ବ୍ରହ୍ମପୁର ସାଉଥକୋ ୟୁଟିଲିଟିରେ କୋଟି କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ,ଘଟଣା ଚପାଇଦେବାକୁ ଉଦ୍ୟମକୁ ବିରୋଧ; ନିରପେକ୍ଷ ତଦନ୍ତ ଦାବୀ କଲା ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ।

0
899

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ସ୍ଥିତ ସାଉଥକୋ ୟୁଟିଲିଟି ସିଟି ସର୍କଲର ଅଧିକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଟେଣ୍ଡର ଫିକ୍ସିଂ ଓ ଅନିୟମିତତା ହୋଇଥିବା ନେଇ ଅଲ ଇଣ୍ଡିଆ ଫରୱାଡ଼ ବ୍ଲକ ଗଞ୍ଜାମ ଜିଲ୍ଲା କମିଟି ଅଭିଯୋଗ ଆଣିଛି। ସିଟି ସର୍କଲ ଅଧୀନରେ ଅଧିକ୍ଷଣ ଯନ୍ତ୍ରୀ ଭାବରେ ଶ୍ରୀ ଲେଙ୍କା ପ୍ରସାଦଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି।ଗୋଳାବନ୍ଧ ପ୍ରକଳ୍ପ (୨*୧.୬ ଏମଭିଏ-୩୩/୧୧କେଭି) ସବ-ଷ୍ଟେସନ ଓ ୧୦ କିଲୋମିଟର ଭୂତଳ କେବୁଲ ବିଛାଇବା ପାଇଁ ଏଷ୍ଟିମେଟ ମୂଲ୍ୟ ଦୁଇ କୋଟି ୮୬ ଲକ୍ଷ ୨୮ହଜାର ୬୧୭ଟଙ୍କାର ଟେଣ୍ଡରକୁ ବୈଷୟିକ କମିଟିର ବିନା ଅନୁମୋଦନରେ ଏବଂ ପ୍ରମୁଖ ଖବର କାଗଜରେ ବିଜ୍ଞପ୍ତି ପ୍ରକାଶ ନକରି ଟେଣ୍ଡର କରାଇଛନ୍ତି। ଶ୍ରୀ ଲେଙ୍କା ପ୍ରସାଦ ଅଧିକ୍ଷଣ ଯନ୍ତ୍ରୀ ଥିବା ସମୟରେ ସାଉଥକୋ ୟୁଟିଲିଟି ସିଟି ସର୍କଲରେ ବ୍ୟାପକ ଦୁର୍ନୀତି ସଂଗଠିତ ହୋଇଛି। ଏନେଇ ବିଜେପି ନେତା ଶରତ ସାହୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହାସଲ କରିବା ସହିତ ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ। ଅଭିଯୋଗ ପରେ ସାଉଥକୋର ଭିଜିଲାନ୍ସ ବିଭାଗ ଦୁର୍ନୀତି ସମ୍ପର୍କରେ ଖୋଳତାଡ଼ କରି ବିଭାଗୀୟ ମୁଖ୍ୟଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହି ଦୁର୍ନୀତି ସମ୍ପର୍କିତ ଫାଇଲକୁ ଚାପି ଦେବାରେ ମଧ୍ୟ ସେ ସଫଳ ହୋଇଛନ୍ତି। ଫଳରେ କୋଟି କୋଟି ଟଙ୍କାର ଏହି ଦୁର୍ନୀତି ଘଟଣାକୁ ଚାପି ଦେବା ପଛରେ ଆଉ କାହାର କାହାର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ କରାଯିବା ସହିତ ଦୋଷୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦାବି ହୋଇଛି।
ସେହିଭଳି ୨୦୧୩ ଫାଇଲିନ ସମୟରେ ମଧ୍ୟ ଖଜୁରିଆ ସେଣ୍ଟ୍ରାଲ ଷ୍ଟୋରରେ ଟ୍ରାନ୍ସଫର୍ମର କାରବାରରେ ଅନୁରୂପ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚା ଚାଲିଛି। ଶ୍ରୀ ପ୍ରସାଦଙ୍କ ଅନୈତିକ ସମ୍ପତ୍ତିର ସାମ୍ରାଜ୍ୟ ବିଶାଖାପାଟଣା ଠାରୁ ବ୍ରହ୍ମପୁର ଦେଇ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ନେଇ ରାସ୍ତାଘାଟରେ ଚର୍ଚ୍ଚା ଜୋର ଧରିଛି । ସାଉଥକୋ ୟୁଟିଲିଟି ସିଟି ସର୍କଲରେ ହୋଇଥିବା ଟେଣ୍ଡର ଫିକ୍ସିଂ, ଅନୈତିକ କାର୍ଯ୍ୟ ଓ ଅନିୟମିତତାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,କମିଶନର ତଥା ସଚିବ, ଶକ୍ତି ବିଭାଗ ଏବଂ ନିର୍ଦେଶକ ଭିଜିଲାନ୍ସଙ୍କୁ ଅଲ ଇଣ୍ଡିଆ ଫରୱାଡ଼ ବ୍ଲକ ପକ୍ଷରୁ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ ମହାନ୍ତି ଦୃଷ୍ଟି ଆକର୍ଷଣ କରାଇଛନ୍ତି । ଆବଶ୍ୟକ ସ୍ଥଳେ ଫରୱାଡ଼ ବ୍ଲକ ଆନ୍ଦୋଳନକୁ ଓହ୍ଲାଇଵ ବୋଲି ମଧ୍ୟ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here