ବର୍ଦ୍ଧିତ ଘର ଟିକସ,ମେଡିକାଲରେ ପାର୍କିଂ ଫି ପ୍ରତ୍ୟାହାର ସହ ଅନୁପସ୍ଥିତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିନେଇ ୧୧୯ତମ ଘଣ୍ଟ ବିକ୍ଷୋଭ

0
133

ବ୍ରହ୍ମପୁର: ଏମକେସିଜି ମେଡିକାଲ ପରିସରରେ ବେନିୟମ ଭାବେ ଆଦାୟ ହେଉଥିବା ପାର୍କିଂ ଫି ବନ୍ଦ,କଟକ, ଭୁବନେଶ୍ୱରରେ ଘର ଟିକସ ବୃଦ୍ଧିକୁ ପ୍ରତ୍ୟାହାର କରିବା ଭଳି ବ୍ରହ୍ମପୁରରେ ମଧ୍ୟ ବର୍ଦ୍ଧିତ ଟିକସ ସଂଗ୍ରହ ବନ୍ଦ,ଏମକେସିଜି ମେଡିକାଲ ବହିର୍ବିଭାଗରେ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଓ ଅନ୍ତଃବିଭାଗରେ ପରିଦର୍ଶନରେ ଆଦୌ ଯାଉନଥିବା କିଛି ଅସାଧୁ ବରିଷ୍ଠ ଡାକ୍ତର ପ୍ରଫେସରଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବିନେଇ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ନେତୃତ୍ୱରେ ୧୧୯ତମ ଘଣ୍ଟ ଯାତ୍ରା ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ସୂଚନା ଯୋଗ୍ୟ ଯେ, ଓଡିଶାର କୌଣସି ମେଡିକାଲ କଲେଜ ହସ୍ପିଟାଲରେ ପାର୍କିଂ ଫି ସଂଗ୍ରହ କରାଯାଉନଥିବା ବେଳେ ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ବେନିୟମ ଭାବେ ପାର୍କିଂ ଫି ସଂଗ୍ରହ ଚାଲିଛି l ମେଡିକାଲ କତୃପକ୍ଷଙ୍କ ଛତ୍ରଛାୟା ତଳେ କିଛି ଅସାମାଜିକ ତତ୍ତ୍ୱ ଜବରଦସ୍ତ ଭାବେ ଫି ସଂଗ୍ରହ କରିଚାଲିଛନ୍ତି l ଦୀର୍ଘ ଦିନରୁ ମେଡିକାଲ ପରିସରରେ ସିକ୍ୟୁରିଟି ଓ ସିସି ଟିଭି କ୍ୟାମେରା ବାବଦରେ କୋଟି କୋଟି ଟଙ୍କା ଲଗାତାର ଭାବେ ଖର୍ଚ୍ଚ ହୋଇଥିବାବେଳେ ସୁରକ୍ଷା ନାଁ ରେ ପୁଣି ପାର୍କିଂ ଫି ଆଦାୟ ଶାସକ ଦଳୀୟ ନେତା ଓ ମେଡିକାଲ ଅଧିକ୍ଷକଙ୍କ ଅନ୍ବେତିକ ଅର୍ଥ ଉପାର୍ଜନର ବାଟ ହୋଇଛି l ମହାନଗର ନିଗମ ଅଧିନସ୍ଥ କୌଣସି ସ୍ଥାନରେ ପାର୍କିଂ ଫି ସଂଗ୍ରହ ବେଆଇନ ହୋଇଥିବା ବେଳେ ଅଧିକ୍ଷକ ମହୋଦୟା ବଳପୂର୍ବକ ଭାବେ ଦୈନିକ ହଜାର ହଜାର ଟଙ୍କା ଆଦାୟ କରିଚାଲିଛନ୍ତି l ଓଡିଶା ସରକାର ମେଡିକାଲରେ ସମସ୍ତ ଔଷଧ ଓ ପରୀକ୍ଷା ମାଗଣା କରିଥିବା ବେଳେ ରୋଗୀଙ୍କ ଠାରୁ ପାର୍କିଂ ଫି କାହା ସ୍ୱାର୍ଥରେ ଆଦାୟ କରାଯାଉଛି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି l ସେହିପରି କରୋନା ସମୟରେ ଏକକାଳିନ ଭାବେ ତିନୋଟି ମହାନଗର ନିଗମ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଠାରେ ଘର ଟିକସ ବୃଦ୍ଧି କରିବାସହ ମଇଳା ସଂଗ୍ରହ ନାଁ ରେ ଯୁଜର୍ସ ଫି କୁ ଓଡିଶା ସରକାର ଲାଗୁ କଲେ l ସେହିସମୟରେ କୌଣସି ସ୍ଥାନରେ ଲୋକ ପ୍ରତିନିଧିଙ୍କ ମହାନଗର କାଉନସିଲ ନ ଥିବାରୁ ଏ ପ୍ରକାର ଜନବିରୋଧୀ ନିଷ୍ପତ୍ତିକୁ ସବୁ ସ୍ଥାନରେ ବିରୋଧ ହେଲା l ସରକାର କଟକ, ଭୁବନେଶ୍ୱରରେ ଏହି ଟିକସ ବୃଦ୍ଧି ଓ ୟୁଜର୍ସ ଫି ପ୍ରତ୍ୟାହାର କଲେ କିନ୍ତୁ ବ୍ରହ୍ମପୁର ସହରରେ ଲୋକଙ୍କୁ ଭୟଭୀତ କରି ଚାରିଗୁଣ ଅଧିକ ବର୍ଦ୍ଧିତ ଘର ଟିକସ ଓ ୟୁଜର୍ସ ଫି ଆଦାୟ କରାଯାଉଛି l ବ୍ରହ୍ମପୁରବାସୀଙ୍କ ପ୍ରତି ଏ ପ୍ରକାର ପାତରଅନ୍ତର ମନୋଭାବରୁ କ୍ଷାନ୍ତ ରହିବାପାଇଁ ଦାବୀ ହୋଇଛି l ଏମକେସିଜି ମେଡିକାଲକୁ ଆସୁଥିବା ଦୈନିକ ଦୈନିକ ହଜାର ରୋଗୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ବହିର୍ବିଭାଗ ବା ଅନ୍ତଃବିଭାଗରେ ଅଧିକାଂଶ ପ୍ରଫେସର ଉପଲବ୍ଧ ହୋଇନଥାନ୍ତି l ସଂଖ୍ୟାଧିକ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ କିଛି ଅସାଧୁ ବରିଷ୍ଠ ଡାକ୍ତର ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହିବାରୁ ଜୁନିଅର ଡାକ୍ତର ବା ପିଜି ଛାତ୍ର ମାନେ ଅଭିଜ୍ଞତା ଅଭାବରୁ ମୋବାଇଲରେ ଗୁଗଲୁ ଦେଖି ରୋଗୀ ଚିକିତ୍ସା କରିବା ଏକ ଚିନ୍ତାର ବିଷୟ ଓ ଲକ୍ଷାଧିକ ଟଙ୍କା ଦରମା ନେଇ କିଛି ବରିଷ୍ଠ ଡାକ୍ତରଙ୍କ ଅନୁପସ୍ଥିତରୁ ଅଧିକାଂଶ ସମୟରେ ଚିକିତ୍ସା ଅଭାବରୁ ରୋଗୀର ଅକାଳ ମୃତ୍ୟୁ ହେଉଛି l ସିସି ଟିଭି କ୍ୟାମେରା ଓ ବାୟୋମେଟ୍ରିକ ବ୍ୟବସ୍ଥା ସତ୍ୱେ ଏହିପରି ଚରମ ଅବହେଳା ପାଇଁ ସିଧା ସଳଖ ଭାବେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ମଞ୍ଚ କର୍ମକର୍ତ୍ତା l ଅନ୍ୟ ମାନଙ୍କ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର,ସାଲ୍ଲା କେଶବ ଲିଙ୍ଗମ,ପି. ନାଗେଶ୍ୱର ରାଓ,ଶିବ ସୁନ୍ଦର ରଥ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, କବିରାଜ ସାହୁ, ସାଧୂ ଚରଣ ବେହେରା, ଜୟକୃଷ୍ଣ ନାୟକ, ରମେଶ ପ୍ରସାଦ ଦାସ, ଗଗନ ଚାନ୍ଦ ପ୍ରଧାନ, କେ. ଏନ. ସେନାପତି, ମନୋଜ କୁମାର ତରାଇ, କେ. ଶ୍ରୀନିବାସ ରାଓ, ଅଳକା ନାଥ ମିଶ୍ର, ରାମଚନ୍ଦ୍ର ବାଡ଼ତ୍ୟା, ସଂଜୀବ କୁମାର ପଟ୍ଟନାୟକ,କାହ୍ନୁ ଚରଣ ପାତ୍ର, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here