ଗୋପାଳପୁର ଏସ୍.ଇ.ଜେଡ୍ ଶିଳ୍ପ ନିମନ୍ତେ ପ୍ରସ୍ତାବିତ ଜଳ ଯୋଗାଣ ହିତାଧିକାରୀଙ୍କ ବୈଠକ

0
118

ଛତ୍ରପୁର : ଗୋପାଳପୁର ଏସ୍.ଇ.ଜେଡ୍. ଶିଳ୍ପ ସକାଶେ ଆବଶ୍ୟକ ହେବାକୁ ଥିବା ଜଳଯୋଗାଣ ଘଟକେଶ୍ବର ପ୍ରକଳ୍ପ ଠାରୁ ଯୋଗାଇ ଦିଆଯିବ । ଏଥି ସକାଶେ ପୂର୍ବରୁ ପ୍ରସ୍ତାବ ରହିଥିଲା ତାହା କାର୍ଯ୍ୟକାରୀ କରିବା ନିମନ୍ତେ ଘଟକେଶ୍ବର ପ୍ରକଳ୍ପ ଠାରୁ ଗୋପାଳପୁର ଶିଳ୍ପ ପାର୍କ ପର୍ଯ୍ୟନ୍ତ ବିଛାଯାଇ ଜଳ ଯୋଗାଣ ବ୍ଯବସ୍ଥା କରାଯିବ । ଏହି ପାଇପ୍ ବିଛା କାର୍ଯ୍ୟକ୍ରମ ସକାଶେ ରେଳବାଇ ବିଭାଗ, ଜାତୀୟ ରାଜପଥ ବିଭାଗ, ଜଳ ସମ୍ପଦ ବିଭାଗ, ଜଙ୍ଗଲ ବିଭାଗର, ପୂର୍ତ୍ତ ବିଭାଗ (ପି.ଡବ୍ଲ୍ଯୁ.ଡି) ସହମତି କ୍ରମେ ବ୍ୟବସ୍ଥା କରାଯିବ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ସକାଶେ ଶୁକ୍ରବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘଟକେଶ୍ବର ପ୍ରକଳ୍ପ ଠାରୁ କଙ୍କିଆ ଗ୍ରାମ, ତାମଣା, କନିଷି ଜାତୀୟ ରାଜପଥ ଦେଇ ଟାଟା ପ୍ରକଳ୍ପ ପର୍ଯ୍ୟନ୍ତ ସମୁଦାୟ ୩୦.୨୧୮କିଲୋମିଟର ରାସ୍ତାରେ ପାଇପ୍ ବିଛାଯିବ । ରାସ୍ତା ପାର୍ଶ୍ବରେ ବିଛାଯିବାକୁ ଥିବା ଏହି ପାଇପ୍ ଲାଇନ୍ ରେଳ ବିଭାଗ, ଜଙ୍ଗଲ ବିଭାଗ, ଜାତୀୟ ରାଜପଥ ଜଳ ସମ୍ପଦ ବିଭାଗ ଠାରୁ ଅନୁମତି ସଂଗ୍ରହ ଯଥାଶୀଘ୍ର କରି ହସ୍ତାନ୍ତର କରିବା ସକାଶେ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଏହି କାର୍ଯ୍ୟ ସମାପନ ସକାଶେ ଦୁଇ ବର୍ଷ ସମୟ ଲାଗିବ । ଯଥାଶୀଘ୍ର ସମାପନ କରିବାକୁ ଇଡକୋ ଦ୍ବାରା ନିର୍ଦ୍ଦେଶ ରହିଥିବା ବୈଠକରେ ଜଣା ପଡିଛି । ଜିଲ୍ଲାପାଳ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେଯେ, ଗୋପାଳପୁର ଶିଳ୍ପ ପାର୍କ ସକାଶେ ଜଳ ଯୋଗାଣ ବ୍ୟବସ୍ଥା ଯଥାଶୀଘ୍ର ଠିକଣା ସମୟ ପୂର୍ବରୁ ସମାପନ କରିବାର ଆବଶ୍ୟକତା ରହିଛି । କାରଣ ଜଳ ଯୋଗାଣ ବ୍ୟବସ୍ଥା ହେଲେ ଅନେକ ଶିଳ୍ପ ପ୍ରତିଷ୍ଠା ସକାଶେ ବାଟ ସୁଗମ ହେବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ସାଧିତ ହେବ ।

LEAVE A REPLY

Please enter your comment!
Please enter your name here