ଆଦିବାସୀ ଲୋକଙ୍କ ସମସ୍ଯା ତଦାରଖ ପାଇଁ ଦୁର୍ଗମ ଜଙ୍ଗଲ ଘାଟି ରାସ୍ତାରେ ଚାଲିଲେ ବିଡ଼ିଓ

0
990

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ସହଦେବ . ଟିକରପଡା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଜନଜାତି ଲୋକଙ୍କ ମୌଳିକ ସମସ୍ୟା ତଦାରଖ କରିବା ପାଇଁ ବ୍ଳକ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ବୁଧବାର ଦିନ ୬ କିମି ଦୁର୍ଗମ ଜଙ୍ଗଲ ଘାଟି ଚାଲି ଚାଲି ଯାଇଥିବା ଜଣାପଡିଛି । ଖବରପ୍ରକାରେ , ବ୍ଳକ ଅଧିନସ୍ଥ ଏହି ପଞ୍ଚାୟତର ୧ ନଂ ୱାର୍ଡ ଘାସିଆମ୍ବ ଠାରୁ ପର୍ବତ ଶିଖରେ ଗୋଛାପାଟ ଓ ଦୁଦୁରମା ଗ୍ରାମରେ ପ୍ରାୟତଃ ୩୦ ଗୋଟି ଆଦିବାସୀ ପରିବାର ବାସ କରି ଆସୁଛନ୍ତି । ତେବେ ଏହି ଅପହଞ୍ଚ ଇଲାକାରେ ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚି ପାରୁନଥିବା ବେଳେ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମକୁ ନା ରହିଛି ରାସ୍ତାଘାଟ, ନା ରହିଛି ପାନୀୟ ଜଳ ବନ୍ଦୋବସ୍ତ। ଯାହାଫଳରେ ସେଠାକାର ଲୋକମାନେ ସରକାର ଯୋଜନା ପାଇବା ପାଇଁ ଉକ୍ତ ଦୁର୍ଗମ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଆସିଥାନ୍ତି । ଏଭଳି ଖବର ପାଇବା ପରେ ଆଜି ବିଡ଼ିଓ ଶ୍ରୀ ଦାସ ସମେତ ଏ ସି ଏସ୍ ଓ ଶକଳେଶ୍ବର ଦାସ , ଯୋଗାଣ ନିରୀକ୍ଷକ ବ୍ରଜେଶ୍ବର ରାଏ , ଯୋଗାଣ ସହାୟକ ଶଙ୍କର ପଟ୍ଟନାୟକ , ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ , ସମିତି ସଭ୍ୟ ପ୍ରତିନିଧି ସମୀର ଦଳବେହେରା , ସମାଜସେବୀ ସନ୍ତୋଷ ଜାନୀ , ୱାର୍ଡ ମେମ୍ବର ପ୍ରତିନିଧି ନିରଞ୍ଜନ ଗମାଙ୍ଗ ପ୍ରମୁଖ ଘାସିଆମ୍ବ ଠାରୁ ୩ ଘଣ୍ଟା ଧରି ଉକ୍ତ ଦୁର୍ଗମ ଜଙ୍ଗଲ ଘାଟି ରାସ୍ତାରେ ଏହି ଦୁଇ ଗ୍ରାମକୁ ଚାଲି ଚାଲି ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେଠାକାର ଲୋକଙ୍କ ସହ ବିଶେଷ ଆଲୋଚନା କରିଥିଲେ । ଏପରିକି ଝରଣା ପାଣିରୁ ପାଇପ ଯୋଗେ କିପରି ଲୋକଙ୍କୁ ପାନୀୟ ଜଳର ବନ୍ଦୋବସ୍ତ , ଗମନାଗମନ ସୁବିଧା ନିମନ୍ତେ ରାସ୍ତା ନିର୍ମାଣ , ଆଧାର କାର୍ଡ ସମସ୍ୟା ଦୂରୀଭୂତ , ରାସନ୍ କାର୍ଡ ମାଧ୍ୟମରେ ଚାଉଳ କିପରି ସହଜରେ ପାଇପାରିବେ ତାହାକୁ ନେଇ ଆଲୋଚନା କରିବା ସହ ଖୁବଶିଘ୍ର ଏହି ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଫେରିଥିଲେ । ବିଡ଼ିଓଙ୍କ ଏଭଳି କାର୍ଯ୍ୟପାଇଁ ଗ୍ରାମବାସୀ ବହୁ ପ୍ରଶଂସା କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here