ଦିଗପହଣ୍ଡି ପୁଞ୍ଜିକଁୟା ଛକରେ ଯୁବକଙ୍କୁ ଛୁରା ମାଡ। ଶ୍ୱଶୁରର ଛୁରୀ ମାଡରେ ଜ୍ୱାଇଁ ଗୁରୁତର।

0
2003

ଦିଗପହଣ୍ଡି (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)19/07/19 : ଦିଗପହଣ୍ଡି ପୁଞ୍ଜିକଁୟା ଛକ ନିକଟରେ ଗୁରୁବାର ରାତି ପ୍ରାୟ ସାଢେ଼ ୧୦ଟାରେ ଜଣେ ଯୁବକଙ୍କୁ ତାଙ୍କ ଶ୍ବଶୁର ଛୁରା ମାଡ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣକ ହେଲେ ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର ସଞ୍ଜୟ ଗୌଡ।ସଞ୍ଜୟ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ତାଙ୍କ ଶ୍ବଶୁର ସେଠାରେ ପହଞ୍ଚି ସଞ୍ଜୟଙ୍କ ପେଟ ଓ ମୁଣ୍ଡକୁ ଛୁରିରେ ଅତର୍କିତ ଆକ୍ରମଣ କରିଥିଲେ। ଆଖ ପାଖରେ ଥିବା ଲୋକେ ଅଭିଯୁକ୍ତଙ୍କୁ ଗୋଡାଇବାରୁ ସେ ରାସ୍ତା ପାର ହୋଇ ବିଲ ମାଳରେ ଦୋୖଡି ପଳାଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ସଞ୍ଜୟଙ୍କୁ ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏନେଇ ଦିଗପହଣ୍ଡି ଥାନାରେ କୌଣସି ରିପୋର୍ଟ ହୋଇ ନଥିବା ଆଇ ଆଇ ସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି। ସଞ୍ଜୟ ଗତ ଜୁନ ୩୦ ତାରିଖରେ ତାଙ୍କ ଗ୍ରାମର ଜୟନ୍ତୀ ଗୌଡଙ୍କୁ କାଶୀ ବିଶ୍ଵନାଥ ଶୈବ ପୀଠରେ ଉଭୟ ପରିବାର ବନ୍ଧୁବର୍ଗଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେ ପତ୍ନୀଙ୍କ ସହ ଦିଗପହଣ୍ଡି ପୁଞ୍ଜିକଁୟା ଛକ ନିକଟରେ ଭଡ଼ା ଘରେ ରହୁଥିଲେ। ଆକ୍ରମଣର କାରଣ ଜଣା ପଡିନଥିବା ପୋଲିସ କହିଛି। ଆକ୍ରମଣକାରୀ ଶ୍ବଶୁରଙ୍କ ନାଆଁ ଉମାକାନ୍ତ ଗୌଡ। ପ୍ରେମ ବିବାହ କାରଣରୁ ଶ୍ବଶୁର ଅସନ୍ତୁଷ୍ଟ ଥିଲେ। ଏବଂ ଏହି କାରଣରୁ ସେ ଆକ୍ରମଣ କରିଥିବା ଅନୁମାନ କରାଯାଉଛି। ଉମକାନ୍ତଙ୍କୁ ଗିରଫ କରାଯାଇପାରିନାହିଁ।

LEAVE A REPLY

Please enter your comment!
Please enter your name here