ଗୋକର୍ଣ୍ଣପୁର ସମିତି ସଭ୍ୟ ଉପ ନିର୍ବାଚନ ପ୍ରଚାରରେ ପ୍ରକମ୍ପିତ ପୂରା ପଞ୍ଚାୟତ ; ଅଗଷ୍ଟ ୯ ରେ ନିର୍ବାଚନ

0
871

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ବିୟୋଗ ପରେ ଦୀର୍ଘ ମାସ ଧରି ଉକ୍ତ ପଦବୀ ଖାଲି ପଡ଼ି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏହି ପଦବୀ କ୍ଷମତା ହାସଲ କରିବା ନେଇ ବର୍ତ୍ତମାନ ଦେଖିବାକୁ ମିଳୁଛି ଟଣାଓଟରା । ତେବେ ଗୋକର୍ଣ୍ଣପୁର ସମିତି ସଭ୍ୟ ଉପ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଗାମୀ ଦିନରେ କେଉଁ ଦଳ ଏହି ପଦବୀ ଅକ୍ତିଆର କରିବ ତାହାକୁ ନେଇ ଦିଗପହଣ୍ଡିରେ ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି । ଅଗଷ୍ଟ ୯ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ସୋମବାର ଦିନ ଉପ ନିର୍ବାଚନ ପ୍ରଚାରର ଶେଷ ଦିବସରେ ପ୍ରଚାର ଶୋଭାଯାତ୍ରାରେ ପ୍ରକମ୍ପିତ ହୋଇଥିଲା ପୂରା ପଞ୍ଚାୟତ । ବର୍ତ୍ତମାନ ଦିଗପହଣ୍ଡି ରାଜନୀତିରେ ଦୁଇଗୋଷ୍ଠୀ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିବା ସାରା ଜିଲ୍ଲାରେ ଚର୍ଚ୍ଚିତ । ଅନ୍ୟପକ୍ଷରେ ଏହି ନିର୍ବାଚନ ବିପିନ ଓ ବିପ୍ଳବ ଗୋଷ୍ଠୀ ମଧ୍ୟରେ କଡ଼ା ଟକ୍କର ହେବା ସହ ବିଜୟୀ ଦଳର ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପଲା ଭାରି ରହିବ ବୋଲି ସାଧାରଣ ଜନତା ମତପ୍ରକାଶ କରୁଛନ୍ତି । ଏହି ଉପ ନିର୍ବାଚନରେ ବିପିନ ଚନ୍ଦ୍ର ପ୍ରଧାନଙ୍କ ସମର୍ଥିତ ପ୍ରାର୍ଥୀ ଅସିତ କୁମାର ସାହୁ , ବିପ୍ଳବ ପାତ୍ର ସମର୍ଥିତ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସେଠୀ , କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବାଇନାଥ ଦୋରା ଓ ବିଜେପି ସମର୍ଥିତ ପ୍ରାର୍ଥୀ ରାମହରି ଦୋରା ପରସ୍ପର ମଧ୍ୟରେ ନିର୍ବାଚନ ଲଢ଼ୁଛନ୍ତି । ତେବେ ପ୍ରଚାରର ଶେଷ ଦିନରେ ପ୍ରାର୍ଥୀ ମାନେ ନିଜ ନିଜ ଦଳୀୟ କର୍ମୀଙ୍କ ସହ ବିରାଟ ଶୋଭାଯାତ୍ରାରେ ପଞ୍ଚାୟତ ସାରା ବୁଲି ଭୋଟରଙ୍କ ଭୋଟ ଭିକ୍ଷା କରିଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିବା ଅସିତ ଏହିଥର ଜିତିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ସମେତ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ପୂର୍ବତନ ନଗର ବିଜେଡି ସଭାପତି ପ୍ରମୋଦ ପାଣିଗ୍ରାହୀ ସମେତ ବହୁ ବିଜେଡି କର୍ମୀ ଅସିତଙ୍କ ପାଇଁ ଅଣ୍ଟା ଭିଡ଼ି ପ୍ରଚାରରେ ସାମିଲ ହୋଇ ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ପଞ୍ଚାୟତବାସୀଙ୍କୁ ଅନୁରୋଧ କରିଥିଲେ । ସେହିପରି ଅଧ୍ଯକ୍ଷାଙ୍କ ସ୍ବାମୀ ତଥା ବିପ୍ଳବ ସମର୍ଥିତ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସେଠୀ ନିଜ ଦଳୀୟ କର୍ମୀଙ୍କ ସହାୟତାରେ ଭୋଟରଙ୍କୁ ହାତ ଯୋଡ଼ି ଭୋଟ ଭିକ୍ଷା କରିଥିଲେ । ଏଥିରେ ଜିଲ୍ଲା ପରିଷଦ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ସରପଞ୍ଚ ପ୍ରତିନିଧି ବି. କ୍ରିଷ୍ଣାରାଓ ସୁବୁଦ୍ଧି , ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବାଇନାଥଙ୍କ ପ୍ରଚାରରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ସାମିଲ ହୋଇଥିଲେ । ପରିଶେଷରେ ବିଜେପି ସମର୍ଥିତ ପ୍ରାର୍ଥୀ ରାମହରିଙ୍କ ନିର୍ବାଚନ ପ୍ରଚାର ନିମନ୍ତେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାନ୍ତ ଗଙ୍ଗଦେଓ , ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ରଥ , ମହନ୍ତ ଚିନ୍ମୟାନନ୍ଦ ଦାସ ପ୍ରମୁଖ ସାମିଲ ହୋଇଥିଲେ । ତେବେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି

ରିପୋର୍ଟ:କିରଣ ବେହେରା।

LEAVE A REPLY

Please enter your comment!
Please enter your name here