ଦିଗପହଣ୍ଡିରେ ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣୀ ଶିବିର ଅନୁଷ୍ଠିତ

0
508

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବ୍ଳକସ୍ତରୀୟ ଜନଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ସମିତି ଆନୁକୁଲ୍ୟରେ ଆୟୋଜିତ ଶିବିରକୁ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ପ୍ରଧାନ ଅଧ୍ଯକ୍ଷତା କରିଥିଲେ । ଏହି ଶିବିରରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ରନାଥ ମଲାଣ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଶିବିର କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଚିତ୍ତରଞ୍ଜନ ଦାସ ପ୍ରଥମେ ସ୍ବାଗତ ଭାଷଣ ମାଧ୍ୟମରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଏମ୍ ନରେଗାର ଜନଶୁଣାଣୀ ପ୍ରତି ପଞ୍ଚାୟତର ଆର୍ଥିକ ବର୍ଷ ଅକ୍ଟୋବର ୧ , ୨୦୨୨ ମସିହା ଠାରୁ ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହାପରେ ବ୍ଳକ ଅଧିନସ୍ଥ ୨୫ ଗୋଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ୧୮ ଲକ୍ଷ ୬ ହଜାର ୨୫୦ ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୮୬ ହଜାର ୩୫୮ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି । ଅନ୍ୟପକ୍ଷରେ ୫୨୩୦ ଜଣ ଶ୍ରମିକଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଛି । ବ୍ଳକ ଅଧିନସ୍ଥ ବି . ତୁରୁବୁଡି ପଞ୍ଚାୟତ ଏମ୍ ନରେଗା କାର୍ଯ୍ଯରେ ୧ ଲକ୍ଷ ୪୨ ହଜାର ୩୫୪ ଶ୍ରମ ଦିବସ ସୃଷ୍ଟି କରି ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚୌଧୁରୀ . ଟିକରପଡା ପଞ୍ଚାୟତ ୩୦ ହଜାର ୯୭୬ ଶ୍ରମ ଦିବସ ସୃଷ୍ଟି କରି ୨୫ ତମ ସ୍ଥାନରେ ରହିଥିବା ଜଣାପଡିଛି । ବ୍ଳକର ବଡଡୁମ୍ବୁଳା , ବାସୁଦେବପୁର , ବି . ତୁରୁବୁଡି , ଭୀଷ୍ମଗିରି , ଚୌଧୁରୀ . ଟିକରପଡା , କରପଡା ପଞ୍ଚାୟତର ଏମ୍ ନରେଗା କାର୍ଯ୍ଯ ନହୋଇ ୨୧ ଲକ୍ଷ ୨୫ ହଜାର ୮୪ ଟଙ୍କା ବ୍ୟୟ କରାଯାଇଥିବା ବ୍ଳକ ସାମାଜିକ ସମୀକ୍ଷକ ଶଙ୍କର ମିଶ୍ର ଉପ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ମୃତ୍ତିକା ବିଭାଗ , ହରଟି କଲଚର , କାଡା ଓ ଜଙ୍ଗଲ ବିଭାଗ ଏମ୍ ନରେଗା କାର୍ଯ୍ଯ କରୁଥିଲେ ମଧ୍ୟ କେସ୍ ରେକର୍ଡ ରଖିନଥିବା ଅଭିଯୋଗ ହୋଇଥିଲା । ତେବେ କର୍ମଚାରୀ ଅଭାବ ଯୋଗୁଁ କେସ୍ ରେକର୍ଡ ପ୍ରସ୍ତୁତ କରିବାରେ ଅସୁବିଧା ହେଉଥିବା ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଥିଲେ । ଜିଲ୍ଲା ପ୍ରଶାସନ ଓ ବ୍ଳକର ଚାପର ବଶବର୍ତ୍ତୀ ହୋଇ ଗ୍ରାମ ରୋଜଗାର ସେବକମାନେ ଲକ୍ଷ୍ଯ ଧାର୍ଯ୍ୟ ପୂରଣ ପାଇଁ ଏମ୍ ନରେଗା କାର୍ଯ୍ଯ ଆରମ୍ଭ ପୂର୍ବରୁ ଡିମାଣ୍ଡ ଦେଇ ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପଠାଉଥିବା ଗ୍ରାମ ରୋଜଗାର ସେବକ ଲକ୍ଷ୍ମୀ ଚରଣ ମିଶ୍ର କହିଥିଲେ । ଏହି ଜନଶୁଣାଣୀ ଶିବିରରେ ବ୍ଳକ ସହକାରୀ ଯନ୍ତ୍ରୀ ଇଂ. ରାଜୀବ ପ୍ରଧାନ , ଏପିଓ ସନ୍ତୋଷ କୁମାର ସାହୁ ସମେତ ସମସ୍ତ ଯନ୍ତ୍ରୀ , ସରପଞ୍ଚ , ଜିଆରଏସ୍ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here