ଦିଗପହଣ୍ଡି ବସ୍ ଟ୍ରାଜେଡି ଘଟଣା : ମୃତ୍ୟୁ ସଂଖ୍ୟା ୧୨ କୁ ବୃଦ୍ଧି

0
515

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଗତ ଜୁନ ୨୫ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଦୁଇ ବସ୍ ମୁହାଁମୁହିଁ ଧକ୍କାର ଲୋମଟାଙ୍କୁରା ତଥା ଛାତିଥରା ଦୃଶ୍ୟ ଲୋକଙ୍କ ଆଖି ଆଗରେ ନାଚୁଥିବା ବେଳେ ପୁଣି ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି । ମଙ୍ଗଳବାର ଦିନ ମୃତକଙ୍କ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶୁଭେନ୍ଦୁ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ ରେ ପହଞ୍ଚି ପାରିଛି । ଖବରପ୍ରକାରେ , ଗତ ରବିବାର ଦିନ ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ସ୍ବର୍ଗତ ଅଶୋକ ପ୍ରଧାନଙ୍କ ଝିଅ ସୋନାଲିଙ୍କ ବାହାଘର କାର୍ଯ୍ୟ ସାରି ବ୍ରହ୍ମପୁରରୁ ପରିବାର ଲୋକେ ଏକ ମିନିବସ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ଖେମୁଣ୍ଡି କଲେଜ ନିକଟରେ ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଓ ଏସ୍ ଆର୍ ଟି ସି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଖଣ୍ଡଦେଉଳୀ ଗ୍ରାମର ୪ ଜଣ , ଭଞ୍ଜନଗର ମୁଜାଗଡ ଗ୍ରାମର ୫ ଜଣ , ଗଡଗୋବିନ୍ଦପୁର ଏବଂ ସିଙ୍ଗିପୁର ଗ୍ରାମର ଜଣେ ଲେଖାଏଁ ଯାତ୍ରୀଙ୍କୁ ମିଶାଇ ମୋଟ ୧୧ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଏବଂ ବହୁ ଯାତ୍ରୀ ଆହତ ମଧ୍ୟ ହୋଇଥିଲେ । ଏଥିରେ ୫ ଜଣ ପୁରୁଷ , ୪ ଜଣ ମହିଳା ସମେତ ୨ ଶିଶୁଙ୍କ ଅକାଳ ବିୟୋଗ ଘଟିଥିଲା । ତେବେ ଆଜି ସକାଳ ସାଢେ ୧୦ ଘଣ୍ଟା ସମୟରେ କଟକର ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶୁଭେନ୍ଦୁଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ । ପୂର୍ବରୁ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଶୁଭେନ୍ଦୁଙ୍କ ସ୍ତ୍ରୀ ସୁଜ୍ଞାନୀ ପ୍ରଧାନ ଓ ୩ ବର୍ଷର ପୁଅ ଦେବାଂଶୁ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ଆଜି ଦଶାହ କାର୍ଯ୍ୟ ନିମନ୍ତେ ପୁଣିଥରେ ଏକ ଦୁଃଖଦ ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡିଥିବା ଜଣାପଡିଛି । ଅପରପକ୍ଷରେ ଅପରାହ୍ନରେ ମୁଜାଗଡରେ ମୃତ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here