୍ୱାଇଁଙ୍କ ଘର କବାଟ ଭାଙ୍ଗୁଥିବା ବେଳେ ପାଟିଶୁଣି ଦୁର୍ବୁତ୍ତ ଚମ୍ପଟ ମାରିଛି l ଏହି ଦୁଇ ଘଟଣାରୁ ଜଣାପଡୁଛି ଲକ ଡାଉନର ସମୟସୀମା ଯେତେ ଆଗକୁ ବଢିବ ବିଭିନ୍ନ ଗ୍ରାମରେ ଏଭଳି ଘଟଣାର ପୁନରାବୃତ୍ତି ଯେ ନହେବ ଏକଥା କିଏ କହିବ? ତେଣୁ ଏ ଦିଗକୁ ଦୃଷ୍ଟିରେ ରଖି ପ୍ରଶାସନ ଆଗୁଆ ପଦକ୍ଷେପ ନେବାକୁ ସାଧାରଣରେ ଚର୍ଚ୍ଚା ହେଉଛି l 

LEAVE A REPLY

Please enter your comment!
Please enter your name here