ଠିକାଦାରଙ୍କ କ୍ଯାମ୍ପ ନିକଟରେ ବୋମାମାଡ ; କର୍ମଚାରୀଙ୍କୁ ଖଣ୍ଡାରେ ହାଣି ସୁନା ଓ ଟଙ୍କା ଲୁଟ୍

0
173

ଦିଗପହଣ୍ଡି :ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତର ଦାମୋଦରପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଦିନ କିଛି ଦୁବୃର୍ତ୍ତ ଠିକାଦାର ମଙ୍ଗୁଳୁ ପାତ୍ରଙ୍କ କ୍ୟାମ୍ପ ନିକଟରେ ବୋମାମାଡ କରି କର୍ମଚାରୀଙ୍କୁ ଭୟଭୀତ କରିଥିବା ଜଣାପଡିଛି । ଏଥିସହ ଜଣେ କର୍ମଚାରୀଙ୍କୁ ଖଣ୍ଡାରେ ହାଣି ଦୁବୃର୍ତ୍ତ ମାନେ ଟଙ୍କା ଓ ସୁନା ଲୁଟ୍ କରି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଖବରପ୍ରକାରେ , ଗୁରୁବାର ପ୍ରାୟ ଦୁଇଟା ସମୟରେ ରାସ୍ତାକାମ ଠିକା ନେଇଥିବା ମଙ୍ଗୁଳୁ ପାତ୍ର ନାମକ ଜଣେ ଠିକାଦାରଙ୍କ କ୍ଯାମ୍ପ ନିକଟରେ ଦୁଇଟି ବାଇକରେ ଛ’ ଜଣ ଯୁବକ ପହଞ୍ଚି ଦୁଇଟି ବୋମାମାଡ କରିଥିଲେ । ଏହାପରେ କ୍ଯାମ୍ପରେ ଥିବା କର୍ମଚାରୀ ମାନେ ଭୟରେ ଛତ୍ରଭଙ୍ଗ ଦେଇଥିଲେ । ଯୁବକ ମାନେ କ୍ଯାମ୍ପ ପରିଚାଳନା ଦାୟିତ୍ବରେ ଥିବା ଶେରଗଡ ଥାନା କୁରୁଳା ଗ୍ରାମର ସୁପ୍ରଭାଇଜର ରଞ୍ଜନ କୁମାର ପଣ୍ଡାଙ୍କ ନିକଟରେ ପହଞ୍ଚି ତାଙ୍କ ଫୋନରୁ ଠିକାଦାର ମଙ୍ଗୁଳୁ ପାତ୍ରଙ୍କୁ ଫୋନ କରି ୩୦୦୦୦ ଟଙ୍କା ଦାବୀ କରିବା ସହ ଟଙ୍କା ନଦେଲେ କାମ କରି ପାରିବ ନାହିଁ ବୋଲି ଧମକ ଦେଇଥିଲେ । ପରେ ସେମାନେ ସୁପ୍ରଭାଇଜର ପଣ୍ଡାଙ୍କୁ ଖଣ୍ଡାରେ ଚୋଟ ପକାଇବା ସହ ତାଙ୍କଠାରୁ ୧୦୦୦୦ ଟଙ୍କା ଏବଂ ସେ ପିନ୍ଧିଥିବା ଏକ ସୁନାମୁଦିକୁ ଛଡାଇ ନେଇଥିଲେ । ପରେ ହାଇଡ୍ରା ଚାଳକଙ୍କ ନିକଟରେ ପହଞ୍ଚି ତାଙ୍କୁ ମଧ୍ୟ ମାଡମାରି ତାଙ୍କଠାରୁ ୨୦୦୦ ଟଙ୍କା ଲୁଟି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ସୂଚନା ପାଇବା ପରେ ନୂଆଗାଁ ଥାନା ଅଧିକାରୀ ମୃତ୍ଯୁଞ୍ଜୟ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ନୂଆଗାଁ ଥାନାରେ ୨୭୬/୨୩ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ପ୍ରକାଶ କରିଛନ୍ତି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here