ବିଦ୍ୟୁତ୍ ବିଛିନ୍ନ ନକରିବା ପାଇଁ ଆଭ୍ୟନ୍ତରୀଣ ନିର୍ଦ୍ଦେଶ

0
708

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବିଦ୍ୟୁତ୍ ଜନିତ ମାମଲା ବିଚାରାଧୀନ ଥିବା ସମୟରେ ମାସିକ ଦେୟ ପୈଠ କରିବା ପାଇଁ ଲିଖିତ ଆବେଦନ ପତ୍ର ଉପଭୋକ୍ତା ଦେବା ପରେ ଗ୍ରହଣ କରିବା ପରିବର୍ତ୍ତେ ବିଦ୍ୟୁତ୍ ଯୋଗାଣ ବିଛିନ୍ନ କରିବା ପାଇଁ ବିଦ୍ୟୁତ୍ ବିତରଣ ସଂସ୍ଥା ଧମକ ଦେଇଥିଲେ । ଯାହା ଭାରତୀୟ ବିଦ୍ୟୁତ୍ ଆଇନ,୨୦୦୩ର ଧାରା ୫୬(୧)(ଖ) କୁ ଉଲଂଘନ ହୋଇଥିବା ଦର୍ଶାଇ ବିଦ୍ୟୁତ୍ ଉପଭୋକ୍ତା ବ୍ରହ୍ମପୁର ସ୍ଥିତ ସ୍ଥାୟୀ ଲୋକ ଅଦାଲତ (ଜନ ସେବା ପ୍ରଦାନ) ଗଞ୍ଜାମ-ଗଜପତି ଙ୍କ ଠାରେ ଆଇନ ସେବା ପ୍ରାଧୀକରଣ ନିୟମ ଓ ବିଦ୍ୟୁତ୍ ଆଇନ ଅନୁଯାୟୀ ଅଭିଯୋଗ ଦାଖଲ କରିଥିଲେ । ତଦନୁଯାୟୀ ମାନ୍ୟବର ଅଦାଲତ ବିଦ୍ୟୁତ୍ ବିତରଣ ସଂସ୍ଥାକୁ ଉକ୍ତ ଉପଭୋକ୍ତାଙ୍କ ଠାରୁ ବିଦ୍ୟୁତ୍ ଦେୟ ବାବଦରେ ଦୁଇଟି କିସ୍ତିରେ ୧୦,୦୦୦ଟଙ୍କା ଏବଂ ଡିସେମ୍ବର ୨୦୧୯ ମାସର ବିଲ୍ ଗ୍ରହଣ କରିବା ସହ ଉପଭୋକ୍ତାଙ୍କୁ ଯୋଗାଣ ହୋଇଥିବା ବିଦ୍ୟୁତ୍କୁ ବିଛିନ୍ନ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଥାଉକି, ହିଞ୍ଜିଳିକାଟୁ ବିଦ୍ୟୁତ୍ ବିତରଣ ସଂସ୍ଥା ସାଉଥକୋ ଗତ ୨୦୧୮ ମସିହାଠାରୁ ସମରଝୋଳର ବିଦ୍ୟୁତ୍ ଉପଭୋକ୍ତା ଶ୍ରୀମତୀ ମହେଶ୍ବରୀ ସାହୁଙ୍କ ଠାରୁ ମାସିକ ଦେୟ ଗ୍ରହଣ କରୁନଥିଲେ । ସେ ବାରମ୍ବାର ଉକ୍ତ ସାଉଥକୋ ସଂସ୍ଥାକୁ ଅନୁରୋଧ କରିଥିଲେ ମଧ୍ୟ ଶୁଣି ନଥିଲେ । ବାଧ୍ୟ ହୋଇ ବିଦ୍ୟୁତ୍ ଆଇନ,୨୦୦୩ର ଧାରା ୫୬(୧)(ଖ) ଅନୁଯାୟୀ ଗତ ୧୩.୦୨.୨୦୨୦ରେ ଏକ ଲିଖିତ ପ୍ରତିବାଦ ପତ୍ର ସହ ବକେୟା ଦେୟରୁ ୫୦୦୦ଟଙ୍କା ହିଞ୍ଜିଳିକାଟୁ ବିଦ୍ୟୁତ୍ ବିତରଣ ସଂସ୍ଥାକୁ ନିବେଦନ କରିଥିଲେ । କିନ୍ତୁ ଉକ୍ତ ପ୍ରତିବାଦ ପତ୍ର ଓ ଦେୟ ଗ୍ରହଣ କରିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ ଯନ୍ତ୍ରୀ । ଉପଭୋକ୍ତା ବାଧ୍ୟ ହୋଇ ଉକ୍ତ ପତ୍ରକୁ ପୋଷ୍ଟ ମାଧ୍ୟମରେ ପଠାଇଥିଲେ । କୌଣସି ପଦକ୍ଷେପ ଗ୍ରହଣ ନକରିବା ଯୋଗୁଁ,ଉପଭୋକ୍ତା ବ୍ରହ୍ମପୁର ସ୍ଥିତ ସ୍ଥାୟୀ ଲୋକ ଅଦାଲତଙ୍କ ଠାରେ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଅନୁଯାୟୀ ମାନ୍ୟବର ଅଦାଲତ, ବିଚାର ପାଇଁ ଗ୍ରହଣ କରି ବକେୟା ବାବଦରେ ୧୦୦୦୦/-ଟଙ୍କା ଦୁଇଟି କିସ୍ତିରେ ୧୫ଦିନ ମଧ୍ୟରେ ଉପଭୋକ୍ତାଙ୍କ ଠାରୁ ଗ୍ରହଣ କରିବା ସହ ଡିସେମ୍ବର ୨୦୧୯ ମାସର ଦେୟ ଗ୍ରହଣ କରିବେ ଏବଂ ଉପଭୋକ୍ତାଙ୍କ ବିଦ୍ୟୁତ୍ ଯୋଗାଣ ବିଛିନ୍ନ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ଉପଭୋକ୍ତାଙ୍କ ତରଫରୁ ବ୍ରହ୍ମପୁର ସ୍ଥିତ ଉପଭୋକ୍ତା ସୁରକ୍ଷା କେନ୍ଦ୍ର-ବେଦିକ୍ ସ୍ୱେଛାସେବୀ ସଂସ୍ଥା ପରିଚାଳନା କରୁଅଛି ।

LEAVE A REPLY

Please enter your comment!
Please enter your name here