ବହୁ ଚର୍ଚ୍ଚିତ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା

0
152

ଦିଗପହଣ୍ଡି – ବହୁ ଚର୍ଚ୍ଚିତ ଦିଗପହଣ୍ଡି ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପ ନିର୍ବାଚନ ପାଇଁ ସୋମବାର ଦିନ ତାରିଖ ଘୋଷଣା ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଚିଠି ନଂ ୩୧୮୭ ପ୍ରକାରେ ଆସନ୍ତା ଅକ୍ଟୋବର ୪ ତାରିଖରେ ଅଧ୍ୟକ୍ଷ ଉପ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ସୂଚନା ଦେଇଛନ୍ତି । ଖବରନୁଯାୟୀ , ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ସୁନୀତା କୁମାରୀ ସେଠୀଙ୍କ ଅକାଳ ବିୟୋଗ ପରେ ପଦବୀ ହାତେଇବା ସକାଶେ ଦୁଇ ଗୋଷ୍ଠୀ ବିପିନ ଚନ୍ଦ୍ର ପ୍ରଧାନ ଓ ବିପ୍ଳବ ପାତ୍ର ସମର୍ଥକଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଟଣାଓଟରା ଦେଖିବାକୁ ମିଳୁଛି । ପୂର୍ବରୁ ଏହି ନିର୍ବାଚନକୁ ନେଇ ଚିଠି ନଂ ୨୮୨୪ ଅନୁସାରେ ଅଗଷ୍ଟ ୩୧ ତାରିଖରେ ନିର୍ବାଚନ ପାଇଁ ଘୋଷଣା ହୋଇଥିଲା । ଦିଗପହଣ୍ଡି ବ୍ଳକରେ ୨୫ ଜଣ ନିର୍ବାଚିତ ସମିତି ସଭ୍ୟ ରହିଥିବା ବେଳେ ନିମଖଣ୍ଡିପେଣ୍ଠ ସମିତି ସଭ୍ୟ ଗଞ୍ଜେଇ କାରବାର ଯୋଗୁଁ ବର୍ତ୍ତମାନ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି । ଏପରି ପରିସ୍ଥିତିରେ ବିପିନ ଗୋଷ୍ଠୀରେ ୧୪ ଜଣ ଓ ବିପ୍ଳବ ଗୋଷ୍ଠୀରେ ୧୦ ଜଣ ସମିତି ସଭ୍ୟ ରହିଥିବା ସମଗ୍ର ବ୍ଳକରେ ଚହଳ ସୃଷ୍ଟି ହୋଇପାରିଛି । ତେବେ ଗତ ଅଗଷ୍ଟ ୩୧ ତାରିଖ ଦିନ ବିପିନ ସମର୍ଥକଙ୍କ ୧୪ ଜଣ ସମିତି ସଭ୍ୟ ନିର୍ବାଚନ କେନ୍ଦ୍ରକୁ ଯାଇଥିବା ବେଳେ ବିପ୍ଳବ ଗୋଷ୍ଠୀର କୌଣସି ସମିତି ସଭ୍ୟଙ୍କ ଦେଖା ମିଳିନଥିଲା । ପରବର୍ତ୍ତୀ ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ତଥା ସମିତି ସଭ୍ୟ ଅପହରଣ ଦର୍ଶାଇ ନିର୍ବାଚନ ସ୍ଥଗିତ କରାଯାଇଥିଲା । ଯାହାଫଳରେ ବିପିନ ସମର୍ଥକଙ୍କ ମଧ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ନେଇ କର୍ମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ସହ କିଛି ଘଣ୍ଟା ଧରି ଉତ୍ତେଜନା ସୃଷ୍ଟି ହୋଇଥିଲା । ଏପଟେ ଦିଗପହଣ୍ଡି ଥାନାରେ ସମିତି ସଭ୍ୟ ନିଖୋଜ ଘଟଣାକୁ ଅପହୃତ ସମିତି ସଭ୍ୟ ମାନେ ନିନ୍ଦା କରିବା ସହ ଆମେ ସୁରକ୍ଷିତ ରହିଥିବା ନେଇ ଭିଡିଓ ମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ଏପରିକି ପ୍ରଶାସନ ଜାଣିଶୁଣି ହୀନ ରାଜନୀତିର ଆକ୍ରୋଶ ହୋଇ ଷଡ଼ଯନ୍ତ୍ର କରି ମିଥ୍ୟା ଅପହରଣର ନାଟକ କରି ଏକ ଅଭିଯୋଗ କରିଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟର ନିର୍ଦ୍ଦେଶକ୍ରମେ ଚିଠି ନଂ ୨୯୪୫୭ ପ୍ରକାରେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ସାରିବା ପାଇଁ ନିର୍ଦ୍ଦେଶ ଜାରି ହେବା ପରେ ଶେଷରେ ସୋମବାର ଦିନ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ଏନେଇ ଆସନ୍ତା ୨୬ ତାରିଖରେ ବ୍ଳକ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅକ୍ଟୋବର ୪ ସକାଳ ୧୦ ଘଣ୍ଟା ସମୟରେ ଅଧ୍ୟକ୍ଷ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ , ୧୧ ଟାରୁ ଯାଞ୍ଚ , ୧୨ ଟା ପୂର୍ବରୁ ପ୍ରତ୍ୟାହାର , ସାଢେ ୧୨ ଟାରୁ ୨ ଟା ମଧ୍ୟରେ ମତଦାନ ପ୍ରକ୍ରିୟା ହେବ ବୋଲି ଚିଠିରେ ପ୍ରକାଶ ପାଇଛି । ପରିଶେଷରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯିବ ବୋଲି ବିଡ଼ିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଏହି ଉପ ନିର୍ବାଚନ ଶୃଙ୍ଖଳିତ ଭାବେ ହେବ ନା ପୁଣିଥରେ କୌଣସି କାରଣ ଦର୍ଶାଇ ନିର୍ବାଚନ ସ୍ଥଗିତ କରାଯାଇପାରିବ ତାହା ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here