ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ୮୯ତମ ଉତ୍କଳ ଦିବସ ପାଳିତ

0
102

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ଡାଇମଣ୍ଡ୍ ଜୁବୁଲି ଟାଉନ୍ ହଲ୍ ପରିସରରେ ଆଜି ସନ୍ଧ୍ୟାରେ ୮୯ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି l ପ୍ରାରମ୍ଭରେ ଏକ ଭବ୍ୟ ବାତାବରଣ ମଧ୍ୟରେ ଆମନ୍ତ୍ରିତ ଅତିଥିଗଣ ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆଧୁନିକ ଓଡ଼ିଶା ନିର୍ମାଣର ବରଣ୍ୟ ବରପୁତ୍ରମାନଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଆବାହକତ୍ବରେ ଆୟୋଜିତ ଏହି ପାବନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ଉପ-ଆଯୁକ୍ତ ଆଶୀର୍ବାଦ ପରିଡ଼ା ମୁଖ୍ୟଅତିଥି ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ମୁଖ୍ୟବକ୍ତା ରୂପେ ଯୋଗଦେଇ ଓଡ଼ିଶାର ପ୍ରବାଦପୁରୁଷମାନଙ୍କ ପ୍ରତିକୃତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l ଶ୍ରୀମତୀ ରଶ୍ମିତା ଦଳେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଦେବୀପ୍ରସାଦ ସାହୁ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ l
ମୁଖ୍ୟବକ୍ତା ଡ. ଓଝା ତାଙ୍କ ବକ୍ତବ୍ୟରେ ଓଡ଼ିଶା ପ୍ରଦେଶ ଓ ଓଡ଼ିଆ ଭାଷାର ମୌଳିକତା ଉଲ୍ଲେଖ ପୂର୍ବକ ଅତୀତର ସୁମହାନ୍ ଭିତ୍ତି, ସାଂପ୍ରତିକ ସ୍ଥିତି ଓ ଭବିଷ୍ୟତ ପରିଯୋଜନା ସଂପର୍କରେ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ l ଆଗାମୀ ପିଢ଼ିର ପିଲାମାନେ ବିଭିନ୍ନ ସ୍ତରରେ ମାତୃଭାଷା ଓଡ଼ିଆ, ଜାତୀୟ ଭାଷା ହିନ୍ଦୀ, ଆନ୍ତର୍ଜାତିକ ଭାଷା ଇଂରାଜୀ ଓ ଦେବଭଷା ସଂସ୍କୃତ ସମେତ ଏକାଧିକ ଭାଷା ଶିଖିବା ସହ ବହୁଭାଷୀ ଦକ୍ଷତା ପ୍ରଦର୍ଶନ କରିବାକୁ ଏହି ଅବସରରେ ଡ. ଓଝା ପରାମର୍ଶ ଦେଇଥିଲେ l
କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମପୁର ସ୍କେଟିଂ କ୍ଲବ୍ ଗୁରୁଙ୍କ ମାର୍ଗଦର୍ଶନରେ କୁନି କୁନି ପିଲାମାନେ ‘ଓଡ଼ିଶା ମୋ ଓଡ଼ିଶା, କେଡ଼େ ସୁନ୍ଦର ରାଇଜ ମୋର, କେଡ଼େ ମିଠା ମୋ ଭାଷା’ ଗୀତରେ ରଙ୍ଗାରଙ୍ଗ ସ୍କେଟିଂ ନୃତ୍ୟ ପରିବେଷଣ କରିଥିଲେ l ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here