ମାଣିତରା ହାଇ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
125

ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଫେବୃୟାରୀ ୬ ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବୁଗୁଡା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ତପସ୍ୱିନୀ ସାହୁ ଯୋଗଦେଇ ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ମାଣିତରା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାରଣା ଓ ପ୍ରକାଶ ଚନ୍ଦ୍ର ପ୍ରଧାନ, ଏସଏମସି ସଭାପତି ଡାକ୍ତର ପ୍ରଧାନ, ସମିତି ସଭ୍ୟ ଜୟଦେବ ପ୍ରଧାନ, ସିଆରସିସି ଶଶିକାନ୍ତ ପାତ୍ର ଓ ବ୍ୟଙ୍ଗ କବି ତଥା କଣ୍ଠଶିଳ୍ପୀ ଅଜିତ କୁମାର ପଣ୍ଡା ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ମହାରଣା ବାର୍ଷିକ ବିବରଣୀ ପଠନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର ଓ ସିଲଡ଼ ପ୍ରଦାନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ରଙ୍କନିଧି ସେଠୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଶିକ୍ଷାନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣିପାରିଥିବା ଯୋଗୁ ଏହି ଉତ୍ସବରେ ଶ୍ରୀ ସେଠୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶ୍ରେଣୀକୁ ଏବିଇଓ ଶ୍ରୀମତୀ ସାହୁ ଉଦଘାଟନ କରିଥିଲେ। ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ ସଂଯୋଜନା କରିଥିବା ବେଳେ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ବୃନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here