କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର : କୁମ୍ଭୀର ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର ନେଇ ବନବିଭାଗ ଉପରେ ତାତିଲେ ଗ୍ରାମବାସୀ

0
949

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ରେ ଗତ କିଛି ଦିନର ବ୍ୟବଧାନ ପରେ ପୁଣି ସେହି କୁମ୍ଭୀର ଆକ୍ରମଣରେ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଲେ ଗୈାଡ ଗାଁ ପଞ୍ଚାୟତ ଦାଉଣୀ ଗ୍ରାମର ଟୁକୁନା ବେହେରା (୨୭) । ଏନେଇ ଗ୍ରାମବାସୀ ବାରମ୍ବାର ବନବିଭାଗ ନିକଟରେ ଘୋଡାହଡ ଜଳଭଣ୍ଡାର ସମେତ ଆଖପାଖ ନଦୀଗଣ୍ଡ ଓ ପୋଖରୀରୁ କୁମ୍ଭୀର ଉଦ୍ଧାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ବନବିଭାଗର ଅବହେଳା ଯୋଗୁଁ ବାରମ୍ବାର କୁମ୍ଭୀର ଆକ୍ରମଣର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାଫଳରେ ପୁଣିଥରେ ଆଜି ଏହି ମଣିଷ ଖିଆ କୁମ୍ଭୀର ମାନଙ୍କୁ ଯଥାଶୀଘ୍ର ଏଠାରୁ ଉଦ୍ଧାର କରିବା ପାଇଁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଖବରପ୍ରକାରେ , ଟୁକୁନା ଆଜି ସକାଳୁ ସାଢେ ୫ ଟା ସମୟରେ ଖମ୍ବାରୀ ଗାଁ ସାଗର ବନ୍ଧରେ ଗାଧୋଇବା ସମୟରେ ଏକ କୁମ୍ଭୀର ଟୁକୁନାଙ୍କ ଗୋଡ଼କୁ ଟାଣି ନେଇଥିଲା । ସୌଭାଗ୍ଯବଶତଃ ଟୁକୁନା କୁମ୍ଭୀର ସହ ଲଢିପାରି ଫେରି ଆସିଥିଲେ ମଧ୍ୟ ନିଶ୍ଚିତ ମରଣ ମୁହଁରୁ ବଞ୍ଚି ଯାଇଛନ୍ତି । ଏହାପରେ ସ୍ଥାନୀୟ ଗ୍ରାମବାସୀ ଓ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ଟୁକୁନାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଗତ ଜୁନ୍ ୨୫ ତାରିଖରେ ଖମ୍ବାରୀ ଗାଁ ପଞ୍ଚାୟତର ସେବକ . ଟିକରପଡା ନଦୀଗଣ୍ଡରେ ଗାଧୋଇବା ସମୟରେ କୁମ୍ଭୀର ଆକ୍ରମଣରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ଗୈାଡଙ୍କ ମୃତ୍ୟୁ ହୋଇଥିଲା । ଆଜି ପୁଣିଥରେ ଏଠାରେ କୁମ୍ଭୀର ଆକ୍ରମଣକୁ ଗ୍ରାମବାସୀ ଉତ୍ତେଜନା ପ୍ରକାଶ କରିଛନ୍ତି । ଏପରିକି ଗ୍ରାମବାସୀ ବର୍ତ୍ତମାନ ପୋଖରୀ ମାନଙ୍କରେ ଗାଧୋଇବା ପାଇଁ ସୁରକ୍ଷିତ ମନେ କରୁନାହାଁନ୍ତି । ତେବେ ଚଳିତ ବର୍ଷ ଜାତୀୟ କୁମ୍ଭୀର ଗଣନା ଅନୁସାରେ ଘୋଡାହଡ ଜଳଭଣ୍ଡାରରେ ୬୪ ଟି କୁମ୍ଭୀର ରହିଥିବା ବେଳେ ନିକଟସ୍ଥ ପୋଖରୀ ଓ ନଦୀଗଣ୍ଡ ମାନଙ୍କରେ ୧୭ ଟି କୁମ୍ଭୀର ରହିଥିବା ବନବିଭାଗ ପକ୍ଷରୁ ସୂଚନା ରହିଥିଲା । ଅପରପକ୍ଷରେ ଆଗାମୀ ଦିନରେ ଜଳଭଣ୍ଡାର ସମେତ ପୋଖରୀ ଓ ନଦୀଗଣ୍ଡରୁ କୁମ୍ଭୀର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନ କରାଯାଏ ତେବେ ଗ୍ରାମବାସୀ ପକ୍ଷରୁ ବନବିଭାଗ କାର୍ଯ୍ୟାଳୟରେ ଗଣ ଧାରଣା ଦିଆଯିବ ବୋଲି ଦୃଢ ଚେତାବନୀ ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here