![](http://newsxtra.in/wp-content/uploads/2023/10/IMG-20231004-WA0027.jpg)
ଦିଗପହଣ୍ଡି :ବହୁଚର୍ଚ୍ଚିତ ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପ ନିର୍ବାଚନକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଦୀର୍ଘଦିନ ଧରି ଯେଉଁ ଦ୍ବନ୍ଦ୍ବାତ୍ମକ ମନୋଭାବ ରହିଥିଲା ତାହା ବୁଧବାର ଦିନ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିରୋଧୀଙ୍କୁ ନିଜର ଦମ୍ ଦେଖାଇ ବିପିନ ଗୋଷ୍ଠୀଙ୍କ ବାଜିମାତ ହୋଇଥିବା ଜଣାପଡିଛି । ଏହି ଅବସରରେ ବମକୋଇ ସମିତି ସଭ୍ୟା ଯମୁନା ନାୟକ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇ ବ୍ଳକ ଅଧ୍ୟକ୍ଷା ପଦ ଆସନ ଅଳଙ୍କୃତ କରିଥିବା ବ୍ଳକ ନିର୍ବାଚନ ଅଧିକାରୀ ତଥା ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଘୋଷଣା କରିଥିଲେ । ଖବରନୁଯାୟୀ , ଗତ ଜୁନ ୧୧ ତାରିଖରେ ବ୍ଳକ ଅଧ୍ଯକ୍ଷା ସୁନୀତା ସେଠୀଙ୍କ ଆକସ୍ମିକ ବିୟୋଗ ପରେ ପଦ ହାସଲ ନିମନ୍ତେ ଆରମ୍ଭ ହୋଇଥିଲା ଦୁଇ ବିଜେଡି ଗୋଷ୍ଠୀ ବିପିନ ଚନ୍ଦ୍ର ପ୍ରଧାନ ଓ ବିପ୍ଳବ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା । ଏପରିକି ଗତ ଅଗଷ୍ଟ ୩୧ ତାରିଖରେ ଏହି ଉପ ନିର୍ବାଚନ ପାଇଁ ମତଦାନ କେନ୍ଦ୍ରରେ ବିପିନଙ୍କ ୧୪ ସମିତି ସଭ୍ୟ ଉପସ୍ଥିତ ଥିବା ସମୟରେ ବିପ୍ଳବଙ୍କ ସମିତି ସଭ୍ୟଙ୍କ ଦେଖା ମିଳିନଥିଲା । ପରବର୍ତ୍ତୀ ସମୟରେ ନିର୍ବାଚନ ବାତିଲକୁ ନେଇ ରାସ୍ତାରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ପରବର୍ତ୍ତୀ ସମୟରେ ଦୀର୍ଘ ୩୦ ବର୍ଷ ଧରି ଦିଗପହଣ୍ଡି ବ୍ଳକକୁ ଶାସନ କରୁଥିବା ବିପିନଙ୍କୁ ଦଳରୁ ବାହାର କରି ସମିତି ସଭ୍ୟଙ୍କୁ ନିଜ ଅକ୍ତିଆରକୁ ନେବା ପାଇଁ ବିରୋଧୀ ଯେଉଁ ଚକ୍ରାନ୍ତ ରଚିଥିଲେ ତାହା ଫଳପ୍ରଦ ହୋଇପାରିନଥିଲା । ଯେହେତୁ ବିପିନଙ୍କ ସମିତି ସଭ୍ୟ ମାନେ ନିଜ ଜିଦରେ ଅଟଳ ରହି ଆମେ ବିପିନଙ୍କ ସମର୍ଥନରେ ରହି ସହଯୋଗର ହାତ ବଢାଇବୁ ଏବଂ ତାଙ୍କୁ ଯେଭଳି ଭାବରେ ଦଳରୁ ବହିଷ୍କୃତ କରାଗଲା ସମୟ କ୍ରମେ ବିରୋଧୀଙ୍କୁ ଉଚିତ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଥିଲେ । ବୁଧବାର ସକାଳୁ ରାଜ୍ୟ କମିଶନଙ୍କ ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ନିର୍ଦ୍ଧାରିତ ସମୟ ଅନୁସାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ବିପିନ ସମର୍ଥିତ ପ୍ରାର୍ଥୀ ୧୪ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ଯମୁନା ନାୟକ ଅଧ୍ଯକ୍ଷା ପଦ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ବିପ୍ଳବଙ୍କ ସମିତି ସଭ୍ୟ ମାନେ ଭୋଟଦାନ କେନ୍ଦ୍ରକୁ ଆସିନଥିବା ବେଳେ ଯମୁନାଙ୍କ ପ୍ରତିଦ୍ବନ୍ଦିତା କେହି ନଥିବା ଯୋଗୁଁ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ଘୋଷିତ କରାଯାଇଥିଲା । ଯମୁନା ନାୟକଙ୍କୁ ବିଜୟୀ ଘୋଷିତ ପରେ ବିପିନ ଶିବିରରେ କର୍ମୀଙ୍କ ମଧ୍ୟରେ ବିଜୟ ଉତ୍ସାହର ଲହରୀ ଖେଳିଯାଇଥିଲା । ଏହି ବିଜୟ ପରେ ବିପିନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ , ଏହି ବିଜୟ ମୋର ନୁହେଁ ସାରା ପଞ୍ଚାୟତ ବାସୀଙ୍କ ବିଜୟ । ସେମାନଙ୍କ ସହଯୋଗ ଏବଂ ମାଁ ବାଙ୍କେଶ୍ୱରୀଙ୍କ ଆର୍ଶୀବାଦର ଫଳ ସ୍ବରୂପ ଧର୍ମର ଜୟ ହୋଇଛି ବୋଲି କହିଥିଲେ । ଏହି ଉପ ନିର୍ବାଚନ ସମୟରେ ଦିଗପହଣ୍ଡି , ସାନଖେମୁଣ୍ଡି ଓ ଚିକିଟି ତହସିଲଦାର ଉପସ୍ଥିତ ରହିଥିଲେ । ଏଥିସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶକ୍ରମେ ଆଇନ ଶୃଙ୍ଖଳା ଭଙ୍ଗ ଆଶଙ୍କା ନେଇ ୬ ରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏନେଇ ବିଜୟୀ ପ୍ରାର୍ଥୀନୀ ତଥା ନୂତନ ବ୍ଳକ ଅଧ୍ୟକ୍ଷ ଶ୍ରୀମତି ନାୟକ ଆଗାମୀ ଦିନରେ ସମସ୍ତ ପଞ୍ଚାୟତର ବିକାଶ ପ୍ରତି ଦୃଷ୍ଟି ଦେବା ସହ ଲୋକଙ୍କ ସମସ୍ୟା ବୁଝିବା ମୋର ପ୍ରଥମ ଲକ୍ଷ୍ୟ ରହିବ ବୋଲି କହିଥିଲେ । ପରିଶେଷରେ ମୋତେ ଏଭଳି ଗୁରୁ ଦାୟିତ୍ବ ଦେଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ:କୀରଣ ବେହେରା